୭ ବର୍ଷ ହେଲା ଦେଶୀ ବିହନ ସଂଗ୍ରହ, ଚାଷୀ ପଞ୍ଜୀକରଣ ବନ୍ଦ: କୃଷି ବିଭାଗର ଅବହେଳା ନା ଗବେଷଣା ସଂସ୍ଥାର ଲବି

ପ୍ରାକୃତିକ ବିପର୍ଯ୍ୟୟ ସହଣି ବିହନ ଗବେଷଣାକୁ ଅନାଗ୍ରହ

ଭୁବନେଶ୍ବର: ସଙ୍କଟରେ ବିହନ। ୭ ବର୍ଷ ହେଲା ଦେଶୀ ବିହନ ସଂଗ୍ରହ ଏବଂ ଚାଷୀଙ୍କ ନାମ ପଞ୍ଜୀକରଣକୁ ବନ୍ଦ କରି ଦେଇଛନ୍ତି ରାଜ୍ୟ ସରକାର। ଏଥିଯୋଗୁଁ ପ୍ରଥମତଃ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିପାରୁଥିବା ବିଭିନ୍ନ ପ୍ରକାର ବିହନ ଉପଲବ୍ଧ ରହିଛି କିନ୍ତୁ ଚାଷୀଙ୍କ ପାଖକୁ ପହଞ୍ଚି ନପାରିବାରୁ ସେମାନେ ଚାଷରେ କ୍ଷତିଗ୍ରସ୍ତ ହେଉଛନ୍ତି। ଦ୍ବିତୀୟତଃ କମଳା ପୂଜାରୀଙ୍କ ଭଳି ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ଚାଷୀ କଳାଜିରା ଭଳି ପାରମ୍ପରିକ ତଥା ମୂଲ୍ୟବାନ ବିହନ ସଂରକ୍ଷଣ କରି ରଖୁଛନ୍ତି ହେଲେ ଏହାର ଆର୍ଥିକ ଲାଭ ଗବେଷଣା ସଂସ୍ଥା ନେଉଛନ୍ତି। ଏହା ପଛରେ ବିହନ କମ୍ପାନି କିମ୍ବା ଗବେଷଣା ସଂସ୍ଥାର ଲବି କି ଅବହେଳା ରହିଛି କି? କାହିଁକି କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଶେଷଜ୍ଞଙ୍କ ମତ ଅନୁସା‌ରେ, ଦେଶରେ ଯେତେ ଅଧିକ ଉତ୍ପାଦନକ୍ଷମ ଏବଂ ହାଏବ୍ରିଡ ବିହନ ଉତ୍ପାଦନ ହେଲେ ମଧ୍ୟ ଏହାର ମୂଳରେ ରହିଛି ଦେଶୀ ବିହନ। ଦେଶୀ ବିହନ ମରିଗଲେ ଚାଷ ସରିଯିବ। ଏଥିଯୋଗୁଁ ଯେଉଁ ଚାଷୀ ପାରମ୍ପରିକ ବିହନକୁ ପିଢିପିଢି ଧରି ସଂରକ୍ଷିତ କରି ରଖିଛନ୍ତି ତାଙ୍କ ପାଖରେ ସମସ୍ତେ କୃତଜ୍ଞ। ଏହି ଚାଷୀଙ୍କ ସରଳତାର ଲାଭ ଉଠାଇ କମ୍ପାନି ଏବଂ ଗବେଷଣା ସଂସ୍ଥାର ଗବେଷକମାନେ ବିହନ ଆଣୁଛନ୍ତି ଏହାକୁ ପ୍ୟାକେଜିଂ କରି ନିଜ ନାମରେ ବ୍ୟବସାୟ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୦୫ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ଭିଦ କିସମ ସଂରକ୍ଷଣ ଅଧିକାର ଅଧିନିୟମ ଅଣାଯାଇଥିଲା। ଏଥି ଅନ୍ତର୍ଗତରେ ଯେଉଁ ଚାଷୀ ଯେଉଁ ବିହନ ସଂରକ୍ଷିତ କରି ରଖିଛନ୍ତି ତାର ଶ୍ରେୟ ତାଙ୍କୁ ମିଳିବ। ୨୦୧୦ ମସିହାରେ ଓଡ଼ିଶା କୃଷି ବିଭାଗ ପକ୍ଷରୁ ଦେଶୀ ବିହନ ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଥିଲା। ସହକାରୀ କୃଷି ଅଧିକାରୀଙ୍କ ନେତୃତ୍ବରେ ଗଠିତ ଟିମ୍‌ ରାଜ୍ୟର ୨୯ ଜିଲ୍ଲା ବୁଲି ରାଜ୍ୟରେ ଥିବା ମୂଲ୍ୟବାନ ୧୨୦୦ ଦେଶୀ ବିହନ ସଂରକ୍ଷଣ କରିଥିଲେ। ୭୩୦ ବିହନ ବିଭିନ୍ନ ଚାଷୀଙ୍କ ନାମରେ ବ୍ୟାଙ୍କରେ ପଞ୍ଜୀକୃତ ହେଲା। କୃଷି ବିଭାଗର ଏହି କାର୍ଯ୍ୟ ବିଭିନ୍ନ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିଥିଲା। ଏହି କାର୍ଯ୍ୟକୁ ସହଯୋଗ ମଧ୍ୟ ମିଳିଲା। ଏପରିକି ଚାଷୀମାନେ ମଧ୍ୟ ନିଜ ସଂରକ୍ଷିତ ବିହନକୁ ବିନା ମୂଲ୍ୟରେ ରାଜ୍ୟ ସରକାରଙ୍କୁ ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଅଚାନକ ୨୦୧୫ ମସିହା ପରେ ବିହନ ସଂରକ୍ଷଣ କାର୍ଯ୍ୟକୁ ବନ୍ଦ କରି ଦିଆଗଲା। ଏଥିପ୍ରତି ଗୁରୁତ୍ବ ମଧ୍ୟ ଦିଆଗଲା ନାହିଁ।

