ଆଚାର୍ଯ୍ୟ ହରିହରରେ ପେଟ୍ ସିଟି ସ୍କାନ ମେସିନ୍ କାର୍ଯ୍ୟକ୍ଷମ ପ୍ରସଙ୍ଗ: ହାଇକୋର୍ଟରେ ସତ୍ୟପାଠ ଦେଇ ଭୁଲିଗଲେ

ପୁଣି ଅଧିକ ସମୟ ମାଗି ସରକାରଙ୍କୁ ଚିଠି ଲେଖିଲେ କର୍ତ୍ତୃପକ୍ଷ

କଟକ : ଅକ୍ଟୋବର ଶେଷ ସୁଦ୍ଧା କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବସିବ ପେଟ୍ ସିଟି ସ୍କାନ ମେସିନ୍। ଏ ସଂପର୍କରେ ସରକାରଙ୍କ ପକ୍ଷରୁ କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ମାର୍ଚ୍ଚ ୩ ତାରିଖରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। କିନ୍ତୁ ଅକ୍ଟୋବର ସରିଲେ ସୁଦ୍ଧା ପେଟ୍ ସିଟି ସ୍କାନ ମେସିନ୍ କର୍କଟ କେନ୍ଦ୍ରରେ ବସିପାରିଲାନି। ଅନ୍ୟପଟେ ପେଟ୍ ସିଟି ସ୍କାନ ମେସିନ୍ ବସାଇବା ପାଇଁ କର୍କଟ କେନ୍ଦ୍ର କର୍ତ୍ତୃପକ୍ଷ ପୁଣି ଅଧିକ ସମୟ ମାଗିଛନ୍ତି। ଏପରିକି ଏ ସଂପର୍କରେ ଅଧିକ ସମୟ ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି। ଯାହାକି ପୁଣି ଥରେ ହାଇର୍କୋଟରେ ଦାଖଲ କରାଯିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଯେହେତୁ ଏହି ମେସିନ୍‌ ପିପିପି ମୋଡ୍‌ରେ କାର୍ଯ୍ୟକ୍ଷମ ହେବ ତେଣୁ ଏହାର ଘର ଡିଜାଇନ୍‌ ଅନୁସାରେ କାମ ସରିଥିବାବେଳେ ଖୁବ୍‌ଶୀଘ୍ର ସଂପୃକ୍ତ ସଂସ୍ଥାକୁ ଘର ହସ୍ତାନ୍ତର କରାଯିବ ଓ ସେହି ଅନୁସାରେ ମେସିନ୍‌ ବସିବ ଓ କାର୍ଯ୍ୟକ୍ଷମ ହେବ ବୋଲି ଅନ୍ୟଏକ ସୂତ୍ରରୁ ଜଣାପଡ଼ିଛି। ସେହିପରି କର୍କଟ କେନ୍ଦ୍ରରେ ‘ପେଟ୍ ସିଟି ସ୍କାନ୍‌’ ମେସିନ୍‌ ପାଇଁ ଆଟୋମିକ୍‌ ଏନର୍ଜି ରେଗୁଲେଟିଂ ବୋର୍ଡ (ଏଇଆର୍‌ବି) ପକ୍ଷରୁ ଅନୁମତି ମିଳିସାରିଛି। ସପ୍ତାହକୁ ୧୨୦ଟି ପେଟ୍ ସିଟି ସ୍କାନ୍‌ କର୍କଟ କେନ୍ଦ୍ରରେ କରାଯିବା ପାଇଁ ଏଇଆର୍‌ବି ଅନୁମତି ଦେଇଥିବାବେଳେ ଲିନାକ୍‌ କୋଠାର ପ୍ରଥମ ମହଲାରେ ଏହାକୁ ପିପିପି ମୋଡ୍‌ରେ କାର୍ଯ୍ୟକ୍ଷମ କରାଯିବାକୁ ଯୋଜନା ରହିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, କର୍କଟ ରୋଗ ଚିକିତ୍ସାରେ ‘ପେଟ୍ ସିଟି ସ୍କାନ୍‌’ ଏକ ଉନ୍ନତମାନର ରୋଗ ନିରୂପଣ ଯନ୍ତ୍ର। ଏହା ମାଧ୍ୟମରେ ରୋଗ କେଉଁ ଷ୍ଟେଜ୍‌ରେ ରହିଛି, ଶରୀରର କେତେଅଂଶକୁ କର୍କଟ ରୋଗ ତାର ପ୍ରଭାବ ବିସ୍ତାର କରିଛି ତାହା ଜଣାପଡ଼ିଥାଏ। ତାର ଉପଯୁକ୍ତ ନିଦାନ ବ୍ୟବସ୍ଥା ସହ ଡାକ୍ତରଙ୍କୁ ମଧ୍ୟ ଚିକିତ୍ସା କରିବାରେ ଏହା ଅନେକ ସାହାଯ୍ୟ କରିଥାଏ। ରାଜ୍ୟର ଅନ୍ୟ ସ୍ଥାନରେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ପେଟ୍ ସିଟି ସ୍କାନ ବ୍ୟବସ୍ଥା କେତେଦିନ ଭିତରେ ଉପଲବ୍ଧ ହେବ ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରାଇବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ଭୁବନେଶ୍ବର ଓ ଝାରସୁଗୁଡ଼ାରେ ଏହି ମେସିନ ବ୍ୟବସ୍ଥା ପାଇଁ ଦୁଇବର୍ଷ ଆବଶ୍ୟକ ଓ ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ ପେଟ୍‌ ସିଟି ସ୍କାନ କେବେ ବସିବ ସେ ନେଇ ସତ୍ୟପାଠରେ ସ୍ପଷ୍ଟ ଭାବେ କିଛି ସୂଚନା ନଥିଲା। ଗତ ଫେବ୍ରୁଆରି ୧୦ ତାରିଖରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରକାଶ କରିଥିବା ଶ୍ବେତପତ୍ରରେ କର୍କଟ ଯତ୍ନ ପ୍ରସଂଗରେ ରହିଥିବା ତଥ୍ୟ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଏହା ପୂର୍ବରୁ କର୍କଟ ପୀଡ଼ିତ ଗରିବ ରୋଗୀଙ୍କ ସମସ୍ୟାକୁ ନେଇ ଆଇନଜୀବୀ ଅରୁଣ ବୁଦ୍ଧିଆଙ୍କ ପତ୍ନୀ ଅନିତା ବୁଦ୍ଧିଆ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଜାନୁଆରି ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ଅଦାଲତ ସରକାରଙ୍କୁ ଜବାବତଲବ କରିଥିଲେ। କିନ୍ତୁ ଶୁଣାଣିର କିଛି ଘଣ୍ଟା ପରେ ଜାନୁଆରି ୧୯ ତାରିଖ ସଂଧ୍ୟା ୮ଟା ସମୟରେ ସବୁ ଦିନ ପାଇଁ ଆଖି ବୁଜିଥିଲେ କର୍କଟ ପୀଡ଼ିତା ଅନିତା ବୁଦ୍ଧିଆ। କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପେଟ୍ ସିଟି ସ୍କାନ୍‌ ନଥିବା ଓ ଏଥି ଯୋଗୁଁ ବହୁ ଗରିବ ରୋଗୀ ହଇରାଣ ହେଉଥିବା ନେଇ ଜନସ୍ବାର୍ଥ ଆବେଦନରେ ସେ ଦର୍ଶାଇଥିଲେ। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପୂର୍ବ ଭାରତର ପ୍ରମୁଖ କର୍କଟ ଚିକିତ୍ସା କେନ୍ଦ୍ର ହୋଇଥିବା ବେଳେ ସବୁ ଜିଲ୍ଲାରୁ ଓ ରାଜ୍ୟ ବାହାରୁ ରୋଗୀ ଏଠାକୁ ଆସୁଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ସରକାର ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ କେଉଁ ପରିସ୍ଥିତିରେ ପେଟ୍ ସିଟି ସ୍କାନ ଭଳି ଜରୁରୀ ମେସିନ ବ୍ୟବସ୍ଥା କରାଯାଉ ନାହିଁ ତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ। ଏହା ପୂର୍ବରୁ ମଧ୍ୟ ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଏ ନେଇ ସରକାରଙ୍କୁ ଜବାବତଲବ କରିବା ପରେ ସରକାର ଏଥିପ୍ରତି ତତ୍ପରତା ଦେଖାଇଥିଲେ।

ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆଙ୍କ କହିବା କଥା ହେଲା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ହାଇକୋର୍ଟରେ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଅକ୍ଟୋବର ଶେଷ ସୁଦ୍ଧା କର୍କଟ କେନ୍ଦ୍ରରେ ପେଟ୍ ସିଟି ସ୍କାନ ମେସିନ୍ ବସାଯିବ ବୋଲି ଉଲ୍ଲେଖ କରିଥିଲେ। ଏଥିପାଇଁ ମେସିନ୍‌ କିଣା ସଂପର୍କରେ ଟେଣ୍ଡର୍‌ ହୋଇଥିବା ମଧ୍ୟ ଦର୍ଶାଇଥିଲେ।

ତେବେ ଅକ୍ଟୋବର ସରିଥିଲେ ସୁଦ୍ଧା ଏହା ବସିପାରିନି। ଏହାର ଭିତ୍ତିଭୂମି କାର୍ଯ୍ୟ ଏକପ୍ରକାର ସରିବା ଉପରେ ରହିଥିବା ବେଳେ ଯେଉଁ ସ୍ଥାନରେ ଏହି ମେସିନ୍‌ ବସିବ ସେହି ଗୃହ ଖୁବ୍‌ଶୀଘ୍ର ଉକ୍ତ ସଂସ୍ଥାକୁ ହସ୍ତାନ୍ତର କରାଯିବ। ଏହାପରେ ମେସିନ୍‌ ବସିବ ଓ କାର୍ଯ୍ୟକ୍ଷମ ହେବ। ଏଭଳି ପ୍ରକ୍ରିୟାକୁ ଆହୁରି ପ୍ରାୟ ୨୦ ଦିନରୁ ଅଧିକ ସମୟ ଲାଗିବ ବୋଲି କୁହାଯାଉଥିବା ବେଳେ କେନ୍ଦ୍ର ପକ୍ଷରୁ ଅଧିକ କେତେଦିନ ସମୟ ମଗାଯାଇଛି, ସେ ସଂପର୍କରେ କେନ୍ଦ୍ର ପକ୍ଷରୁ ତାରିଖ କୋର୍ଟରେ ଦାଖଲ କରାଯିବ। ସେଥିପାଇଁ କର୍କଟ କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ସମୟ ଓ କେଉଁ ତାରିଖ ଭିତରେ ଏହାକୁ କାର୍ଯ୍ୟକ୍ଷମ କରାଯିବ ସେ ସଂପର୍କରେ କହିବାକୁ ମନା କରିଛନ୍ତି। କିନ୍ତୁ ଅଧିକ ସମୟ ମଗାଯାଇଛି ଓ ଏ ସଂପର୍କରେ କୋର୍ଟରେ ପରବର୍ତ୍ତୀ ସତ୍ୟପାଠ ଦାଖଲ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଥିବା ସେ ସୂଚନା ଦେଇଛନ୍ତି। ଏହି ପରୀକ୍ଷା ପାଇଁ ଘରୋଇ ବ୍ୟବସ୍ଥାରେ ରୋଗୀଙ୍କୁ ୨୫ ହଜାର ଟଙ୍କା ଖର୍ଚ୍ଚ ପଡ଼ୁଛି।

ସମ୍ବନ୍ଧିତ ଖବର