ମହାବାତ୍ୟାକୁ ପୂରିଲା ୨୨ ବର୍ଷ: ଏବେ ବି ଅସଜଡ଼ା ଏରସମା, ନିର୍ମାଣ ହୋଇପାରିନି ବାତ୍ୟା ଆଶ୍ରୟସ୍ଥଳ

ସର୍ବାଧିକ ମୃତ୍ୟୁ ଦେଖିଥିବା ଦହିବର, ନଳଭେଡ଼ିକୁ ରାସ୍ତା ନାହିଁ

ସୁଶୀଲ କୁମାର ମହାନ୍ତି
ଏରସମା: ୧୯୯୯, ଅକ୍ଟୋବର ୨୯ ମହାବାତ୍ୟାକୁ ଆସନ୍ତାକାଲି ପୂରିବ ୨୨ ବର୍ଷ। ସର୍ବାଧିକ କ୍ଷତି ସହିଥିବା ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳ‌ ଏବେ ବି ଅସଜଡ଼ା। ଏରସମାର ଦହିବର ଓ ନଳଭେଡ଼ି ଗାଁ ଦେଖିଥିଲା ସେହି ମହାପ୍ରଳୟରେ ସର୍ବାଧିକ ମୃତ୍ୟୁ। ଗଡ଼ବିଷୁନପୁର ପଂଚାୟତର ନଳଭେଡି ଗାଁରେ ୪୫୦ ଲୋକଙ୍କ ଭିତରୁ ୩ ଶହ ଭାସି ଯାଇଥିଲେ ମହାବାତ୍ୟାର ସମୁଦ୍ର ଜୁଆରରେ। କିନ୍ତୁ ଏଯାଏ ବି ଏହି ଅଞ୍ଚଳକୁ ପକ୍କା ରାସ୍ତା ହୋଇପାରିଲା ନାହିଁ। ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହୋଇପାରିଲାନି କି ଭଙ୍ଗା ଚାଳିଆ ଛାତ ହୋଇପାରିଲା ନାହିଁ।

ପ୍ରତିବର୍ଷ କେବଳ ଶୋକପାଳନରେ ଯେମିତି ଅଟକି ଯାଇଛି ସବୁ କିଛି। ନଳଭେଡ଼ି ଗାଁ ଶେଷ ମୁଣ୍ଡରେ ଥିବା ଦଲଦଲି ପୋଲ ଏଯାଏ ବି ସଜଡ଼ା ହୋଇ ନାହିଁ। ମହାବାତ୍ୟାରୁ ବର୍ତ୍ତି ଜୀବନ ବିକଳରେ ପରଦିନ ଗାଁରୁ ବାହାରି ନିକଟସ୍ଥ ଖଟିକୋଳଦା ଗାଁକୁ ଅଣ୍ଟାଏ ପାଣିରେ ପଶି ପିଲାଛୁଆଙ୍କୁ କାନ୍ଧରେ ବସାଇ ବାହାରିଥିବା ତିନି ପରିବାରର ବାର ଜଣ ଲୋକ ଦଲଦଲି ପୋଲ ଦେଇ ଆରପଟକୁ ଯିବାକୁ ବାହାରିଥିଲେ। କିନ୍ତୁ ପୋଲଟି ଅଧା ଭାସି ଯାଇଥିବା ଜାଣି ନ ପାରି ସେଥିରେ ଖସିପଡ଼ି ୮ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ବିଶ୍ବନାଥ ଦାସ, କବିତା ଭୁୟାଁ ଓ ଦୁଇ ଜଣ ଛୋଟପିଲା (୧୪) ବଂଚି ଯାଇଥିଲେ। ସେହି ପୋଲରେ ସ୍ଲାବ୍‌ ପକାଇ ପ୍ରଶାସନ ଦାୟିତ୍ବ ଶେଷ କରି ଦେଇଛି। ପୋଲ କିନ୍ତୁ ସଜଡ଼ା ହୋଇନି। ବିଶ୍ବନାଥଙ୍କ କହିବା ଅନୁଯାୟୀ ପ୍ରଶାସନ ନିକଟରେ ଯେତେ ଗୁହାରି କଲେ ମଧ୍ୟ ଏବେ ବି ଗାଁକୁ ଭଲ ରାସ୍ତା, ବାତ୍ୟା ଆଶ୍ରୟସ୍ଥଳ ହୋଇପାରିଲା ନାହିଁ।

ପିଇବା ପାଣି କଥା ପଚାରେ କିଏ। ମହାବାତ୍ୟା ପୂର୍ବରୁ ଗାଁର ଅବସ୍ଥା ଯାହାଥିଲା ଏବେ ସେହି ଅବସ୍ଥା ବୋଲି ନୂଆ ଜୀବନ ପାଇ ଦିନ କାଟୁଥିବା ଚନ୍ଦନ କରଣ, ଧନଞ୍ଜୟ ପାତ୍ର, ଚିତ୍ତ ମାଇତି, ଅଶୋକ ମଣ୍ତଳ, ନନ୍ଦ ଭୌମିକ ପ୍ରମୁଖ କୁହନ୍ତି। ଏରସମା ବ୍ଲକ୍‌ ଗଡ଼ବିଷୁନପୁର ପଂଚାୟତର ଅଧିକ କ୍ଷତିଗ୍ରସ୍ତ ଦାସମଠ ଗାଁର ଅନେକ ଲୋକ ଏବେ ବି ଭଙ୍ଗା ଚାଳିଆରେ ଦିନ କାଟୁଛନ୍ତି। ପିଇବାକୁ ଭଲ ପାଣି ଟୋପେ ନାହିଁ। ବାତ୍ୟା ଆସିଲେ ୪ କିମି ଦୂର ଗଡ଼ବିଷୁନପୁର ପଂଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି। ଗାଁକୁ ରାସ୍ତା ନାହିଁ। ମହାବାତ୍ୟା ପରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କେତେକ ଘର ଯୋଗାଇ ଦିଆଯାଇଥିଲା। ସେଗୁଡ଼ିକ ଭାଙ୍ଗିଗଲାଣି। ଏବେ ବି ଗାଁର ନାରାୟଣ ସିଂ, ବରୁଣ ସିଂ, ପୂନ ସିଂ, ବଳରାମ ମଣ୍ତଳ, ମିଥୁନ ମଣ୍ତଳ, ନିମାଇଁ ମଣ୍ତଳ, ଦୀପକ ମଣ୍ତଳ, ପ୍ରବୀର ଦାସ ଭଳି ଅନେକ ଲୋକ ଭଙ୍ଗା ଚାଳ ଘରେ ରହୁଛନ୍ତି। ଗାଁରେ ପିଇବା ପାଇଁ ଦୁଇଟି ନଳକୂପ ଥିଲେ ମଧ୍ୟ ସେଥିରୁ ଲୁଣିପାଣି ବାହାରୁଛି। ଗାଁକୁ ଭଲ ରାସ୍ତା, ବାତ୍ୟା ଆଶ୍ରୟସ୍ଥଳ ଓ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାପାଇଁ ଦୀପକ ଦାସ, ଆନନ୍ଦ ମାଇତି ପ୍ରମୁଖ ଦାବି କରିଛନ୍ତି। ୨୨ ବର୍ଷ ତଳେ ମହାବାତ୍ୟାରେ କ୍ଷତିଗ୍ରସ୍ତ ଏରସମା ବ୍ଲକର ଅଧିକାଂଶ ରାସ୍ତାଗୁଡ଼ିକର ପୁନରୁଦ୍ଧାର କରାଯାଇ ନଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଜପା ପଂଚାୟତରେ ମହାବାତ୍ୟାରେ ୨୨୦୦ ଲୋକଙ୍କ ଜୀବନ ଯାଇଥିଲା। ପଂଚାୟତର ରାସ୍ତା ସମସ୍ୟା ଏତେ ଗୁରୁତର ଯେ ସେଠାକୁ ଆମ୍ବୁଲାନ୍ସ ବି ଯାଇପାରୁନି। ଝାଟିପାରି ଖୋଳପ, ଦହିବର, ସୁନାଢ଼ିହାରେ ୩୬୦ ପରିବାର ଜଙ୍ଗଲ ଜମିରେ ଭଙ୍ଗା ଚାଳ ଘରେ ବସବାସ କରୁଥିବା ବେଳେ ସେମାନଙ୍କୁ ସରକାରୀ ଆବାସ ଯୋଗାଇ ଦିଆଯାଇ ନାହିଁ।

ଦହିବର ଗ୍ରାମରେ ୫୬୦ ଜଣ ମୃତ୍ୟୁ ବରଣ କରିଥିଲେ। ଏ ସମ୍ପର୍କରେ ସ୍ଥାନୀୟ ସରପଂଚ ତପନ ଗଛାୟତ କୁହନ୍ତି ଯେ ବ୍ଲକ ପ୍ରଶାସନ ତାଙ୍କ ପଂଚାୟତକୁ ଅଣଦେଖା କରିବା ସହିତ ପିଇବା ପାଣି, ରାସ୍ତା, ସରକାରୀ ଆବାସ ଯୋଗାଇବାରେ ପାତରଅନ୍ତର କରୁଛି। କିନ୍ତୁ ମହାବାତ୍ୟା ମହାପ୍ରଳୟର ଚିହ୍ନ ଲିଭାଇବାକୁ ଅଞ୍ଚଳକୁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ, ତାହା ଏବେ ଅଞ୍ଚଳବାସୀ ପ୍ରଶ୍ନ କରୁଛନ୍ତି।

ସମ୍ବନ୍ଧିତ ଖବର