ହତ୍ୟା ଅଭିଯୁକ୍ତ ସରକାରୀ ଓକିଲ! ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର : ହତ୍ୟା ମାମଲାରେ ଦାଖଲ ଅଭିଯୋଗ ଫର୍ଦ୍ଦରେ ଅଭିଯୁକ୍ତ ଦର୍ଶାଯାଇଥିବା ଜଣେ ଆଇନଜୀବୀଙ୍କୁ ରାଜ୍ୟ ସରକାର କିପରି ଭୁବନେଶ୍ୱର ଜିଲ୍ଲା ଦୌରା ଜଜ୍‌ କୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଛନ୍ତି? ବିଧାୟକ ସୁରେଶ କୁମାର ରାଉତରାୟ ଏଭଳି ପ୍ରଶ୍ନ ଉଠାଇବା ସହିତ ସମ୍ପୃକ୍ତ ଆଇନଜୀବୀଙ୍କୁ ବହିଷ୍କାର କରିବା ଲାଗି ଦାବି କରିଛନ୍ତି। ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ମୁଖ୍ୟ ସଚିବ ଓ ଆଇନ ସଚିବଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି।

ଶ୍ରୀ ରାଉତରାୟ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଦାଦାବଟି ଦାବିରେ ୨୦୧୫ ଜୁନ୍‌ ୧୮ରେ ପାତ୍ରପଡ଼ା ଅଞ୍ଚଳର ଦଳିତ ଯୁବକ ଦିଲିପ ନାୟକଙ୍କୁ ଅାତତାୟୀମାନେ ଅାକ୍ରମଣ କରି ହତ୍ୟା କରିଥିଲେ। ଖଣ୍ଡଗିରି ଥାନାରେ ରୁଜୁ ମାମଲା (୩୦୨/୨୦୧୫)ର ତଦନ୍ତ କରି ପୁଲିସ୍‌ ଅାଡ୍‌ଭୋକେଟ୍‌ ଅକ୍ଷୟ ସାମନ୍ତରାୟ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୪୭, ୧୪୮, ୩୨୩, ୨୯୪, ୩୦୨, ୩୦୭, ୫୦୬, ୧୪୯ ଏବଂ ଅନୁସୂଚିତ ଜାତି, ଜନଜାତି ନିର୍ଯାତନା ଅାଇନର ଧାରା ୩(୧)(ଏକ୍ସ)ରେ ସ୍ଥାନୀୟ ଏସ୍‌ଡ଼ିଜେଏମ୍‌ଙ୍କ କୋର୍ଟରେ ୨୦୧୫ ଅକେ୍ଟାବର ୧୭ରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ଏହି ମୋକଦ୍ଦମା ବିଚାରାଧୀନ ଥିବା ବେଳେ ସାକ୍ଷ୍ୟ ଗ୍ରହଣ ଜାରି ରହିଛି। ଏହି ଜଘନ୍ୟ ହତ୍ୟା ମାମଲାରେ ଅଭିଯୁକ୍ତ ଜଣେ ଓକିଲଙ୍କୁ ସରକାରୀ ମାମଲା ପରିଚାଳନା ଲାଗି ରାଜ୍ୟ ସରକାର ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଛନ୍ତି। ଫଳରେ ସମ୍ପୃକ୍ତ ଅାଇନଜୀବୀ ନିଜ ବିରୋଧରେ ଥିବା ମାମଲାରେ ସାକ୍ଷ୍ୟ-ପ୍ରମାଣକୁ ପ୍ରଭାବିତ କରିବାର ଅାଶଙ୍କା ରହିଛି। ମୋଟାମୋଟି ଭାବେ ନରହତ୍ୟା ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତି ଦିଅାଯିବା ଦ୍ୱାରା ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ପ୍ରତି ସାଧାରଣରେ ଅାସ୍ଥା ତୁଟିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଅାଇନ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ନିରପେକ୍ଷ ରଖିବା ଲାଗି ଅଭିଯୁକ୍ତ ଓକିଲଙ୍କୁ ତୁରନ୍ତ ସରକାରୀ ଓକିଲ ପଦରୁ ବହିଷ୍କାର କରିବା ନିମନ୍ତେ ଶ୍ରୀ ରାଉତରାୟ ଅାଇନ ମନ୍ତ୍ରୀଙ୍କଠାରୁ ଅାରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଦୃଷ୍ଟି ଅାକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର