୬୯ ଦୁର୍ନତୀଗ୍ରସ୍ତ ଅଧିକାରୀଙ୍କୁ ସରକାରୀ ସୁରକ୍ଷା! ୬ ସପ୍ତାହରେ ଜବାବ ରଖିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଲୋକାୟୁକ୍ତଙ୍କ ନିର୍ଦେଶ

ଭୁବନେଶ୍ବର : ଦୁର୍ନୀତି ଅଭିଯୋଗ ରହିଥିବା ୬୯ ଅଧିକାରୀଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟାକୁ ରାଜ୍ୟ ସରକାର ଚାପି ରଖିଛନ୍ତି। ୨୦୧୫ରୁ ୨୦୨୦ ମସିହା ଭିତରେ ସମୁଦାୟ ୨୭୭ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ମାମଲା କରିବାକୁ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ଅନ୍ୟ ୬୯ଜଣଙ୍କ ବିରୋଧରେ ମାମଲା ଦାଏର୍‌ କରିବାକୁ ସରକାର କାହିଁକି ଅନୁମତି ଦେଇନାହାନ୍ତି, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରି ଲୋକାୟୁକ୍ତ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍‌ କରିଛନ୍ତି। ୬ ସପ୍ତାହ ଭିତରେ ଜବାବ ରଖିବାକୁ ନୋଟିସ୍‌ରେ ନିର୍ଦ୍ଦେଶ ରହିଛି। ଆସନ୍ତା ମାର୍ଚ ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାପଡ଼ିଛି।

ସୂଚନାଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରୁ ଏହି ତଥ୍ୟ ହାସଲ କରିଛନ୍ତି। ୨୦୧୫ ମସିହାରେ ୧୧୧ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା କରିବାକୁ ଅନୁମତି ଦେଇଥିବା ‌ବେଳେ ୩ଜଣଙ୍କୁ ବାଦ୍ ଦିଆଯାଇଥିଲା। ୨୦୧୬‌ରେ ୮୧ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ହୋଇଥିବା ବେଳେ ୩ଜଣଙ୍କୁ ସୁରକ୍ଷା ମିଳିଥିଲା। ୨୦୧୭ରେ ୪୭ଜଣ ଦୁର୍ନୀତି ମାମଲାରେ ସରକାର ଅନୁମତି ଦେଇଥିବା ବେଳେ ୫ଜଣ ଏଥିରୁ ବାଦ୍ ପଡ଼ିଥିଲେ। ୨୦୧୮ରେ ୨୭ଜଣଙ୍କ ବିରୋଧରେ ମାମଲା ଅନୁମତି ଦିଆଯାଇଥିବା ବେଳେ ୧୮ଜଣଙ୍କୁ ସରକାରୀ ସୁରକ୍ଷା ମିଳିଛି। ୨୦୧୯ରେ ମାତ୍ର ୧୧ଜଣଙ୍କ ବିରୋଧରେ ମାମଲା ଅନୁମତି ମିଳିଥିବା ବେଳେ ୨୧ଜଣଙ୍କ ପାଇଁ ସରକାର ଅନୁମତି ଦେଇ ନାହାନ୍ତି। ଗତବର୍ଷ ଜଣେ ହେଲେ ଦୁର୍ନୀତି ଅଭିଯୁକ୍ତ ଅଧିକାରୀଙ୍କ ବିରୋଧ‌ରେ ମାମଲା କରିବାକୁ ଅନୁମତି ଦିଆଯାଇନାହିଁ। ୧୯ ଅଧିକାରୀଙ୍କ ବିରୋଧରେ ମାମଲା ସରକାରଙ୍କ ନିକଟରେ ପଡ଼ି ରହିଛି। ତେବେ ସରକାରୀ ସୁରକ୍ଷା ପାଇଥିବା ୬୯ ଅଭିଯୁକ୍ତ ଅଧିକାରୀଙ୍କ ମଧ୍ୟରେ କେଉଁ ବିଭାଗର କେତେ ସଂଖ୍ୟକ ଅଧିକାରୀ ରହିଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ।

ଏହି ତଥ୍ୟ ଆଧାରରେ ଶ୍ରୀ ମହାପାତ୍ର ଗତବର୍ଷ ଡିସେମ୍ବରରେ ଲୋକାୟୁକ୍ତଙ୍କ ନିକଟରେ ପିଟିସନ୍‌ ଦାଖଲ କରିଥିଲେ। ଆବେଦନକୁ ଲୋକାୟୁକ୍ତ ଗ୍ରହଣ କରିବା ସହିତ ଏହା ଉପରେ ଜବାବ ରଖିବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର