ବୁଗୁଡ଼ା(ଅନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଚଢ଼ିଆପଦର ଗ୍ରାମରେ ରହୁଥିବା ୩୦ ମୁସଲିମ ପରିବାର ପିଢ଼ି ପରେ ପିଢ଼ି ପଥରରୁ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିଆସୁଛନ୍ତି। ଇତିମଧ୍ୟରେ ଦୀର୍ଘ ୧୦୦ ବର୍ଷରୁ ଅଧିକ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେମାନେ ନିଜର କୌଳିକ ବୃତ୍ତିକୁ ଛାଡ଼ିପାରିନାହାନ୍ତି। ଏପରିକି କୌଣସି ପରିବାରର ଜଣେ ହେଲେ ସଦସ୍ୟ କେବେ ଦାଦନ ଖଟିବାକୁ ଯାଇନାହାନ୍ତି। ପରିଶ୍ରମ ତୁଳନାରେ ଆଶାନୁରୂପ ଆୟ ହେଉନି। ତଥାପି ସେମାନେ ଭଲ ରୋଜଗାର ଆଶାରେ କୌଳିକ ବୃତ୍ତିକୁ ଗ୍ରହଣ କରିଆସୁଛନ୍ତି।

Advertisment

ବୁଗୁଡ଼ା ସହରଠୁ ମାତ୍ର ୩ କିଲୋମିଟର ଦୂର ଚଢ଼ିଆପଲ୍ଲୀ ଗ୍ରାମ ପାହାଡ଼ରେ ଥିବା କଳାମୁଗୁନି ପଥରରୁ ତିଆରି ଶିଳ, ଘୋରଣା ଓ ପେଷଣାର ବେଶ୍ ଚାହିଦା ରହିଛି। ଫଳରେ ଜଣେ ମୁସଲିମ ବ୍ୟକ୍ତି ଏବଂ ତାଙ୍କର ୪ ପୁଅ ଫକୀର, ନବାବ, ଶେଖ୍ ଓ ପାଣ୍ଡୱ ଓ ପରିବାର ସହ ଏଠାରେ ଆସି ରହିବା ସହ ଉକ୍ତ ପାହାଡ଼ରୁ ପଥର ଆଣି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ପରେ ଏହାର ଚାହିଦା ବଢ଼ିବାରେ ଲାଗିଥିଲା। ଉକ୍ତ ବ୍ୟକ୍ତିଙ୍କୁ ସମସ୍ତେ ‘ବିନ୍ଧାଣି ବୁଢ଼ା’ ବୋଲି ସମ୍ବୋଧନ କରୁଥିଲେ। ରୋଜଗାର ଭଲ ହେବାରୁ ଆଉ ଜଣେ ମୁସଲିମ ବ୍ୟକ୍ତି ଏଠାକୁ ଆସିଥିଲେ। ଏଭଳି ଭାବେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପରିବାର ଏଠାକୁ ଆସି ବସତି ସ୍ଥାପନ କରିବା ସହ ପଥରରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ଗ୍ରାମରେ ୩୦ ମୁସଲିମ ପରିବାର ରହୁଛନ୍ତି। ପିଲାଠୁ ଆରମ୍ଭ କରି ବୁଢ଼ା ପ୍ରତିଟି ସଦସ୍ୟ ଏହି ବୃତ୍ତି ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ । ଜଣେ ପରିବାର ସାହି ଭିତରେ ଚିକେନ୍ ଦୋକାନ ବି କରିଛନ୍ତି।
ପ୍ରତିଦିନ ପଥରଶିଳ, ଘୋରଣା ଓ ପେଷଣା ତିଆରି କାମରେ ପରିବାରର ସମସ୍ତ ସଦସ୍ୟ ସାମିଲ ହୁଅନ୍ତି। ପିଲାଦିନରୁ ସମସ୍ତେ ଏହି କଳା ଶିଖିଥାନ୍ତି।

କାରିଗର ଶେଖ ଯୋଗୀଙ୍କ କହିବା ଅନୁସା‌ରେ, ଶିଳ ,ଘୋରଣା ଓ ପେଷଣା ଗୋଟିଏ ସେଟ୍ ନିର୍ମାଣ ପାଇଁ ଅତି କମ୍‌ରେ ୨ ଦିନ ସମୟ ଲାଗିଥାଏ। ଗୋଟିଏ ସେଟ୍‌କୁ ବେପାରୀ ୯୦୦ରୁ ୧୧୦୦ ଟଙ୍କା ମଧ୍ୟରେ କିଣିଥାନ୍ତି। ସେମାନେ ଏଗୁଡ଼ିକୁ କଟକ, ପୁରୀ, ବାଲେଶ୍ୱର ଓ ଭଦ୍ରକ ଆଦି ଜିଲ୍ଲାକୁ ପଠାଇଥାନ୍ତି। ଏହି ବୃତ୍ତିରୁ ଗୋଟିଏ ପରିବାର ମାସିକ ୧୫ରୁ ୧୬ହଜାର ଟଙ୍କା ଆଦାୟ କରିଥାନ୍ତି। କିନ୍ତୁ କେହିବି ଦାଦନ ଖଟିବାକୁ ଯାଇନାହାନ୍ତି। ପରିବାରର ଅଧିକାଂଶ ଝିଅ ପଞ୍ଚମ ଶ୍ରେଣୀରୁ ପାଠ ଛାଡ଼ିଥିବା ବେଳେ କିଛିପୁଅ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି। କାଁ ଭାଁ ଦୁଇଜଣ ମାଟ୍ରିକ୍ ପାସ୍ କରିଛନ୍ତି। ତଥାପି କୌଳିକ ବୃତ୍ତି ହିଁ ସେମାନଙ୍କ ପାଇଁ ସବୁକିଛି ଓ ଏଥିରେ ଆମେ ଆଜି ବି ସ‌ନ୍ତୁଷ୍ଟ ବୋଲି ମୁସଲିମ ପରିବାରର ସଦସ୍ୟମାନେ କହିଛନ୍ତି।