ବେଆଇନ ବାଲି ଓ ଲଘୁଖଣିଜ ଉତ୍ତୋଳନ ମାମଲା ପ୍ରଶାସନର ଦୃଷ୍ଟିକୁ ଆସିଛି

ଭୁବନେଶ୍ବର : ଓଡ଼ିଶା ସୀମାରେ ଥିବା ନଦୀ ଓ ପାହାଡ଼ରୁ ପଡ଼ୋଶୀ ରାଜ୍ୟର ଲୋକ ବେଆଇନ ଭାବେ ବାଲି ଓ ଲଘୁଖଣିଜ ଉତ୍ତୋଳନ କରିଥିବାରୁ ମାମଲା ପ୍ରଶାସନର ଦୃଷ୍ଟିକୁ ଆସିଛି। ଏ କ୍ଷେତ୍ରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇ ରୟାଲିଟି ଓ ଜରିମାନା ଆଦାୟ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ମଲ୍ଲିକ କହିଛନ୍ତି, ବେଆଇନ ବାଲି ଓ ଲଘୁଖଣିଜ ଉତ୍ତୋଳନ ରୋକିବା ପାଇଁ ଜିଲ୍ଲାସ୍ତରରେ, ଉପଖଣ୍ଡ, ତହସିଲ ସ୍ତରରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ତହସିଲଦାର, ଅତିରିକ୍ତ ତହସିଲଦାର, ଖଣି ଅଧିକାରୀ ଓ ରାଜସ୍ବ ନିରୀକ୍ଷକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ପ୍ରତ୍ୟେକ ସଇରାତକୁ ରାଜସ୍ବ ନିରୀକ୍ଷକ ଅତିକମ୍‌ରେ ମାସିକ ୨ଥର ପରିଦର୍ଶନ କରି କୌଣସି ବେଆଇନ ଲଘୁଖଣିଜ ଉତ୍ତୋଳନର ବିବରଣୀ ତହସିଲଦାରଙ୍କୁ ଦେବାର ବ୍ୟବସ୍ଥା ରହିଛି। ବରିଷ୍ଠ ଅଧିକାରୀ ଯେପରିକି ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ ଜିଲ୍ଲାର କେତେକ ଉତ୍ସକୁ ପରିଦର୍ଶନ କରି ଲଘୁଖଣିଜ ଉତ୍ସ ପରିଚାଳନା ଠିକ୍ ଭାବେ ହେଉଛି କି ନାହିଁ ତାହା ତଦାରଖ କରୁଛନ୍ତି। ବେଆଇନ ଲଘୁଖଣିଜ ଉତ୍ତୋଳନ ରୋକିବା ପାଇଁ ଓଏମ୍‌ଏସ୍‌ସି ଆଇନ ୨୦୧୬ ଧାରା ୫୧ରେ ବ୍ୟବସ୍ଥା ରହିଛି। ରାଜ୍ୟ ସରକାର ଆବଶ୍ୟକତା ଅନୁଯାୟୀ ସମୟ ସମୟରେ ନିର୍ଦେଶନାମା ଜାରି କରୁଛନ୍ତି।

ସମ୍ବନ୍ଧିତ ଖବର