ବର୍ଷକ ହେଲା ବୃଦ୍ଧା ଗେବଇ ଓ ଡମାଇଙ୍କୁ ଭତ୍ତା ମିଳୁନି

ଜୟପୁର: ବୋରିଗୁମ୍ମା ବ୍ଲକର ରଣସପୁର ପଂଚାୟତର ସରିଗପଦରଗାଁର ବୃଦ୍ଧା ଗେବୟ ଜାନି ଓ ଡ଼ମାଇ କିର୍ସାନୀଙ୍କୁ  ଗତ ବର୍ଷକ ହେବ  ଭତ୍ତା ଟଙ୍କା ପାଇ ନାହାନ୍ତି। ଉଭୟ ବାରମ୍ବାର ରଣସପୁର ପଂଚାୟତ କାର୍ଯ୍ୟାଳୟକୁ ଯାଇଥିଲେ ହେଁ କେହି ବି ତାଙ୍କୁ ସ୍ପଷ୍ଟ ସୂଚନା କିଛି ଦେଇ ନଥିଲେ। ପିଇଓ ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟକୁ ଯାଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଠାରୁ ବୁଝିବାକୁ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି ଗେବୟ ଓ ଡ଼ମାଇ । ବୋରିଗୁମ୍ମା ବ୍ଲକରେ ବି କେହି ତାଙ୍କ କଥା ଶୁଣି ନଥିବା କହିଛନ୍ତି ଉଭୟ। ଉପଜିଲ୍ଲାପାଳଙ୍କୁ ଭେଟି ନିଜ ସମସ୍ୟା ସଂପର୍କରେ ଅବଗତ କରିବାକୁ ଆସି ସେ ଅନୁପସ୍ଥିତ ଥିବାରୁ ତାଙ୍କୁ ବି କହି ନ ପାରି ନିରାଶ ହୋଇ ଉଭୟ ଫେରିଛନ୍ତି। ଉଭୟ ବୃଦ୍ଧା ଭତ୍ତା ଟଙ୍କା ଉପରେ ନିର୍ଭର ଥିବା ବେଳେ ବର୍ଷକର ଭତ୍ତା କାହିଁକି ମିଳିନି ବୋଲି ସଂଦେହ ପ୍ରକାଶ କରିଛନ୍ତି।

ତାଙ୍କ ସହ ଭତ୍ତା ପାଉଥିବା ଗାଁର ଅନ୍ୟ ହିତାଧିକାରୀ ମାନେ ଠିକ ସମୟରେ ପାଉଥିବା ବେଳେ ତାଙ୍କ କ୍ଷେତ୍ରରେ କାହିଁକି ଏଭଳି ପାତର ଅନ୍ତର କରାଯାଉଛି ବୋଲି ଏମାନେ ପ୍ରଶ୍ନ କରିଛନ୍ତି। ୫୦୦ଟଙ୍କା ଭତ୍ତା ପାଇବା ପାଇଁ ଅଯଥାରେ ଟଙ୍କା ଖର୍ଚ୍ଚ କରି ଜଣେ ଗରିବ ଶ୍ରେଣୀର ହିତାଧିକାରୀ ଉପଜିଲ୍ଲାପାଙ୍କ କାର୍ଯ୍ୟାଳୟ, ବ୍ଲକ ଓ ପଂଚାୟତ କାର୍ଯ୍ୟାଳୟକୁ ଘୁରି ବୁଲିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।  ତା ସହ ବର୍ଷକର ଭତ୍ତା ନ ଦେବା ଯୁକ୍ତି ସଂଗତ କି ବୋଲି ପ୍ରଶ୍ନ ଉଠିଛି। ରାଜ୍ୟ ଓକେନ୍ଦ୍ର ସରକାର ସାମାଜିକ ସୁରକ୍ଷା ଯୋଜନାରେ ବୃଦ୍ଧ ଓବୃଦ୍ଧାଙ୍କୁ ନିର୍ଦ୍ଦାରିତ ତାରିଖରେ ଭତ୍ତା ଦେବାକୁ ନିର୍ଦେଶ ଦେଇଛନ୍ତି। କୌଣସି କାରଣବଶତଃ ହିତାଧିକାରୀ ଭତ୍ତା ବିତରଣ କେନ୍ଦ୍ରରେ ପହଚିଂ ନ ପାରିଲେ ତାଙ୍କ ଘରକୁ  ଭତ୍ତା ଟଙ୍କା ନିଜେ  ପିଇଓ ପହଚାଂଇବା ନିର୍ଦେଶ ରହିଛି। ପାହାଡ ଉପରେ ରହୁଥିବା ଏହି ଦୁଇ ବୃଦ୍ଧା ଭତ୍ତା ପାଇଁ ପ୍ରତିମାସରେ ତଳକୁ ଚାଳି ଚାଳି ଆସି ପୁଣି ନିରାଶ ହୋଇ ଘରକୁ ଫେରୁଛନ୍ତି। ତେବେ କେଉଁ ପରିସ୍ଥିତିରେ ଉଭୟ ବୃଦ୍ଧାଙ୍କ ଭତ୍ତା ମିଳି ପାରିନି ତାହା ତଦନ୍ତ ସାପେକ୍ଷ।

 

ସମ୍ବନ୍ଧିତ ଖବର