୨୪ ଦିନ ହେଲା ଧାନ ବିକ୍ରି ଟଙ୍କା ମିଳୁନି    

ଯାଜପୁରଟାଉନ/ସଦର: ଯାଜପୁର ଜିଲ୍ଲାର ଧାନମଣ୍ଡିରେ ବ୍ୟାପକ ସମସ୍ୟା ରହିଛି। ଚାଷୀ ଦଲାଲଙ୍କ ଯନ୍ତାରେ ପଡ଼ିଥିବାବେଳେ ଧାନ ବିକ୍ରି ସମୟରେ ଶୋଷ​ଣର ଶିକାର ହେଉଛି। ଏନେଇ ଯାଜପୁର ଜିଲ୍ଲାପାଳ କିଛିଦିନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ଅସମର୍ଥ ହୋଇଛନ୍ତି ବୋଲି ନବନିର୍ମାଣ କୃଷକ ସଂଗଠନ ଅଭିଯୋଗ ଉଠାଇଛି।

ଧାନ ମଣ୍ଡିରେ ସ୍ୱଚ୍ଛତା ରକ୍ଷା କରାଯିବ। ଚାଷୀର ଧାନ ଏକ ଗ୍ରାମ୍‌ କଟାଯିବ ନାହିଁ ବୋଲି ଯାଜପୁର ଜିଲ୍ଲାପାଳଙ୍କ ନିର୍ଦେଶକୁ ମଣ୍ଡି କି ମିଲ୍‌ ମାଲିକ କେହି ମାନୁ ନାହାନ୍ତି। କଟ୍‌ନିଛଟ୍‌ନିର ମାତ୍ରା ଏତେ ବ୍ୟାପକ ଯେ ଯାଜପୁର ଜିଲ୍ଲାରୁ ପ୍ରତିଦିନ ଲକ୍ଷାଧିକ ଟଙ୍କାର ଧାନ ଚାଷୀଙ୍କଠାରୁ ଲୁଟ୍ କରାଯାଉଛି ବୋଲି ନବନିର୍ମାଣ କୃଷକ ସଂଗଠନ ଅଭିଯୋଗ କରିଛି। ଏନେଇ ସଂଗଠନ ପକ୍ଷରୁ ଯାଜପୁର ଟାଉନ ନିକଟସ୍ଥ ଗଣେଶ ପ୍ୟାଲେସଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ ସୂଚନା ଦେଇଛନ୍ତି। ୧୫ଦିନ ତଳେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ମଣ୍ଡିରେ ଧାନ କଟାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାହା ପାଳନ କରାଯାଉନି। ମଣ୍ଡିରେ କଟ୍‌ନିଛଟ୍‌ନି କରାଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି।

ଧର୍ମଶାଳା ବ୍ଲକର ମହିସରା ପ୍ୟାକ୍ସରେ ମୋଟ ୭ଜଣ ଚାଷୀଙ୍କର ୨୧୭ କୁଇଣ୍ଟାଲ ୨୫ କିଗ୍ରା ଧାନ ମିଲ୍‌କୁ ପଠାଯାଇଥିବା ସମ୍ପର୍କରେ ଡିପି କମ୍ ଗେଟ୍ ପାସ୍‌ରେ ଉଲ୍ଲେଖ ରହିଛି। ମିଲର ସେଥିରୁ ୮ କୁଇଣ୍ଟାଲ ୯୩ କିଗ୍ରା କାଟି ୨୦୮ କୁଇଣ୍ଟାଲ ୩୨ ଗ୍ରାମର ହିସାବ ଦେଇଛନ୍ତି। କୁଇଣ୍ଟାଲ ପ୍ରତି ହାରାହାରି ୪ କିଲୋ ୨୦୦ ଗ୍ରାମ୍‌ ଧାନକୁ କଟାଯାଇଛି। ସେହିପରି ଆରୁହା ଧାନମଣ୍ଡିର ପରିଚାଳକ ମଣ୍ଡିରେ ନକିଣି ଚାଷୀଙ୍କୁ ସିଧାସଳଖ ମିଲ୍‌କୁ ଲିଖିତ ଚିଠା ଦେଇ ପଠାଇ ଦେଉଛନ୍ତି। ଏଥିରେ ପ୍ରଶାସନର ତ୍ରୁଟି ରହିଛି। ମହାବଳୀ ରାଇସ୍ ମିଲରେ ଚାଷୀଙ୍କ ଧାନ ପାଖାପାଖି ୬ କିଗ୍ରା କଟାଯାଉଛି। ଗୋଳକୁଣ୍ଡ ମଣ୍ଡିରେ ରାତି ୧୧ଟାରେ ଧାନ କିଣା ଆରମ୍ଭ କରାଯାଉଥିବା, ରତ୍ନଗିରିରେ ଧାନ କିଣାନଯିବା, ଚଇନପୁରରେ ଶହଶହ ବସ୍ତା ଧାନ ପଡ଼ି ରହିବା ଭଳି ସମସ୍ୟା ଲାଗି ରହିଛି। ଚାଷୀ ମଣ୍ଡିରେ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଖାତାକୁ ଅର୍ଥ ଯିବ ବୋଲି ସରକାର କହିଥିଲେ ମଧ୍ୟ ୨୪ଦିନ ବିତିଗଲାଣି ଚାଷୀଙ୍କ ଖାତାକୁ ଟଙ୍କା ଯାଉନଥିବା ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେଲେ ନବ ନିର୍ମାଣ କୃଷକ ସଂଗଠନ ଆଗାମୀ ଜିଲ୍ଲା ମହୋତ୍ସବରେ ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅଶୋକ ଶାନ୍ତି, ଦିଲ୍ଲୀପ ଶଙ୍କର ବେହେରା, ମାଧବାନନ୍ଦ ଶାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର