ଭୂଗୋଳ ଓ ଅର୍ଥନୀତି ବହିରେ ତ୍ରୁଟି ପ୍ରସଙ୍ଗ: ପୁରୁଣା ବହିରେ ସଂଶୋଧନ କରାଯିବ

ବାଦ୍‌ ପଡ଼ିଥିବା କୋଲାବ ପ୍ରକଳ୍ପକୁ ସ୍ଥାନ ମିଳିଲା

କୋରାପୁଟ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ଶ୍ରେଣୀ ଭୂଗୋଳ ଓ ଆର୍ଥନୀତି ବହିରେ କରିଥିବା ସାଂଘାତିକ ବିଭ୍ରାଟକୁ ଶେଷରେ ସୁଧାରିବା ପାଇଁ ପ୍ରୟାସ କରିଛି। ତେବେ, ନୂଆ ପୁସ୍ତକ ଛାପି ପିଲାଙ୍କୁ ଦେବା ବଦଳରେ ପୁରୁଣା ବହିକୁ ସଂଶୋଧନ କରି ପାଠ ପଢ଼ାଇବା ପାଇଁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ପରିଷଦ ପକ୍ଷରୁ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏ ସଂପର୍କିତ ଚିଠି ଜାରି ହୋଇଛି।

ସୂଚନା ଅନୁଯାୟୀ, ୨୦୧୮ ମସିହାରେ ପ୍ରକାଶ ପାଇଥିବା ଦଶମ ଶ୍ରେଣୀ ‘ଭୂଗୋଳ ଓ ଅର୍ଥନୀତି’ ବହିରେ ଏକାଧିକ ତ୍ରୁଟି ରହିଥିଲା। କୋରାପୁଟ ଜିଲ୍ଲା ମାଛକୁଣ୍ଡସ୍ଥିତ ଜଳ ବିଦ୍ୟୁତ୍‌ ପ୍ରକଳ୍ପକୁ ଆନ୍ଧ୍ରର ବୋଲି ଦର୍ଶାଯାଇଥିଲା। ସେହିପରି ବାଲିମେଳାରେ ତାପଜ ବିଦ୍ୟୁତ କେନ୍ଦ୍ର ରହିଥିବା ଉଲ୍ଲେଖ କରାଯାଇଥିଲା। କୋରାପୁଟ ଜିଲ୍ଲାର କୋଲାବ ଜଳ ବିଦ୍ୟୁତ୍‌ କେନ୍ଦ୍ରକୁ ଏହି ବହିରେ ବାଦ୍‌ ଦିଆଯାଇଥିଲା। ୪ବର୍ଷ ଧରି ଏହି ତ୍ରୁଟିପୂର୍ଣ୍ଣ ପୁସ୍ତକକୁ ପିଲା ପଢ଼ିଥିଲେ ସୁଦ୍ଧା କେହି ପ୍ରତିବାଦ କରି ନଥିଲେ। ଚଳିତବର୍ଷ ପୁସ୍ତକର ପରିମାର୍ଜିତ ସଂସ୍କରଣ ପ୍ରକାଶ ପାଇଥିଲା। ତଥାପି ପୁରୁଣା ତ୍ରୁଟିକୁ ସୁଧାରିବା ଦିଗରେ ଆଦୌ ଗୁରୁତ୍ବ ଦିଆଯାଇ ନଥିଲା। ବୁଦ୍ଧିଜୀବୀ ଏବଂ ଶିକ୍ଷାବିତ୍‌ଙ୍କ ନଜରକୁ ଏହି ବିଭ୍ରାଟ ଆସିବା ପରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଓଡ଼ିଶା ଓ ଆନ୍ଧ୍ରର ଦ୍ବୈତ ମାଲିକାନାରେ ଥିବା ମାଛକୁଣ୍ଡ ପ୍ରକଳ୍ପକୁ ସଂପୂର୍ଣ୍ଣ ରୂପେ ଆନ୍ଧ୍ର ହାତକୁ ଟେକି ଦିଆଗଲା ବୋଲି ମତ ପ୍ରକାଶ ପାଇଥିଲା।

