ବିଶ୍ବକପ୍‌ ପୂର୍ବରୁ ରାଉରକେଲାରେ ଅଭ୍ୟାସ ମ୍ୟାଚ୍‌ ହେବ ତ? ଷ୍ଟାଡିୟମ ନିର୍ମାଣ ଶେଷକୁ ନେଇ ଦ୍ବନ୍ଦ୍ବ

ରାଉରକେଲା : ଏଠାରେ ବିଶ୍ବକପ୍‌ ମ୍ୟାଚ୍‌ ଆୟୋଜନ ହେଉଥିବାରୁ ଏହାକୁ ନେଇ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ମନରେ କାହିଁ ଯେ କେତେ ଖୁସି। ହେଲେ, ବିଶ୍ବକପ୍‌କୁ ଆଉ ମାତ୍ର ଦେଢ଼ମାସ ଥିବାବେଳେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାମ ଶେଷହେବ କି ନାହିଁ, ଏହାକୁ ନେଇ ଏବେ ବି ସେମାନଙ୍କ ମନରେ ଦ୍ବନ୍ଦ୍ବ ରହିଛି।

ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟକୁ ନେଇ ଦ୍ବନ୍ଦ୍ବ ପଛରେ କେତେକ ନିର୍ଦ୍ଦିଷ୍ଟ କାରଣ ରହିଛି। ନିକଟରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏଠାକୁ ଗସ୍ତରେ ଆସିଥିବା ବେଳେ ଚଳିତମାସ ଶେଷସୁଦ୍ଧା ନିର୍ମାଣ ଶେଷହେବ ବୋଲି ସୂଚନା ଦେଇଛନ୍ତି। ଆହୁରି ମଧ୍ୟ କହିଛନ୍ତି, ନିର୍ମାଣ କାର୍ଯ୍ୟ ଶେଷ‌ ହେବାପରେ ଷ୍ଟାଡିୟମ୍‌ରେ ଅଭ୍ୟାସ ମ୍ୟାଚ୍‌ ଆୟୋଜନ କରାଯିବ। ତେବେ, ମୁଖ୍ୟ ଶାସନ ସଚିବ ଗତବର୍ଷ ଅଗଷ୍ଟମାସରେ ଯେତେବେଳେ ଏଠାକୁ ଗସ୍ତରେ ଆସିଥିଲେ ଏବର୍ଷ ଜୁଲାଇ ସୁଦ୍ଧା ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ଶେଷ‌ହେବ ବୋଲି ଘୋଷଣା କରିଥିଲେ। ଏପରିକି, ଅକ୍ଟୋବର ମାସରେ ଏଠାରେ ଅନ୍ତର୍ଜାତୀୟ ଅଭ୍ୟାସ ମ୍ୟାଚ୍‌ ଆୟୋଜନ କରଯିବ ବୋଲି ମଧ୍ୟ ଅଧିକାରୀମାନେ ପ୍ରକାଶ କରିଥିଲେ। ସେହିଭଳି, ଚଳିତବର୍ଷ ମେ ମାସରେ ରାଜ୍ୟ ସରକାରଙ୍କ ନିମନ୍ତ୍ରଣ କ୍ରମେ ଜାତୀୟ ଗଣମାଧ୍ୟମର ୧୧ ଜଣ କ୍ରୀଡ଼ା ସାମ୍ୱାଦିକ ରାଉରକେଲା ଆସିଥିଲେ। ‌ସେତେବେଳେ ସରକାରଙ୍କ କ୍ରୀଡ଼ା ପରାମର୍ଶଦାତା ସେମାନଙ୍କୁ କହିଥିଲେ, ଅଗଷ୍ଟମାସ ସୁଦ୍ଧା ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷହେବ ଏବଂ ପରେ ଏହାର ଅବଶିଷ୍ଟ କାର୍ଯ୍ୟ ସମାପନ ହେବ। କେବଳ ସେତିକି ନୁହେଁ, ନିର୍ମାଣ ସମ୍ପର୍କରେ ଘୋଷଣା ପରେ ୨୦୨୨ ଜୁନ୍‌ ମାସ ମଧ୍ୟରେ ଷ୍ଟାଡିୟମ ପ୍ରସ୍ତୁତ ହୋଇଯିବ ବୋଲି ରାଜ୍ୟ କ୍ରୀଡ଼ା ବିଭାଗର ତତ୍କାଳୀନ ପ୍ରମୁଖ ସଚିବ ବିଶାଳ ଦେବ ବି କହିଥିଲେ।

