ରାଜନେତାଙ୍କ ବିରୋଧରେ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ପ୍ରସଂଗ: ହାଇକୋର୍ଟରେ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡ଼ିଲା

୧୧ଟି ସିଭିଲ ଜଜ୍ ଓ ତିନୋଟି ଅତିରିକ୍ତ ଦୌରା ଜଜ୍ ଅଦାଲତକୁ ସ୍ବତନ୍ତ୍ର ଅଦାଲତ ମାନ୍ୟତା ନେଇ ସରକାରଙ୍କ ବିଜ୍ଞପ୍ତି

କଟକ : ରାଜନେତାଙ୍କ ବିରୋଧରେ ବିଚାରାଧୀନ ମାମଲା ଗୁଡିକର ତ୍ବରିତ ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ପ୍ରସଂଗରେ ପ୍ରକାଶିତ ଦୁଇଟି ବିଜ୍ଞପ୍ତି ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଛି। ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲା ମଧ୍ୟରୁ ମାଜିଷ୍ଟ୍ରେଟଙ୍କ ଦ୍ବାରା ଟ୍ରାଏଲ ହେବା ଯୋଗ୍ୟ ଅପରାଧିକ ତଥା ସ୍ପେଶାଲ ଆକ୍ଟ ମାମଲା ଗୁଡିକର ଶୁଣାଣି ପାଇଁ ୧୧ଟି ସିଭିଲ ଜଜ୍ ଅଦାଲତଙ୍କୁ ସ୍ବତନ୍ତ୍ର ଅଦାଲତ ଭାବେ ମାନ୍ୟତା ଦିଆଯାଇଛି। ଏ ନେଇ ମାର୍ଚ୍ଚ ୧୭ରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଭୁବନେଶ୍ବର, କଟକ, ଜୟପୁର, ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଅନୁ‌ଗୁଳ, ବାଲେଶ୍ବର, ମୟୂରଭଞ୍ଜ ବାରିପଦା, ଗଞ୍ଜାମ ବ୍ରହ୍ମପୁର ଠାରେ ନିର୍ଦ୍ଦିଷ୍ଟ ଜେଏମଏଫସି ଅଦା‌ଲତଙ୍କୁ ସ୍ବତନ୍ତ୍ର ଅଦାଲତ ମାନ୍ୟତା ଦିଆଯାଇଛି। ସେହିଭଳି ଭାବେ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲା ମଧ୍ୟରୁ ସେସନ୍ସ ଅଦାଲତ ଦ୍ବାରା ଟ୍ରାଏଲ ହେବା ଯୋଗ୍ୟ ଅପରାଧିକ ତଥା ସ୍ପେଶାଲ ଆକ୍ଟ ମାମଲା ଗୁଡିକର ଶୁଣାଣି ପାଇଁ ତିନୋଟି ଅତିରିକ୍ତ ଦୌରା ଜଜ୍ ଅଦାଲତଙ୍କୁ ସ୍ବତନ୍ତ୍ର ଅଦାଲତ ଭାବେ ମାନ୍ୟତା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ବରଗଡସ୍ଥିତ ଅତିରିକ୍ତ ଦୌରା ଜଜ ଅଦାଲତଙ୍କୁ ସ୍ବତନ୍ତ୍ର ଅଦାଲତ ମାନ୍ୟତା ଦିଆଯାଇଛି। ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଅଦାଲତରେ କଟକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ପୁରୀ, ବ୍ରହ୍ମପୁରସ୍ଥିତ ସ୍ବତନ୍ତ୍ର ଅଦାଲତରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଏବଂ ବରଗଡ଼ସ୍ଥିତ ସ୍ବତନ୍ତ୍ର ଅଦାଲତରେ ଅନୁଗୁଳ, ବଲାଙ୍ଗୀର, ବରଗଡ଼, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ରାଜସ୍ବ ଜିଲ୍ଲାର ନେତାଙ୍କ ବିରୋଧରେ ଥିବା ମାମଲା ଶୁଣାଣି ହେବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ସ୍ବତନ୍ତ୍ର ଅଦାଲତ ସଂପର୍କିତ ଏପରି ବିଜ୍ଞପ୍ତିକୁ ବିଚାରକୁ ନେଇ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୬ ତାରିଖରେ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର’ ମାମଲାର ଶୁଣାଣି କରି ରାଜନେତାଙ୍କ ବିରୋଧରେ ଥିବା ମାମଲାର ତ୍ବରିତ ଶୁଣାଣି କରି ଫଇସଲା କରିବା ସହ ଏଥିପାଇଁ ସ୍ବତନ୍ତ୍ର ଅଦାଲତ ଗଠନ ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ନିଜଆଡୁ ହାଇକୋର୍ଟ ଏହି ମାମଲା ରୁଜୁ କରିଥିଲେ। ମାମଲାରେ ରାଜ୍ୟ ଗୃହ ସଚିବ, ଆଇନ ସଚିବ, ପୁଲିସ ଡିଜି, ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ଓ ଆବଶ୍ୟକ ଭିତ୍ତିଭୂମି ପ୍ରସଂଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ।

ସମ୍ବନ୍ଧିତ ଖବର