ନିଆଳି : କଟକ ଜିଲ୍ଲାର ନିଆଳିରେ ଆରମ୍ଭ ହୋଇଥିବା ନିଖିଳ ଉତ୍କଳ ଓଡ଼ିଶା ଇଜ୍‌ତମା ପାଇଁ ଗାହା ପଡ଼ିଆ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ଆଜି ପ୍ରଥମ ଦିନରେ ବିଭିନ୍ନ ପ୍ରାନ୍ତରୁ ୪୦ହଜାରରୁ ଅଧିକ ମୁସଲମାନ ଭାଇମାନେ ଏଠାରେ ପହଞ୍ଚିଛନ୍ତି। ଆସନ୍ତାକାଲି ଏଠାରେ ଆହୁରି ୫୦ ହଜାରରୁ ଉର୍ଦ୍ଧ ମୁସଲମାନ ଭାଇମାନେ ପହଞ୍ଚିବାର ସମ୍ଭାବନା ଥିବା ନେଇ ଇଜ୍‌ତମା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଜି ବିଭିନ୍ନ ସମୟରେ ପ୍ରାର୍ଥନା ସଭା ସହ ଧର୍ମ ଆଲୋଚନା ଅନୁଷ୍ଠିତ ହୋଇଥିଲା। ତିନିଦିନ ଧରି ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଆଜି ୨ଟି ସ୍ୱାସ୍ଥ୍ୟ ଶିବିର ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଦିବସର ବିଭିନ୍ନ ସମୟରେ ନିଆଳି ବିଧାୟକ ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ, ବିଡିଓ ସୟଦ୍‌ ଆରିଫ୍‌ ହୁସେନ୍‌, ତହସିଲଦାର ରଞ୍ଜନ କୁମାର ଜେନା, ‘ଆତ୍ମା’ର ଅଧ୍ୟକ୍ଷ ଆଦିତ୍ୟ ପାଣି, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସରୋଜ ପ୍ରଧାନ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନୃସିଂହ ଚରଣ ସ୍ୱାଇଁ, ଏସ୍‌ଡ଼ିପିଓ ଜିତେନ୍ଦ୍ର ଦଳାଇଙ୍କ ସମେତ ନିଆଳି ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା, ଓଲଟପୁର ଥାନା ଅଧିକାରୀ ତପନ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ନିଆଳିର ପ୍ରାୟ ଦେଢ଼ହଜାର ସ୍ୱେଚ୍ଛାସେବୀମାନଙ୍କ ସହିତ ବାହାର ଅଞ୍ଚଳରୁ ୫ଶହ ସ୍ୱେଚ୍ଛାସେବୀ ୧୩ଟି ଛକ ସ୍ଥାନମାନଙ୍କରେ ରହି ଟ୍ରାଫିକ୍‌ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବାରୁ ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ଚାଲୁରହିଛି। ଆଜି ପ୍ରାର୍ଥନା ସଭାରେ ୪୦ ହଜାରରୁ ଅଧିକ ମୁସଲମାନ ଭାଇମାନେ ଏକତ୍ର ପ୍ରାର୍ଥନା କରିଥିଲେ।