ସ୍ଲରି ପାଇପ୍‌ଲାଇନ୍‌ରେ ଲୁହାପଥର ପରିବହନ ପ୍ରସଙ୍ଗ: ୩ ବିଜେଡି ବିଧାୟକଙ୍କୁ ଘେରିଲେ ଟ୍ରକ୍‌ ମାଲିକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ସ୍ଲରି ପାଇପ୍‌ଲାଇନ୍‌​ରେ ଲୁହାପଥର ପରିବହନକୁ ଜିଲ୍ଲାର ଟ୍ରକ୍‌ ମାଲିକମାନେ ବିରୋଧ କରିଆସୁଛନ୍ତି। ହେଲେ, ଏ ଦିଗରେ ଜିଲ୍ଲାର ଜନପ୍ରତିନିଧିମାନେ ନିରବଦ୍ରଷ୍ଟା ସାଜିଛନ୍ତି। ଯାହା ଟ୍ରକ୍‌ ମାଲିକଙ୍କୁ ବ୍ୟଥିତ କରିଛି। ଆଜି ଟ୍ରକ୍‌ ମାଲିକମାନେ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ପହଞ୍ଚି ଶାସକ ଦଳର ତିନିଜଣ ବିଧାୟକଙ୍କୁ ଘେରାଉ କରିଛନ୍ତି। ସେମାନେ ହେଲେ, ବିଧାୟକ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଓ ପାଟଣା ବିଧାୟକ ଜଗନ୍ନାଥ ନାଏକ।

କେନ୍ଦୁଝର ଜିଲ୍ଲାରେ ଟ୍ରକ୍‌ ବ୍ୟବସାୟ ଉପରେ ଲକ୍ଷାଧିକ ଲୋକ ନିର୍ଭର କରୁଛନ୍ତି। ଜିଲ୍ଲାରେ ପ୍ରାୟ ୩୦ ହଜାର ଟ୍ରକ୍‌ ରହିଛି। ସ୍ଲରି ପାଇପ୍‌ଲାଇନ୍‌ରେ ଲୁହାପଥର ପରିବହନ ହେଲେ ଟ୍ରକ୍‌ ବ୍ୟବସାୟ ଏକପ୍ରକାର ଠପ୍‌ ହୋଇଯିବ। ଫଳରେ, ଏହାଉପରେ ନିର୍ଭର କରୁଥିବା ଲୋକେ ଜୀବିକା ହରାଇବେ। ବେକାରୀ ସମସ୍ୟା ବଢ଼ିବ। ମାତ୍ର, ଶାସକଦଳର ନିର୍ବାଚିତ ଜନପ୍ରତିନିଧିମାନେ ଏହି ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି। ଯାହାର ପ୍ରତିବାଦରେ ଟ୍ରକ୍‌ ମାଲିକମାନେ କେନ୍ଦୁଝର ଜିଲ୍ଲାର ଏହି ୩ଜଣ ବିଧାୟକଙ୍କୁ ଗିରଫ କରିବା ସହିତ କାହିଁକି ସରକାର ଲୋକଙ୍କ ସମସ୍ୟାକୁ ଦୃଷ୍ଟି ନଦେଇ ସ୍ଲରି ପାଇପ୍‌ଲାଇନ୍‌ ବିଛାଇବା ପାଇଁ କମ୍ପାନିମାନଙ୍କୁ ଅନୁମତି ଦେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଆହୁରି ମଧ୍ୟ ସରକାରଙ୍କ ସହ ଏ ଦିଗରେ କାହିଁକି ଆଲୋଚନା କରୁନାହାନ୍ତି ବୋଲି ଟ୍ରକ୍‌ ମାଲିକମାନେ ବିଧାୟକଙ୍କୁ ପଚାରିଥିଲେ। ବାଂଶପାଳ ନିକଟରେ ସ୍ଲରି ପାଇପ୍‌ଲାଇନ୍‌ ବିଛା ଯାଉଥିବାବେଳେ ଟ୍ରକ୍‌ ମାଲିକମାନେ ଏହାକୁ ବିରୋଧ କରିଆସୁଛନ୍ତି। ହେଲେ, ସେଠାରେ ପୋଡ଼ାଜଳା କରିବା ଅଭିଯୋଗରେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୮ଜଣଙ୍କୁ ଗିରଫ କରିବା ସହ ଏକାଧିକ ଲୋକଙ୍କ ନାମରେ ମାମଲା ରୁଜୁ କରିଥିଲା। ଯାହାକୁ ସାରା ଜିଲ୍ଲାବାସୀ ନିନ୍ଦା କରିଥିଲେ। ଜିଲ୍ଲାର ଲୋକପ୍ରତିନିଧିମାନେ ଏହି ପ୍ରସଙ୍ଗରେ କାହିଁକି ମୁହଁ ଖୋଲି ନଥିଲେ ବୋଲି ଟ୍ରକ୍‌ ମାଲିକମାନେ ପ୍ରଶ୍ନ କରିଥିଲେ। ପ୍ରତ୍ୟୁତ୍ତରରେ ବିଧାୟକ ଶ୍ରୀପାତ୍ର, ଶ୍ରୀ ସେଠୀ ଓ ଶ୍ରୀ ନାଏକ ଏ ପ୍ରସଙ୍ଗରେ ସରକାର ଚିନ୍ତା କରୁଥିବାରେ କହିଥିଲେ। ପରିଶେଷରେ, ଯଦି ଲୋକପ୍ରତିନିଧିମାନେ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବେନାହିଁ, ଆଗାମୀ ଦିନରେ ଲୋକେ ସେମାନଙ୍କ ସହିତ ରହିବେ ନାହିଁ ବୋଲି ଟ୍ରକ୍‌ ମାଲିକମାନେ ଚେତାବନୀ ଦେଇଥିଲେ। କେନ୍ଦୁଝର ଜିଲ୍ଲା ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ସୂର୍ଯ୍ୟନାରାୟଣ କର, ଯୁଗ୍ମ ସମ୍ପାଦକ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ବରେ ବହୁ ଟ୍ରକ୍‌ ମାଲିକ ଏହି ଘେରାଉରେ ସାମିଲ ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଉଠାଚଳସେଚନ ପାଇଁ ଜିଲ୍ଲା ପାଇଁ ସରକାର ଅନୁଦାନ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଦଳୀୟ କାର୍ଯ୍ୟକ୍ରମରେ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କରାଯାଇଥିଲା। ଏଥିପାଇଁ ୩ ବିଧାୟକ ଏକାଠି ହୋଇଥିଲେ।

ସମ୍ବନ୍ଧିତ ଖବର