କୌଣସି ଅନ୍ତର୍ଜାତୀୟ ଖେଳ ଆୟୋଜନ ପାଇଁ ଯଦି ନୂଆ ଷ୍ଟାଡିୟମ ନିର୍ମାଣ କରାଯାଏ, ସେଠାରେ ମୁଖ୍ୟ ଆୟୋଜନ ପୂର୍ବରୁ ଅଭ୍ୟାସ ମ୍ୟାଚ କରାଯିବା ଆବଶ୍ୟକ। ଯାହାଦ୍ୱାରା ଷ୍ଟାଡିୟମ ଅନ୍ତର୍ଜାତୀୟ ମାନ ଅନୁସାରେ ତିଆରି ହୋଇଛି କି ନା ଯାଞ୍ଚ କରା ଯାଇପାରେ। କୌଣସି ତ୍ରୁଟି ଦେଖାଗଲେ ତାକୁ ସଜଡ଼ା ଯାଏ। ଏହି କାରଣରୁ ନୂଆ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଅୟୋଜନର ଅତିକମ୍‌ରେ ୨-୩ ମାସ ପୂର୍ବରୁ ସରିବାର ସ୍ବୀକୃତ ନିୟମ ରହିଛି। ଏହା ନହେଲେ ଆୟୋଜକ ଅସୁବିଧାରେ ପଡ଼ି ଯାଇପାରନ୍ତି। ୨୦୧୦ରେ ଦିଲ୍ଲୀରେ ଆୟୋଜିତ ହୋଇଥବା ରାଜ୍ୟଗୋଷ୍ଠୀ ଖେଳ ଏହାର ଜ୍ୱଳନ୍ତ ଉଦାହରଣ। ସେଠାରେ ଖେଳ ଆରମ୍ଭ ହେବା ଦିନଯାଏ କାମ ଚାଲିଥିବାରୁ ଭାରତକୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଅପମାନିତ ହେବାକୁ ପଡ଼ିଥିଲା। ଖାଲି ସେତିକି ନୁହେଁ, ଶେଷବେଳକୁ ଅତି ତରବରରେ ନିମ୍ନମାନର କାମ କରା ଯାଇଥିଲା। ଏସବୁକୁ ଦୃଷ୍ଟିରେ ଆଣିଲେ, ଷ୍ଟାଡିୟମର ନିର୍ମାଣ କାର୍ଯ୍ୟକୁ ନେଇ ସ୍ବାଭାବିକ ଭାବେ ଦ୍ବନ୍ଦ୍ବ ପ୍ରକାଶ ପାଇଛି।

ଏ ପ୍ରସଙ୍ଗରେ ଅନ୍ତର୍ଜାତୀୟ ହକି ସାମ୍ବାଦିକ କେ ଅରୁମୁଗମ କହନ୍ତି,‘ ନୂଆ ଅନ୍ତର୍ଜାତୀୟ ଷ୍ଟାଡିୟମ କେତେଦିନ ପୂର୍ବରୁ ସରିବ, ତାକୁ ନେଇ କିଛି ଲିଖିତ ନିୟମ ନାହଁ। କିନ୍ତୁ, ଏହାକୁ ଅତିକମ୍‌ରେ ୨-୩ ମାସ ପୂର୍ବରୁ ସାରିଦେବାର ଅଲିଖିତ ପରମ୍ପରା ରହିଛି। ଆମ ଦେଶରେ ଶେଷଦିନ ଯାଏ କାମ ଜାରି ରହିବାର ବି ନଜିର୍‌ ରହିଛି।’ ଅନ୍ୟ କେତେକଙ୍କ ମତରେ, ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଭଳି ବିଶାଳ ଷ୍ଟାଡିୟମ ନିର୍ମାଣ ପାଇଁ ୧୮-୨୪ ମାସ ଲାଗେ। ଏହାର କାମ ଗତବର୍ଷ ଜୁନ୍‌ମାସରେ ଆରମ୍ଭ ହୋଇଥିଲା। ତେଣୁ, ଠିକଣା ସମୟରେ କାମ ସମ୍ପୂର୍ଣ୍ଣ କରିବା ଏକ ବହୁତ ବଡ଼ ଆହ୍ବାନ ଥିଲା। ଆହୁରି ମଧ୍ୟ କହିଛନ୍ତି ଯେ ଗତବର୍ଷ ଫେବ୍ରୁଆରିରେ ମୁଖ୍ୟମନ୍ତ୍ରୀ ନିଜେ ଆସି ବିପିୟୁଟି ପରିସରରେ ଏହି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାର ନିର୍ମାଣର ଦାୟିତ୍ୱ ଇଡ୍‌କୋକୁ ଦିଆଯାଇଥିବା ବେଳେ ଇଡ୍‌କୋ ନିର୍ମାଣ କାମ ଏଲ୍‌ଏନ୍‌ଟିକୁ ଦେଲା। ତେବେ, ନିର୍ମାଣ କାମ ତୁରନ୍ତ ଆରମ୍ଭ ନକରି ଆହୁରି କିଛିମାସ ଗଡ଼ାଇ ଦିଆଯାଇଥିଲା। ଠିକଣା ସମୟରେ ଷ୍ଟାଡିୟମ ସଂପୂର୍ଣ୍ଣ ନହେବା ପଛରେ ଏହା ଆଉ ଏକ କାରଣ ବୋଲି କୁହାଯାଉଛି।
ଅପରପକ୍ଷେ, ଅନ୍ୟ କେତେଜଣଙ୍କ ମତରେ ବିଶ୍ବକପ୍‌ ସମୟ ପାଖେଇ ଆସୁଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସଦ୍ୟ ପ୍ରଦାନ କରିଥିବା ମନ୍ତବ୍ୟକୁ ଗୁରୁତ୍ବ ଦେବାକୁ ହେବ।

ସମ୍ବନ୍ଧିତ ଖବର