କେନ୍ଦ୍ରାପଡ଼ା: କୋଲକାତାରୁ ପାରାଦୀପ ଆସୁଥିବା ସଦାନନ୍ଦ ବସ୍‌ ନିଆଁରେ ପୋଡ଼ି ହୋଇ ଇଚ୍ଛାପୁର ନିଳାଦ୍ରୀପୁର ଗାଁର ପୁଷ୍ପାଞ୍ଜଳି ଦାସଙ୍କ ମୃତ୍ୟୁ ଘଟଣାକୁ ସପ୍ତାହେ ପୂରିବାକୁ ବସିଲାଣି। କିନ୍ତୁ ଏଯାଏ ଗାଁକୁ ଶବ ଆସିପାରୁ ନାହିଁ। ଶବ ସ˚ସ୍କାର ହେଇ ନଥିବାରୁ ପରିବାରରେ ଚୁଲି ଜଳିପାରୁନାହିଁ କି' ପରବର୍ତ୍ତୀ ଶୁଦ୍ଧିକ୍ରିୟା କର୍ମ ହେଇପାରୁନାହିଁ। ଏଭଳି ସ୍ଥିତିରେ ପଡେ଼ାଶୀ ସାହି ଭାଇ ବି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ଶେଷରେ ପରିବାର ଲୋକେ ଓ ସାହି ଭାଇ ଏକାଠି ହେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଯଦି ଶବ ହସ୍ତାନ୍ତର ତୁରନ୍ତ କରାନଯାଏ, ତେବେ ପଶ୍ଚିମବଙ୍ଗ ବସ୍‌କୁ କେନ୍ଦ୍ରାପଡ଼ାରୁ ଯିବାକୁ ଦେବୁନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Advertisment

ଗତ ୧୦ ତାରିଖ ରାତିରେ କୋଲକାତାରୁ ଘରକୁ ଫେରୁଥିବା ବେଳେ ବସ୍‌ ଇ˚ଜିନ୍‌ରେ ନିଆଁ ଲାଗିଯିବାରୁ ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ସ୍ବାମୀ ଓ ପୁଅ ସୌଭାଗ୍ୟକ୍ରମେ ବର୍ତ୍ତି ଯାଇଥିଲେ। ସ୍ବାମୀ, ପୁଅ ଓ ଅନ୍ୟ ଯାତ୍ରୀମାନଙ୍କୁ ବ˚ଚାଇବାକୁ ଯାଇ ପୁଷ୍ପାଞ୍ଜଳି ନିଜେ ନିଆଁରେ ପୋଡ଼ି ହେଇ ଆରିପାରିକୁ ଚାଲି ଯାଇଥିଲେ। ତାଙ୍କ ଶରୀରର ଶତକଡ଼ା ୮୦ପ୍ରତିଶତରୁ ଅଧିକ ନିଆଁରେ ପୋଡ଼ିଯାଇଥିବାରୁ ପୁଷ୍ପାଞ୍ଜଳିଙ୍କୁ ଚିହ୍ନଟ କରାଯିବା କଷ୍ଟକର ହୋଇପଡ଼ିଥିଲା। ତେଣୁ ବିନା ଡିଏନ୍‌ଏ ପରୀକ୍ଷାରେ ପରିବାର ଲୋକଙ୍କୁ ଶବ ଦେବା ସମ୍ଭବ ନୁହେଁ ବୋଲି ମେଡିକାଲ୍‌ କର୍ତୃପକ୍ଷ କହିଥିଲେ। ହେଲେ ଇତିମଧୢରେ ସାତ ଦିନ ବିତିଯାଇଥିଲେ ବି ନା ପୁଷ୍ପଞ୍ଜଳିଙ୍କ ଡିଏନ୍‌ଏ ପରୀକ୍ଷା ହେଉଛି ନା ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ପଶ୍ଚିମବ˚ଗ ଚାଲମାରିସ୍ଥିତ ଖଡ଼ଗପୁର ସବଡିଭିଜନାଲ୍‌ ହସ୍ପିଟାଲ୍‌ରେ ସ˚ରକ୍ଷିତ ରଖାଯାଇଛି। ଏପଟେ ପରିବାର ଲୋକେ ଶବ ସ˚ସ୍କାର ହେଇନଥିବା କାରଣରୁ ଚୁଲି ଲଗାଇପାରୁ ନାହାନ୍ତି। ଭାତ ରନ୍ଧା ବନ୍ଦ ହେଇଯାଇଛି। ଜଳଖିଆ ଖାଇ ସମସ୍ତେ ଦିନ କାଟୁଛନ୍ତି। ସାହି ଭାଇ ବି ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାତ ଦିନ ପରେ ବି ଶବ ସ˚ସ୍କାର ହେଇ ନଥିବାରୁ ସାହି ଭାଇ କେତେଦିନ ଏଭଳି କଟକଣା ଭିତରେ ରହିବେ, ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ଆଜି ଏଥିସକାଶେ ଅଶୋକ ଦାସ, ସୁବାସ ଦାସ, ହୃଷିକେଶ ଦାସଙ୍କ ସମେତ କିଛି ସାହି ଭାଇ ତୁରନ୍ତ ଶବ ହସ୍ତାନ୍ତର ଦିଗରେ ପଦକ୍ଷେପ ନେବା ପାଇଁ ଫେରାଦ୍‌ ହେବାକୁ ଯାଇଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସେମାନେ ଦାବିପତ୍ର ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ବାରମ୍ବାର କହିବା ପରେ ବି ସେଠାରେ ଶବର ଡିଏନ୍‌ଏ ପରୀକ୍ଷା କରାଯାଉନାହିଁ। ସେମାନଙ୍କ କଥା କୋଲକାତାରେ କେହି ଶୁଣୁନାହାନ୍ତି। ଏଣୁ ସେଠାରେ ଯଦି ଶବ ନ ଦିଅନ୍ତି ତେବେ ପଶ୍ଚିମବ˚ଗରୁ ଆସୁଥିବା ବସ୍‌କୁ କେନ୍ଦ୍ରାପଡ଼ାରୁ ଛାଡ଼ିବୁନି ବୋଲି ସେମାନେ ଚେତାବନୀ ଦେଇଛନ୍ତି। ମୃତ ପୁଷ୍ପାଞ୍ଜଳିଙ୍କ ଦାଦା ଶ୍ବଶୁର ସୁବାସ ଦାସ କହିଛନ୍ତି ଯେ ପ୍ରଶାସନ ସହଯୋଗ କରୁନଥିବାରୁ ଶବ ଆସିପାରୁନାହିଁ। ନେତା ମାନେ ଆସି ଆଶ୍ବସନା ଦେଇ ଯାଉଛନ୍ତି ସତ, କିନ୍ତୁ ଶବ ଫେରିବା ଦିଗରେ କାହାରି ଉଦ୍ୟମ ନାହିଁ। ଏପଟେ ଶବ ସ˚ସ୍କାର ନ ହେବା ଯାଏ ଚୁଲି ନଜଳାଇବା ପାଇଁ ପଣ୍ତିତ ବାରଣ କରିଛନ୍ତି। ତେଣୁ ଗଲା ସାତ ଦିନ ହେବ ଆମେ ଶୁଖିଲା ଚୁଡ଼ା, ମୁଢି ଖାଇ ଦିନ କାଟୁଛୁ ବୋଲି ଦୁଃଖର ସହିତ ଶ୍ରୀ ଦାସ କହିଛନ୍ତି।