ଆୟୋଗ-ଆବଣ୍ଟନ କଂପାନିଙ୍କ ମଧୁଚନ୍ଦ୍ରିକା: ଗ୍ରାହକଙ୍କଠାରୁ ୨ବର୍ଷରେ ୨୫୦୦କୋଟି ଲୁଟ୍

ଗ୍ରାହକଙ୍କ ମୁଣ୍ଡରେ ୟୁନିଟ୍ ପିଛା ଅଧିକ ଟଙ୍କାଏ
ବିଜ୍ଞପିତ ଦର ଠାରୁ ଅଧିକ ବିଲିଂ କାହା ସ୍ବାର୍ଥରେ?
ଆୟୋଗ, ସରକାର ଜାଣି ବି ଅଜଣା; ତଦନ୍ତ କରିବ କିଏ?

ଭୁବନେଶ୍ବର : ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ୨୦୨୦-୨୧ ବର୍ଷରେ ଅଣଟାରିଫ୍ ଆୟ ୫୪୫.୮୦ କୋଟି ଟଙ୍କା କଥା ବିଚାରକୁ ନେଲେନାହିଁ। ବିନା କାରଣରେ ବିଦ୍ୟୁତ କ୍ରୟ ବାବଦରେ ୨୩୪.୯୪ କୋଟି ଟଙ୍କା ଅଧିକ ଅନୁମୋଦନ କରିଦେଲେ। ଫଳରେ ୟୁନିଟ୍ ପିଛା ହାରାହାରି ବିଦ୍ୟୁତ ଦର ୪୮୯.୩୩ ପଇସା ହେବା ବଦଳରେ ୫୨୪.୬୨ ପଇସାକୁ ବଢ଼ିଗଲା। ଅର୍ଥାତ୍ କୌଣସି କାରଣ ନ ଥାଇ ଆବଣ୍ଟନ କଂପାନିମାନଙ୍କୁ ୟୁନିଟ୍ ପ୍ରତି ଅଧିକ ୩୫.୨୯ ପଇସା ବିଲିଂ କରିବାକୁ ଆୟୋଗ ସୁଯୋଗ ଦେଲେ। ଆୟୋଗଙ୍କ ସୌଜନ୍ୟରୁ ସେବର୍ଷ ୭୮୦କୋଟି ୮୨ଲକ୍ଷ ଟଙ୍କା ଲୁଟ୍ ପାଇଁ ବଣ୍ଟନ କଂପାନିଙ୍କୁ ଲାଇସେନ୍‌ସ ମିଳିଗଲା। ଅନୁରୂପ ଭାବେ ୨୦୨୧-୨୨ ବର୍ଷରେ ଓଇଆରସିଙ୍କ ସୌଜନ୍ୟରୁ ୟୁନିଟ୍ ପିଛା ୨୩.୦୧ ପଇସା ହିସାବରେ ମୋଟ ୫୦୫.୦୭ କୋଟି ଟଙ୍କା ବଣ୍ଟନ କଂପାନିମାନଙ୍କୁ ମୁନାଫା (ବିଲିଂ) ଟେକି ଦିଆଗଲା। ସୁତରାଂ ଏହି ଦୁଇବର୍ଷରେ ଉପଭୋକ୍ତାଙ୍କ ଉପରେ ଆୟୋଗ ଅଯୌକ୍ତିକ ଭାବେ ୧୨୮୫ କୋଟି ୮୯ ଲକ୍ଷ ଟଙ୍କା ଲଦିଦେଲେ ଓ ତାହାକୁ ଆନୁଷ୍ଠାନିକ ଭାବେ ବିଲିଂ କରିବାକୁ ଆବଣ୍ଟନ କଂପାନିଙ୍କୁ ସୁଯୋଗ ଦେଲେ। କହିବା ବାହୁଲ୍ୟ ଯେ ସାଧାରଣ ଉପଭୋକ୍ତା ଆୟୋଗଙ୍କ ଏହି ଇନ୍ଦ୍ରଜାଲକୁ ବୁଝିପାରୁନଥିବାରୁ ଅନୁରୂପ ଧାରା ବର୍ଷ ବର୍ଷ ଧରି ଗଡ଼ିଚାଲିଛି।

New Indian Express

ଆଉ ପାଦେ ଆଗକୁ ଯାଇ ବଣ୍ଟନ କଂପାନିମାନେ ଆୟୋଗଙ୍କ ହାରାହାରି ଦରଠାରୁ ଯଥାକ୍ରମେ ୨୦୨୦-୨୧ରେ ୟୁନିଟ୍ ପିଛା ୨୪.୯୪ ପଇସା ହିସାବରେ ୪୬୩ କୋଟି ୯୮ ଲକ୍ଷ ଟଙ୍କା ଏବଂ ୨୦୨୧-୨୨ରେ ୟୁନିଟ୍ ପିଛା ୩୫.୮୯ ପଇସା ହିସାବରେ ୭୫୬.୮୫ କୋଟି ଟଙ୍କା ଗ୍ରାହକଙ୍କୁ ଅଧିକ ବିଲିଂ କରିଦେଲେ। ଅର୍ଥାତ୍ ଏହି ଦୁଇବର୍ଷରେ ବଣ୍ଟନ କଂପାନି ମଧ୍ୟ ୧୨୨୦.୮୩ କୋଟି ଉପଭୋକ୍ତାଙ୍କ ଠାରୁ ଅଧିକ ଆଦାୟ ବାଟ କରିନେଲେ। ଉଭୟ ଆୟୋଗ-ବଣ୍ଟନ କଂପାନିଙ୍କ ମଧୁଚନ୍ଦ୍ରିକାରେ ଏହି ଦୁଇବର୍ଷରେ ଉପଭୋକ୍ତାଙ୍କ ପକେଟରୁ ଅତିକମରେ ୨୫୦୬ କୋଟି ୭୨ଲକ୍ଷ ଟଙ୍କା ଲୁଟ୍ ହେଲା। ଯଦି ନାର୍ଯ୍ୟ ବିଦ୍ୟୁତ ଦରକୁ ହିସାବକୁ ନିଆଯାଏ ତେବେ ଏହି ଲୁଟର ପରିମାଣ ଦୁଇବର୍ଷରେ ୨୩୧୯ କୋଟି ୬୨ଲକ୍ଷ ଟଙ୍କାକୁ ଛୁଇଁଯିବ ବୋଲି ଶକ୍ତି ସମୀକ୍ଷକମାନେ ହିସାବ କରୁଛନ୍ତି।

ପ୍ରକାଶଯୋଗ୍ୟ ଯେ ନିୟାମକ ଆୟୋଗ ଯେକୌଣସି ମୁହୂର୍ତରେ ୨୦୨୨-୨୩ ବର୍ଷ ଲାଗି ବିଦ୍ୟୁତ ଦର ଘୋଷଣା କରିବେ। ହେଲେ ଆୟୋଗଙ୍କ ନିକଟରେ ଦାଖଲ ଦସ୍ତାବିଜକୁ ଯେତେ ଅଧିକ ଓଲଟପାଲଟ କରାଯାଉଛି, ସେତେ ଅଧିକ ଏଭଳି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହେବାରେ ଲାଗିଛି। ବିଦ୍ୟୁତ ଉପଭୋକ୍ତାଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ କେବଳ ଆଖିବୁଜା ବିଜୁଳି ଦର ବୃଦ୍ଧି କରାଯାଉଛି ତା ନୁହେଁ, ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଅନୁମୋଦିତ ହାରାହାରି ବିଦ୍ୟୁତ ଦର ସହିତ ଉପଭୋକ୍ତାଙ୍କ ଠାରୁ ବିଲିଂ ହେଉଥିବା ଦରର ଯେ କୌଣସି ସଂପର୍କ ନାହିଁ ଏକଥା ସହଜରେ ବୁଝିହେଉଛି। ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି କାରଣରୁ ବର୍ଷକୁ ବର୍ଷ ଗ୍ରାହକଙ୍କ ଉପରେ ବର୍ଧିତ ବିଜୁଳି ଦର ଲଦିଦିଆଯାଉଛି, ତଦ୍ବାରା ସାଧାରଣ ଉପଭୋକ୍ତା ଗୁରୁତର ପ୍ରଭାବିତ ହେଉଛନ୍ତି। ବିଦ୍ୟୁତ ଦର ବୋଝ ଯୋଗୁଁ ସରକାରଙ୍କ ଶିଳ୍ପାୟନ ସ୍ବପ୍ନ ମଧ୍ୟ ଭାବେ ପ୍ରଭାବିତ ହେଉଛି। ଏହି କ୍ରମରେ ଅନେକ ଶିଳ୍ପସଂସ୍ଥା ଉତ୍ପାଦନ ବନ୍ଦ କରୁଛନ୍ତି କିମ୍ବା ଖୋଲାବଜାରରୁ ବିଜୁଳି କିଣିବାକୁ ବାଧ୍ୟ ହେଉଛନ୍ତି। ସେହିଭଳି ଅପେକ୍ଷାକୃତ କମ୍ ହେଲେ ବି ସାଧାରଣ ବିଦ୍ୟୁତ ଉପଭୋକ୍ତା ଏଭଳି ଲୁଟ୍‌ରୁ ବାଦ ପଡୁନାହାନ୍ତି।