ବିହନ ସଂରକ୍ଷକ ଚାଷୀଙ୍କ ଅନୁସାରେ, ଚାନ୍ଦବାଲି ସମେତ ଉପକୂଳବର୍ତ୍ତୀ ଜିଲ୍ଲାରୁ ସଂଗୃହୀତ କିଛି ବିହନ ଲୁଣପାଣି ସହଣି, ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ବିହନ ମରୁଡ଼ି ସହଣି, ରାଜ୍ୟର ଆଉ କିଛି ଅଞ୍ଚଳରୁ ସଂଗୃହୀତ ବିହନ ବନ୍ୟା ସହଣି ଅଟେ। ଏଥିସହିତ ଆଉ କିଛି ପ୍ରକାର ବିହନରେ ଔଷଧୀୟ ଗୁଣ ମଧ୍ୟ ରହିଛି। ଅର୍ଥାତ ଏହି ବିହନଗୁଡ଼ିକୁ ସଂରକ୍ଷିତ କରିବା ସହିତ ଏହାର ଗବେଷଣା କରିପାରିଲେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ବିହନ ଯୋଗାଇଲେ ସେମାନେ ବଡ଼ ଧରଣର କ୍ଷତିରୁ ରକ୍ଷା ପାଆନ୍ତେ। ଗତବର୍ଷ ମେ’ ମାସରେ ଉପକୂଳବର୍ତ୍ତୀ ଜିଲ୍ଲାର ଅନେକ ଚାଷୀ ଲୁଣପାଣି ସହଣି ବିହନ ଦେବା ପାଇଁ ରାଜ୍ୟ କୃଷି ବିଭାଗକୁ ଅନୁରୋଧ କରିଥିଲେ। ମାତ୍ର ଏଭଳି ବିହନ ରାଜ୍ୟ ସରକାରଙ୍କ ପାଖରେ ନଥିବାରୁ ଦେଇପାରିଲେ ନାହିଁ। ଲୁଣି ପାଣିର କ୍ଷତି ସହିପାରୁଥିବା ଶକ୍ତି ଦେଶୀ ବିହନ ପାଖରେ ରହିଛି। ରାଜ୍ୟ ସରକାର ଏହାର ଗବେଷଣା କରିଥିଲେ ଚାଷୀଙ୍କ ସମସ୍ୟା ସମାଧାନର ଆଶା ରହିଥିଲା। ମାତ୍ର ଏ ସଂକ୍ରାନ୍ତରେ କୌଣସି କାର୍ଯ୍ୟ ହେଉନଥିବା ଅଭିଯୋଗ ହୋଇଛି। ଓୟୁଏଟି ମଧ୍ୟ ଏହି ଦିଗରେ ଦୃଷ୍ଟି ଦେଉନଥିବା ଅନେକ ବିଶେଷଜ୍ଞ କହନ୍ତି। ସେହିଭଳି ଦେଶୀ ବିହନ କହିଲେ କେବଳ ଧାନ ନୁହେଁ। ମୁଗ, ବିରି ଭଳି ଡାଲିଜାତୀୟ, ପରିବାର ପାରମ୍ପରିକ ଦେଶୀ ବିହନ ରହିଛି। ଯାହା ସ୍ବାସ୍ଥ୍ୟ ପକ୍ଷରେ ହିତକର। ଏହାର ସଂରକ୍ଷଣ କରାଯାଇ ନାହିଁ। ବିଶେଷଜ୍ଞଙ୍କ ଅନୁସାରେ, ଏହି ଫସଲର ଦେଶୀ ବିହନ ସଂରକ୍ଷିତ କରି ରଖିଲେ ବିହନ ସଙ୍କଟର ମୁକାବିଲା କରାଯାଇ ପାରିବ। ଏଥିପ୍ରତି ରାଜ୍ୟ ସରକାର କେବେ ଦୃଷ୍ଟି ଦେବେ ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର