ଭୁବନେଶ୍ବର : ସମ୍ବଲପୁର ହିଂସାକୁ ନେଇ ଯଦି ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଥିଲା, ତେବେ ଗୃହ ବିଭାଗ କି ଜିଲ୍ଲା ପ୍ରଶାସନ କାହିଁକି ପଦକ୍ଷେପ ନେଲାନି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ଗୁଇନ୍ଦା ରିପୋର୍ଟ ପାଇବା ପରେ ରାଜ୍ୟ ସରକାର ପ୍ରିଭେନସନ୍ ଏବଂ ପ୍ୟୁନିଟିଭ୍ ଆକ୍ସନ ନେବାରେ ଫେଲ୍‌ ମାରିଛନ୍ତି। ପୁଲିସ କାହିଁକି ସଜାଗ ହେଲାନି। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ବରେ ଥିବାରୁ ସେ ହିଁ ଏଥିପାଇଁ ଦାୟୀ। ଏବେ ଯାହା ହେଉଛି ଲୋକ ଅନୁଭବ କଲେଣି। ଓଡ଼ିଶା ଲୋକ ସରଳ, ଭଲ କିନ୍ତୁ ଅପରିପକ୍ବ ନୁହନ୍ତି।

Advertisment

ସେହିପରି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ ସମ୍ବଲପୁରରେ ହିଂସା ରୋକିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯାହା ପଦକ୍ଷେପ ନେବା କଥା ନେଇନାହାନ୍ତି। ଏହା ଉଭୟ ବିଜେପି ଓ ବିଜେଡିର ପ୍ରାୟୋଜିତ। ବିରୋଧୀଙ୍କୁ ଜବାବ୍ ଦେଇ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ସରକାରର ମୂଳମନ୍ତ୍ର ହେଉଛି ସାମ୍ପ୍ରଦାୟିକ ସଦ୍‌ଭାବନା। ଓଡ଼ିଶାରେ ସାମ୍ପ୍ରଦାୟିକ ସଦ୍‌ଭାବନା, ସ୍ଥିର ଓ ଶୃଙ୍ଖଳାର ସରକାର ଚାଲିଛି। ଠିକ୍‌ ଆଇନ ବ୍ୟବସ୍ଥା ନଥିଲେ ଏଠାକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ବିଦେଶୀ ପୁଞ୍ଜିନିବେଶକାରୀ ଆସନ୍ତେ ନାହିଁ। ତେଣୁ ସେହି ଲକ୍ଷ୍ୟକୁ ପଣ୍ଡ କରିବା ପାଇଁ ଯଦି କିଛି ଚକ୍ରାନ୍ତ ହେଉଥାଏ ଜନ ସାଧାରଣ ତାହାର ଜବାବ୍ ଦେବେ।