କଟକ: ରାଜ୍ୟ ଅବକାରୀ ବିଭାଗରେ ୨୧ ଶହ ୯୫ କର୍ମଚାରୀଙ୍କ ଗ୍ରେଡ୍ ପେ’ ୩୯ ବର୍ଷ ହେବ ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇବାରେ ଲାଗିଛି। ୧୯୮୫ ପରଠାରୁ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ଗ୍ରେଡ୍ ପେ’ ତୁଳନାରେ ଅବକାରୀ ବିଭାଗର କର୍ମଚାରୀଙ୍କ ଗ୍ରେଡ୍ ପେ’ ୫୦ ଟଙ୍କାରୁ ଏବେ ୧୪ ଶହ ଟଙ୍କା ବ୍ୟବଧାନ ହେଲାଣି। ଆର୍ଥିକ ସ୍ଥିତିରେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ବଳ କରିବା ପଛରେ ଏହା ଏକ ପ୍ରକାର ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହେଉଛି।
ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ଓଡ଼ିଶା ପୁଲିସ ସମେତ ଅଗ୍ନିଶମ, ଜଙ୍ଗଲ, ଜେଲ, ଓଜନ ଓ ମାପ ବିଭାଗ ଏବଂ ଅବକାରୀ ବିଭାଗରେ ଏସ୍ପି ପାହ୍ୟାରୁ କନଷ୍ଟେବଳ ଯାଏ ମିଳୁଥିବା ଗ୍ରେଡ୍ ପେ’ ରେ ବଡ଼ ଧରଣର ପାତରଅନ୍ତର ସୃଷ୍ଟି ହୋଇଛି। ଗ୍ରେଡ୍ ପେ’ ମିଳିବାରେ ସବୁଠାରୁ ପଛରେ ପଡ଼ିଯାଇଛି ଅବକାରୀ ବିଭାଗ। ପୁଲିସ ବିଭାଗର ଜଣେ ଅତିରିକ୍ତ ଏସପିଙ୍କ ଗ୍ରେଡ୍ ପେ’ ୫ହଜାର ୮ଶହ ରହୁଥିବା ବେଳେ ଅବକାରୀ ଏସ୍ପିଙ୍କ ୫ହଜାର ୪ଶହ, ପୁଲିସ ଡିଏସ୍ପିଙ୍କ ୫ହଜାର ୪ଶହ ଏବଂ ଅବକାରୀ ଡିଏସପିଙ୍କ ୪ହଜାର ୬ଶହ, ପୁଲିସ ଇନସ୍ପେକ୍ଟରଙ୍କ ୪ହଜାର ୬ ଶହ ଓ ଅବକାରୀ ଇନସ୍ପେକ୍ଟରଙ୍କ ୪ହଜାର ୨ଶହ, ପୁଲିସ ଏସଆଇଙ୍କ ୪ହଜାର ୨ଶହ ରହୁଥିବା ବେଳେ ଅବକାରୀ ଏସଆଇଙ୍କ ୨ ହଜାର ୮ଶହ, ପୁଲିସ ଏଏସଆଇଙ୍କ ୨ହଜାର ୮ ଶହ ଏବଂ ଅବକାରୀ ଏଏସଆଇଙ୍କ ୨ହଜାର ୪ ଶହ, ପୁଲିସ କନଷ୍ଟେବଳଙ୍କ ୨ହଜାର ୨ଶହ ରହୁଥିବା ବେଳେ ଅବକାରୀ କନଷ୍ଟେବଳଙ୍କ ୧ହଜାର ୯ଶହ ଟଙ୍କା ରହୁଛି।