ବିଦ୍ୟୁତ ଦର ନିର୍ଣ୍ଣୟ ପ୍ରଣାଳୀ ଅନୁସାରେ, ବଣ୍ଟନ କଂପାନିମାନଙ୍କର ରାଜସ୍ବ ଆବଶ୍ୟକତାକୁ ବିଚାର କରି ନିୟାମକ ଆୟୋଗ ଏକ ହାରାହାରି ବିଦ୍ୟୁତ ଦର ନିର୍ଧାରଣ କରିଥାନ୍ତି। ଏହି ହାରାହାରି ଦରକୁ ସହନଶୀଳ କରାଇବା ପାଇଁ ଜାତୀୟ ବିଦ୍ୟୁତ ନୀତିରେ କ୍ରସ ସବ୍‌ସିଡି ବ୍ୟବସ୍ଥା ରହିଛି। ସେହି ଆଧାରରେ ନିମ୍ନ, ଉଚ୍ଚ ଓ ଅତିରିକ୍ତ ଉଚ୍ଚ ଭୋଲଟେଜ ପ୍ରତ୍ୟେକ ବର୍ଗର ଉପଭୋକ୍ତାଙ୍କ ପାଇଁ ପୁଣି ଥରେ ତିନିଟି ହାରହାରି ଦର (ପୃଥକ୍ ଭାବେ) ନିର୍ଣ୍ଣୟ କରାଯାଏ। ଏହାକୁ ବ୍ୟବହାର କରି ଘରୋଇ, ବାଣିଜ୍ୟ, କୃଷି, ଶିଳ୍ପ ଓ ଅନ୍ୟାନ୍ୟ ଉପଭୋକ୍ତାଙ୍କ ପାଇଁ ଆୟୋଗ ବିଦ୍ୟୁତ ଦର ନିର୍ଧାରଣ କରନ୍ତି।

