ଭୁବନେଶ୍ବର: ପୁଣି ଏକ ବଡ଼ଧରଣର ସାଇବର ଠକେଇ ସାମ୍ନାକୁ ଆସିଛି। ଭୁବନେଶ୍ବରରେ ଜଣେ ଆଇଟି ଏକ୍ସପର୍ଟ ଟ୍ରେଡିଂ ଆପ୍ରେ ପୁଞ୍ଜିନିବେଶ କରି ୧୮ ଲକ୍ଷ ଟଙ୍କା ହରାଇଛନ୍ତି। ଅଧିକ ଲାଭ ପାଇବାର ଲୋଭରେ ପଡ଼ି ଜଣେ ଆଇଟି ଏକ୍ସପର୍ଟଙ୍କ ଭଳି ବ୍ୟକ୍ତି ଏତେଗୁଡ଼ାଏ ଟଙ୍କା ସାଇବର ଠକଙ୍କ ହାତକୁ ଟେକିଦେବା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଚଳିତ ମାସ ୨୦ରୁ ଏପର୍ଯ୍ୟନ୍ତ ସାଇବର ଥାନାକୁ ଆସିଥିବା ଅଭିଯୋଗ ଅନୁସାରେ ୩ ବଡ଼ବଡ଼ ଠକେଇ ହୋଇଛି ଏବଂ ସବୁ ଠକେଇରେ ଉଚ୍ଚ ଶିକ୍ଷିତମାନେ ହିଁ ଶିକାର ହୋଇଛନ୍ତି। ଗତ ୩ ମାସର ତଥ୍ୟ ଅନୁସାରେ ସାଇବର ଠକମାନେ ଭୁବନେଶ୍ବରରୁ ୧୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି।
ଭୁବନେଶ୍ବରରେ ରହି ଏକ ସଫ୍ଟୱେୟାର୍ କମ୍ପାନିରେ କାମ କରୁଥିବା ଆଇଟି ଏକ୍ସପର୍ଟଜଣକ ଟ୍ରେଡିଂ ଆପ୍ରେ ପୁଞ୍ଜିନିବବେଶ କରିବାକୁ ଯାଇ ଏହି ଠକାମିର ଶିକାର ହୋଇଛନ୍ତି। ପ୍ରଥମେ ସେ ବିନିଯୋଗ ରାଶିର ୨ ଗୁଣା ରିଟର୍ଣ୍ଣ ପାଇବା ପରେ ଲୋଭଗ୍ରସ୍ତ ହୋଇପଡ଼ିଥିଲେ। ତେଣୁ ଗୋଟିଏ ପରେ ଗୋଟିଏ ଟାକ୍ସ ପୂରଣ କରି ଲାଭବାନ ହୋଇଥିଲେ। ସାଇବର ଠକ ରୢାକେଟ୍ ତାଙ୍କ ମନରେ ବିଶ୍ବାସ ଜନ୍ମାଇବା ପରେ ଶିକାର କରିବାକୁ ଜାଲ ବିଛାଇଛି ବୋଲି ସେ ବୁଝିପାରିନଥିଲେ। ଅଧିକ ଲାଭ ପାଇବାର ଲୋଭ ତାଙ୍କୁ ଏକପ୍ରକାର ଅନ୍ଧ କରିଦେଇଥିଲା। ତେଣୁ ସେ ଆଖିବୁଜି ପୁଞ୍ଜିନିବେଶ କରିଚାଲିଲେ। ସେପଟେ ତାଙ୍କ ଡିଜିଟାଲ୍ ୱାଲେଟ୍ରେ ବି ବିପୁଳ ଅର୍ଥ ରାଶି ଜମା ହୋଇଚାଲିଥିଲା। ମୂଳଧନ ଓ ଲାଭାଂଶ ମିଶି ପାଖାପାଖି ୧୦ ଲକ୍ଷ ଟଙ୍କା ହୋଇଯିବା ପରେ ସେ ଟଙ୍କା ଉଠାଇବାକୁ ଇଛା କରିଥିଲେ। କିନ୍ତୁ ହଠାତ୍ ତାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିଲା।
ସାଇବର ଠକ ଗ୍ୟାଙ୍ଗ୍ ତାଙ୍କୁ ପୁଣି ୮ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାଦ୍ବାରା ତାଙ୍କ ଆକାଉଣ୍ଟ ପୁଣି ସଚଳ ହେବ ଏବଂ ଟଙ୍କା ଉଠାଣର ପ୍ରୋସେସିଂ ପରେ ତାଙ୍କୁ ସବୁ ଟଙ୍କା ଫେରସ୍ତ ଦିଆଯିବ ବୋଲି କୁହାଯାଇଥିଲା। ତେଣୁ ସେ ଯୋଗାଡ଼ କରି ପୁଣି ୮ ଲକ୍ଷ ଟଙ୍କା ଅନ୍ଲାଇନ୍ରେ ପଇଠ କରିଥିଲେ। ଏହାପରେ ତାଙ୍କୁ ପୂରା ନେଟ୍ୱର୍କରୁ ବାହାର କରି ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ଚଳିତ ମାସ ୨୦ ତାରିଖରେ ଜଣେ ୯୦ ଲକ୍ଷ ଓ ୨୩ ତାରିଖରେ ଜଣେ ୧ କୋଟି ୪୦ ଲକ୍ଷ ଟଙ୍କା ହରାଇଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ଏବେ କ୍ରାଇମ୍ବ୍ରାଞ୍ଚର ସାଇବର ୟୁନିଟ୍ ଏହି ୨ ମାମଲାର ତଦନ୍ତ କରୁଛି।