ବ୍ରିଟିସ୍ ଅମଳରୁ ଅବକାରୀ ବିଭାଗର ଗ୍ରେଡ୍ ପେ’ ଓଡ଼ିଶା ପୁଲିସଠାରୁ ଅଧିକ ଥିଲା। ରାଜ୍ୟ ସରକାରଙ୍କ ପାଇଁ ଅବକାରୀ ବିଭାଗ ରାଜସ୍ବ ଆଦାୟରେ ଏକ ପ୍ରମୁଖ ଉତ୍ସ ଥିବାରୁ ଅଧିକ ଗ୍ରେଡ୍ ପେ’ ମିଳୁଥିଲା। କିନ୍ତୁ ୧୯୮୫ ସମୟ ପରଠାରୁ ଚିତ୍ର ବଦଳିଗଲା। ତତ୍କାଳୀନ ରାଜ୍ୟ ସରକାର ଅବକାରୀ ବିଭାଗ ଗ୍ରେଡ୍ ପେ’ରେ ହ୍ରାସ କରି ଦେଇଥିଲା। ଅବକାରୀ ବିଭାଗ ଓ ଅନ୍ୟ ବିଭାଗ ତୁଳନାରେ ୫୦ ଟଙ୍କା ଗ୍ରେଡ୍ ପେ’ ବ୍ୟବଧାନ ହୋଇଥିଲା। ସେବେଠାରୁ ଅବକାରୀ ବିଭାଗ ଗ୍ରେଡ୍ ପେ’ ବ୍ୟବଧାନ ୫୦ ଟଙ୍କାରୁ ଯାଇ ୧୪ ଶହ ଟଙ୍କାରେ ପହଞ୍ଚିଲାଣି। ୨୦୦୬ରେ ଦେଶରେ ଷଷ୍ଠ ବେତନ କମିସନ ଲାଗୁ ହେବା ପରେ ଓଡ଼ିଶା ସରକାର ଏକ ଫିଟମେଣ୍ଟ କମିଟି ଗଠନ କଲେ। ୨୦୦୯-୧୦ରେ ଅବକାରୀ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ପୁଲିସ ସହିତ ଅବକାରୀ ବିଭାଗର ଗ୍ରେଡ୍ ପେ’ ସମାନ କରିବାକୁ ତତ୍କାଳୀନ ନବୀନ ସରକାରଙ୍କ ନିକଟରେ ଦାବି ଉପସ୍ଥାନ କରାଯାଇଥିଲା। ଯୁକ୍ତିରେ ଉଲ୍ଲେଖ ଥିଲା ଯେ ଅବକାରୀ ବିଭାଗର ଅଧିକାରୀ ଅବକାରୀ ଆଇନ ଓ ଏନଡିପିଏସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ ସହିତ ରାଜସ୍ବ ଆଦାୟ ଅଧିକାରୀ ଭାବେ କାମ କରୁଛନ୍ତି। ଅବକାରୀ ବିଭାଗ ରାଜ୍ୟରେ ଖଣି ପରେ ରାଜସ୍ବ ଆଦାୟରେ ଦ୍ବିତୀୟ ସ୍ଥାନରେ ରହୁଥିବା ନେଇ ଦାବିରେ ଉଲ୍ଲେଖ ଥିଲା।
ସେହିପରି ଓଡ଼ିଶାରେ ମଦ ମୃତ୍ୟୁ ମାମଲାରେ ବିଭିନ୍ନ ସମୟରେ ନାଇଡ଼ୁ କମିସନଙ୍କଠାରୁ ଆରମ୍ଭ କରି ପାତ୍ର କମିସନ ଯାଏ ଓଡ଼ିଶା ପୁଲିସ ସହିତ ଅବକାରୀ ବିଭାଗର ଅଧିକାରୀଙ୍କ ଗ୍ରେଡ୍ ପେ’ ସମାନ କରିବାକୁ ସୁପାରିସ କରିଥିଲେ। ୨୦୨୨ ସେପ୍ଟେମ୍ବରରେ ଅବକାରୀ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ଅବକାରୀ କମିସନର ଓ ଅବକାରୀ ବିଭାଗର ମୁଖ୍ୟ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ତତ୍କାଳୀନ ନବୀନ ସରକାରଙ୍କ ଏହି ବିଭାଗ ଦାବି ଉପରେ କୌଣସି ନିଷ୍ପତ୍ତି ନେଲେନାହିଁ। ଏବେ ବିଜେପି ରାଜ୍ୟରେ ସରକାର ଗଢ଼ିବାକୁ ଯାଉଥିବା ବେଲେ ଦୀର୍ଘ ୩୯ ବର୍ଷର ନିର୍ଯାତନାରେ ଅତିଷ୍ଠ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଦାବି ସମାଧାନକୁ ନେଇ ପୁଣି ଥରେ ଆଶା ସଞ୍ଚାର ହୋଇଛି।