ହେଲେ ବିସ୍ମୟର କଥା ହେଉଛି, ବିଦ୍ୟୁତ ଦର ନିର୍ଧାରଣ ପ୍ରଣାଳୀରେ ଅଣଟାରିଫ୍ ଆୟକୁ ବିଚାରକୁ ନିଆଯିବାର ନିୟମ ଥିଲେ ହେଁ ଆୟୋଗ ରହସ୍ୟଜନକ ଭାବେ ତାହାକୁ ଏଡ଼ାଇ ଚାଲିଛନ୍ତି। ଫଳରେ ବିଦ୍ୟୁତ ଦର ବାସ୍ତବମୁଖୀ ହେଉନାହିଁ। ବରଂ ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦିନ ଦିପହରେ ସେମାନଙ୍କୁ ଶୋଷଣ କରାଯାଉଛି। ପ୍ରଚଳିତ ବିଧି ବ୍ୟବସ୍ଥାରେ, ବଣ୍ଟନ କଂପାନିମାନଙ୍କର ଯେତିକି ରାଜସ୍ବ ଆବଶ୍ୟକତା ଅଛି, ଠିକ୍ ସେତିକି ପରିମାଣର ରାଜସ୍ବ ବା ଟାରିଫ୍ ଉପଭୋକ୍ତାମାନଙ୍କ ଠାରୁ ଆଦାୟ କରାଯିବ। ଏହି ଆଧାରରେ ବିଦ୍ୟୁତ ଦର ନିର୍ଧାରଣ ହେବା କଥା। ତେଣୁ ଉପଭୋକ୍ତାମାନଙ୍କ ଠାରୁ ଅଧିକ ଆଦାୟ କରିବା କିମ୍ବା ବଣ୍ଟନ କଂପାନିମାନଙ୍କର ଆବଶ୍ୟକତା ଠାରୁ କମ୍ ଟାରିଫ୍ ସ୍ଥିର କରାଯିବା ପ୍ରଚଳିତ ବିଧି ବ୍ୟବସ୍ଥାର ପରିପନ୍ଥୀ ଅଟେ। ଏହି କ୍ରମରେ ୨୦୨୦-୨୧ବର୍ଷ ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ବିଭିନ୍ନ ବର୍ଗର ଉପଭୋକ୍ତାଙ୍କ ଲାଗି ୟୁନିଟ୍ ପିଛା ହାରାହାରି ୫୨୪.୬୨ ପଇସା ବିଦ୍ୟୁତ ଦର ଧାର୍ଯ୍ୟ କରିଥିଲେ। ହେଲେ ସେବର୍ଷ ବଣ୍ଟନ କଂପାନିଗୁଡିକ ୟୁନିଟ୍ ପିଛା ହାରାହାରି ୫୨୬. ୩୧ ପଇସାରେ (୧.୬୯ ପଇସା ଅଧିକ) ବିଲ୍ କଲେ। ଏଥିରେ ଅତିରିକ୍ତ ଉଚ୍ଚ ଭୋଲଟେଜ ବର୍ଗ (ଇଏଚଟି)ର ଉପଭୋକ୍ତାଙ୍କ ପାଇଁ ଆୟୋଗ ୟୁନିଟ୍ ପିଛା ହାରାହାରି ୫୯୫.୭୬ ପଇସା ଧାର୍ଯ୍ୟ କରିଥିଲେ। ମାତ୍ର ବଣ୍ଟନ କଂପାନିମାନେ ୟୁନିଟ୍ ପିଛା ୭୦୪.୬୫ ପଇସା ଦରରେ ବିଲ୍ କଲେ। ଅର୍ଥାତ୍ ଆୟୋଗ ନିର୍ଣ୍ଣୟ କରିଥିବା ହାରାହାରି ମୂଲ୍ୟଠାରୁ ଏହି ବର୍ଗଙ୍କ ଲାଗି ୟୁନିଟ୍ ପିଛା ୧୦୮.୮୯ ପଇସା ଅଧିକ ବିଲ୍ ହେଲା।

extremetech.com

ସେହିଭଳି ଉଚ୍ଚ ଭୋଲଟେଜ ବର୍ଗ (ଏଚ୍‌ଟି)ର ଉପଭୋକ୍ତାଙ୍କ ପାଇଁ ସେବର୍ଷ ୟୁନିଟ୍ ପିଛା ହାରାହାରି ମୂଲ୍ୟ ୫୯୬.୧୮ ପଇସା ଧାର୍ଯ୍ୟ ହୋଇଥିବା ବେଳେ ୬୫୯.୯୭ ପଇସା (୬୩.୭୯ପଇସା ଅଧିକ)ରେ ବଣ୍ଟନ କଂପାନି ବିଲିଂ କଲେ। ଏହାଦ୍ବାରା ଶିଳ୍ପ ସଂସ୍ଥାମାନେ ବାର୍ଷିକ ପାଖାପାଖି ଏକ ହଜାର କୋଟି ଟଙ୍କା ଅଧିକ ବିଲ୍ ଦେଉଥିଲେ ମଧ୍ୟ ସ୍ବର ଉତ୍ତୋଳନ ନକରି ନିରବ ରହିବା ବିସ୍ମୟଜନକ ନୁହେଁ କି?

ଅନ୍ୟପକ୍ଷରେ ନିମ୍ନ ଭୋଲଟେଜ ବର୍ଗ (ଏଲ୍‌ଟି) ବା ସାଧାରଣ ଉପଭୋକ୍ତାଙ୍କ ପାଇଁ ୟୁନିଟ ପିଛା ହାରାହାରି ୪୩୩.୮୧ ପଇସା ଧାର୍ଯ୍ୟ ହୋଇଥିବା ବେଳେ ବଣ୍ଟନ କଂପାନି କିନ୍ତୁ ୪୧୩.୯୦ ପଇସାରେ ବିଲିଂ କରିଥିଲେ। ଅର୍ଥାତ୍ ଏହି ବର୍ଷ ଏଲ୍‌ଟି ଉପଭୋକ୍ତା ଓଇଆରସିଙ୍କ ଧାର୍ଯ୍ୟ ଦର ତୁଳନାରେ କମ୍ ବିଲ୍ ଦେଇଥିଲେ।

ଓଇଆରସିଙ୍କ ଦ୍ବାରା ବିଜ୍ଞପିତ ମୂଲ୍ୟ ଠାରୁ ବଣ୍ଟନ କଂପାନିମାନେ ଅଧିକ ବିଲ୍ କେବଳ ଏହି ଗୋଟିଏ ବର୍ଷ ପାଇଁ ଅସୁଲ କରିନଥିଲେ, ବରଂ ୨୦୨୧-୨୨ରେ ମଧ୍ୟ ଅନୁରୂପ ଭାବେ ଏଲଟି ବର୍ଗର ଉପଭୋକ୍ତାଙ୍କ ଠାରୁ ୟୁନିଟ୍ ପିଛା ହାରାହାରି ୮.୮୮ ପଇସା, ଏଚ୍‌ଟି ବର୍ଗ ପାଇଁ ୪୭.୧୪ ପଇସା ଏବଂ ଇଏଚ୍‌ଟି ବର୍ଗର ଉପଭୋକ୍ତାଙ୍କ ଠାରୁ ୯୫.୫୯ ପଇସା ଅଧିକ ବିଲିଂ କରୁଛନ୍ତି। ବଣ୍ଟନ କଂପାନିମାନେ ଅସୁଲ କରି ଆସୁଥିବା ଅଧିକ ବିଲ୍ ସଂକ୍ରାନ୍ତରେ ପରବର୍ତ୍ତୀ ବର୍ଷର ବାର୍ଷିକ ରାଜସ୍ବ ଆବଶ୍ୟକତା ଆବେଦନରେ ଦର୍ଶାଉଥିଲେ ମଧ୍ୟ ଓଇଆର୍‌ସି ଏହି ବେନିୟମ କାର୍ଯ୍ୟରେ ପ୍ରଶ୍ନ ନ ଉଠାଉବା ବିସ୍ମୟଜନକ।

ଏଠାରେ ପ୍ରଶ୍ନ ଉଠୁଛି, ଓଇଆରସିଙ୍କ ଦ୍ବାରା ଅନୁମୋଦିତ ତଥା ବିଜ୍ଞପିତ ହାରାହାରି ମୂଲ୍ୟଠାରୁ ବଣ୍ଟନ କଂପାନିମାନେ କିଭଳି ଅଧିକ ବିଲିଂ କରୁଛନ୍ତି? ସେମାନେ ଦର୍ଶାଉଥିବା ବିଲିଂ ହିସାବକୁ ଆୟୋଗ ଦେଖି ମଧ୍ୟ ନିରବ ରହୁଛନ୍ତି କାହିଁକି? ଏଭଳି ଆଇନ ବର୍ହିଭୂତ କାର୍ଯ୍ୟ ଜନସ୍ବାର୍ଥ ପରିପନ୍ଥୀ ହୋଇଥିଲେ ହେଁ ଆୟୋଗ କାହା ସ୍ବାର୍ଥରେ ତାହାକୁ ନଜର ଅନ୍ଦାଜ କରିଆସୁଛନ୍ତି- ତାହା ହିଁ ଆୟୋଗଙ୍କ ନିରପେକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସର୍ବୋପରି ବିଦ୍ୟୁତ ସଂସ୍କାର କାର୍ଯ୍ୟକ୍ରମରେ ଉପଭୋକ୍ତାଙ୍କ ସ୍ବାର୍ଥ ରକ୍ଷା ଏକାନ୍ତ ଅପରିହାର୍ଯ୍ୟ ଥିଲେ ମଧ୍ୟ; ବଣ୍ଟନ କଂପାନିମାନଙ୍କ ଏଭଳି ଶୋଷଣକୁ ସରକାର ବିରୋଧ ନ କରି ନିରବ ରହିବା ଦ୍ବାରା ସଂସ୍କାରର ମୂଳଲକ୍ଷ୍ୟ ସୁଦୂର ପରାହତ ନୁହେଁ କି?

pe.gatech.edu

ଶକ୍ତି ସମୀକ୍ଷକଙ୍କ ମତରେ ଯଦି ଆୟୋଗ ବିଦ୍ୟୁତର ଉଚିତ୍ ମୂଲ୍ୟ ଧାର୍ଯ୍ୟ କରିଥାନ୍ତେ, ତେବେ ଏଚଟି, ଇଏଚଟି ବିଦ୍ୟୁତ ଉପଭୋକ୍ତାମାନଙ୍କ ଠାରୁ ବିଦ୍ୟୁତ ବଣ୍ଟନ କଂପାନିମାନେ ୨୦୨୦-୨୧ରେ ୟୁନିଟ୍ ପିଛା ଯଥାକ୍ରମେ ୧୦୩.୮୯ ଓ ୧୪୮.୯୬ ପଇସା ଅଧିକ ବିଲିଂ କରିବା ସୁଯୋଗ ନଥିଲା। ସାମଗ୍ରିକ ଭାବେ ବିଚାର କଲେ ତିନିଟି ବର୍ଗର ଉପଭୋକ୍ତାଙ୍କ ପାଇ୍ଁ ଏହାର ହାରାହାରି ମୂଲ୍ୟ ୟୁନିଟ୍ ପିଛା ୫୮.୬୬ ପଇସା ଅଧିକ ବିଲିଂ ହୋଇଥିବା ବେଳେ ୨୦୨୧-୨୨ରେ ତାହା ବଢି ୫୮.୨୫ ପଇସା ହୋଇଛି।

ଏକଥା ଏଥିପାଇଁ ହୋଇଛି ଯେ ଅନୁମୋଦିତ ହାରାହାରି ବିଦ୍ୟୁତ ଦର ତୁଳନାରେ ବଣ୍ଟନ କଂପାନିମାନେ କେତେ ଅଧିକ ବିଲିଂ କଲେ ଓ ତାହାର ବୈଧତା କଣ, ତାହାକୁ ଆଦୌ ଆୟୋଗ ତର୍ଜମା କରୁନାହାନ୍ତି। ତେଣୁ ଆକାଶରୁ ତୋଳିଆଣି ବର୍ଧିତ ଦର ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ବାରମ୍ବାର ଲଦି ଦିଆଯାଉଛି। ଏବେ ପ୍ରଶ୍ନ ଉଠୁଛି, ଆୟୋଗଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବଣ୍ଟନ କଂପାନିମାନେ ମନମୁଖୀ ଭାବେ ବିଜ୍ଞପିତ ଦରଠାରୁ ଅଧିକ ବିଲ୍ ଆଦାୟ କରୁଛନ୍ତି କେମିତି? ଏହାଦ୍ବାରା ସେମାନେ ଆୟୋଗଙ୍କ ନିଷ୍ପତ୍ତିକୁ ସିଧାସଳଖ ଦଳିମକଚି ଅବମାନନା କରୁନାହାନ୍ତି କି? ଆୟୋଗ ଯଦି ଏକଥା ହେଜୁଛନ୍ତି, ତେବେ କେଉଁ ସ୍ବାର୍ଥରେ ଆବଣ୍ଟନ କଂପାନିଙ୍କ ଏଭଳି ବେଆଇନ ତଥା ମନମୁଖୀ କାର୍ଯ୍ୟକୁ ମୋହର ମାରୁଛନ୍ତି?

ଏସବୁକୁ ବିଚାରକୁ ନେଲେ ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ବଦଳରେ ଆୟୋଗ କେଉଁ ବୃହତ୍ତର ସ୍ବାର୍ଥକୁ ଗୁରୁତ୍ବ ଦେଇ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ୟୁନିଟ୍ ପିଛା ଅଧିକ ଏକଟଙ୍କା ଅସୁଲକୁ ଗ୍ରହଣ କରୁଛନ୍ତି, ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜରୁରୀ। ହେଲେ ସରକାର ଯଦି ନିରବଦ୍ରଷ୍ଟା, ତେବେ ତଦନ୍ତ କରିବ କିଏ?

ସମ୍ବନ୍ଧିତ ଖବର