କଟକ : ଚଳିତବର୍ଷ ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଅନୁମତି ପ୍ରସଙ୍ଗରେ ସ୍ବତନ୍ତ୍ର ରିଲିଫ କମିସନର୍ (ଏସ୍ଆର୍ସି) ସାନି ଶୁଣାଣି କରି ନିଷ୍ପତ୍ତି ନେବେ। ଅଲ୍ ଓଡ଼ିଶା ଫାୟାର ୱାର୍କସ୍ ଡିଲର ଆସୋସିଏସନ୍ ଓ କେତେକ ଡିଲରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୩୦ ଦିନ ୧୧ଟାରେ ଏସ୍ଆର୍ସି ଏହି ପ୍ରସଂଗରେ ନିଜ କାର୍ଯ୍ୟାଳୟରେ ଶୁଣାଣି କରିବେ। ଆବେଦନକାରୀଙ୍କ ପକ୍ଷ ଏସ୍ଆର୍ସି ଶୁଣିବେ। ଏହି ପ୍ରସଂଗରେ ନିଷ୍ପତ୍ତି ନେବା ବେଳେ ସୁପ୍ରିମକୋର୍ଟ ଅର୍ଜୁନ ଗୋପାଳ ମାମଲାରେ ପ୍ରଦାନ କରିଥିବା ନିର୍ଦ୍ଦେଶ ସହିତ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନ୍ଜିଟି) ଜାରି କରିଥିବା ନିୟମାବଳୀ ଓ କରୋନା ସ୍ଥିତିକୁ ବିଚାରକୁ ନିଆଯିବ।
ଅକ୍ଟୋବର ୩୦ ଦିନ ୧ଟା ସୁଦ୍ଧା ଏସ୍ଆର୍ସି ଶୁଣାଣି ଶେଷ କରିବେ। ଗ୍ରିନ୍ କ୍ରାକର ବିକ୍ରି ଓ ଅନୁମତି ସଂପର୍କିତ ଆବେଦନକାରୀଙ୍କ ଅନୁରୋଧ ଉପରେ ନଭେମ୍ବର ୧ ତାରିଖ ସାଢ଼େ ଦଶଟା ସୁଦ୍ଧା ଏସ୍ଆର୍ସି ଯୁକ୍ତିଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବେ। ଆବେଦନକାରୀଙ୍କୁ ଏହି ନିର୍ଦ୍ଦେଶର କପି ପ୍ରଦାନ କରାଯିବ। ଏହି ନିର୍ଦ୍ଦେଶନାମାର କପି ହାଇକୋର୍ଟରେ ଉପସ୍ଥାପନ କରାଯିବ। ନଭେମ୍ବର ୧ ତାରିଖ ଦିନ ୨ଟାରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହାଇକୋର୍ଟରେ ହେବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଆଜି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ସରକାର ବିନା କୌଣସି କାରଣରେ ବାଣ ଫୁଟାଇବା ଓ ବିକ୍ରି ଉପରେ ନିଷେଧାଦେଶ ଜାରି କରିଛନ୍ତି ବୋଲି ଦର୍ଶାଇ ହାଇକୋର୍ଟରେ ଏହି ଆବେଦନ ଦାୟର କରାଯାଇଛି। ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଓ ସଂକ୍ରମଣ କମ୍ କରିବା ଉଦ୍ଦେଶ୍ୟ ନେଇ ସରକାର ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ବୋଲି ଗତବର୍ଷ କହିଥିଲେ। ଚଳିତବର୍ଷ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବା ବେଳେ ପୁଣି ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ବାୟୁର ମାନ ଓଡ଼ିଶାରେ ଭଲ ଅଛି ଓ ପ୍ରଦୂଷଣକୁ ନେଇ କୌଣସି ପ୍ରକାର ଚିନ୍ତାଜନକ ସ୍ଥିତି ନାହିଁ। ଏଭଳି ସ୍ଥିତିରେ ବାଣ ଫୁଟାଇବାରେ କିଛି ସମସ୍ୟା ନାହିଁ। ତେଣୁ ରାଜ୍ୟରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯିବା ଅନାବଶ୍ୟକ ବୋଲି ଆବେଦନରେ ଦର୍ଶାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ବାଣ ବିକ୍ରି ଓ ଫୁଟାଇବା ପାଇଁ ଅନୁମତି ଲୋଡ଼ି ଅଲ୍ ଓଡ଼ିଶା ଫାୟାର ୱାର୍କସ୍ ଡିଲର ଆସୋସିଏସନ୍ ପକ୍ଷରୁ ଦାୟର ମାମଲାକୁ ଗତ ୨୫ ତାରିଖ ଦିନ ହାଇକୋର୍ଟରୁ ପ୍ରତ୍ୟାହାର କରାଯାଇଥିଲା। ସାନି ଆବେଦନ ଦାୟର ପାଇଁ ହାଇକୋର୍ଟ ଅନୁମତି ଦେଇଥିଲେ। ଏହାପରେ ଆସୋସିଏସନ୍ ଓ କେତେକ ଡିଲରଙ୍କ ତରଫରୁ ପୁଣି ମାମଲା ରୁଜୁ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ ମୁଖାର୍ଜୀ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/firecrackers-ssss.jpg)