ଚାରିଆଡ଼ୁ ସମାଲୋଚନାର ସ୍ବର ବଢ଼ିବାରୁ ମାଧ୍ୟମିକ ଶିକ୍ଷା ପରିଷଦ ଶେଷରେ ଭୁଲ୍‌କୁ ସ୍ବୀକାର କରି ସଂଶୋଧନ କରିବାକୁ ପ୍ରୟାସ କରିଛି। ତେଣୁ ଗତ ମାସ ୨୬ ତାରିଖରେ ମାର୍ଗଦର୍ଶିକା ଜାରି କରି ପାଠ ପଢ଼ାଇବା ସମୟରେ ଶିକ୍ଷକମାନେ ଏଥିପ୍ରତି ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛି। ପୃଷ୍ଠା ସଂଖ୍ୟା ୬୯ରେ ଭାରତର ମୁଖ୍ୟ ଜଳ ବିଦ୍ୟୁତ୍‌ ଶକ୍ତିକେନ୍ଦ୍ରର କ୍ରମିକ ନମ୍ବର ୧ରେ ରହିଥିବା ମାଛକୁଣ୍ଡ ପ୍ରକଳ୍ପକୁ ଆନ୍ଧ୍ର ଓ ଓଡ଼ିଶାର ମିଳିତ ପ୍ରକଳ୍ପ ଭାବେ ପଢ଼ାଇବା ପାଇଁ କୁହାଯାଇଛି। ସେହିପରି ଭୌଗୋଳିକ ସ୍ଥିତି ଅନୁସାରେ ଉଭୟ ଆନ୍ଧ୍ର ଏବଂ ଓଡ଼ିଶାରେ ଏହି ପ୍ରକଳ୍ପ ଅବସ୍ଥିତ ବୋଲି ପଢ଼ିବାକୁ କୁହାଯାଇଛି। ତାପଜ ବିଦ୍ୟୁତ କେନ୍ଦ୍ର ସାରଣୀରେ ହୋଇଥିବା ତ୍ରୁଟିକୁ ସଂଶୋଧନ କରି ପଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାଲିମେଳାରେ ଜଳ ବିଦ୍ୟୁତ କେନ୍ଦ୍ର ରହିଥିବା ପିଲାଙ୍କୁ ପଢ଼ାଇବା ନିମନ୍ତେ ପରିଷଦ କହିଛି। ଏହାବ୍ୟତୀତ ପୂର୍ବରୁ ବହିରେ କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପ ସଂପର୍କରେ ଆଦୌ ଉଲ୍ଲେଖ କରାଯାଇ ନଥିଲା। ସତ୍ୟ ପ୍ରକାଶିତ ତାଲିକାରେ କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପକୁ ସ୍ଥାନ ଦିଆଯାଇଛି।

କିଛି ଶିକ୍ଷକଙ୍କ କହିବା ହେଲା, ଏହି ମାର୍ଗଦର୍ଶିକା ଏବଂ ନିର୍ଦ୍ଦେଶରେ କୌଣସି ନୂଆ କଥା ନାହିଁ। ପୂର୍ବରୁ ହିଁ ପିଲାଙ୍କୁ ସେମାନେ ସଂଶୋଧନ କରି ପାଠ ପଢ଼ାଉଥିଲେ। ଆଗାମୀ ଶିକ୍ଷା ବର୍ଷରେ ତ୍ରୁଟିଶୂନ୍ୟ ନୂଆ ପୁସ୍ତକ ମୁଦ୍ରଣ କରିବାକୁ ଦାବି କରିଛନ୍ତି। ସେହିପରି ଏଭଳି ତ୍ରୁଟିପୂର୍ଣ୍ଣ ମୁଦ୍ରଣ ପାଇଁ ଦାୟୀ ଶିକ୍ଷାବିତ୍‌ ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର