କଟକ: ପ୍ରଥମେ ଥଇଥାନ କରି ପରେ ଉଚ୍ଛେଦ କରିବା ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ରହିଛି। ହେଲେ, କଟକ ପୌର ନିଗମ କର୍ତ୍ତୃପକ୍ଷ ଗୋଟିଏପଟେ କୋଟି କୋଟି ଟଙ୍କା ବ୍ୟୟରେ ଭେଣ୍ଡିଂ ଜୋନ ନିର୍ମାଣ କରି ତାହାକୁ ପକାଇ ରଖିଛନ୍ତି, ଅନ୍ୟପଟେ ସେଠାରେ ‌ଥଇଥାନ ନ କରି ରାସ୍ତା ପାର୍ଶ୍ବରୁ ଉଠାଦୋକାନୀଙ୍କୁ ଉଚ୍ଛେଦ କରି ଚାଲିଛନ୍ତି। ଏଭଳି ଘଟଣା ଏବେ ପ୍ରତିକ୍ରିୟାର କାରଣ ହୋଇଛି। ତଥ୍ୟ ଅନୁଯାୟୀ କଟକର ଟ୍ରାଫିକ୍‌ ସମସ୍ୟାରେ ସୁଧାର ଆଣିବା ପାଇଁ ଗତ ୪ ବ‌ର୍ଷ ମଧ୍ୟରେ ସହରର ବିଭିନ୍ନ ରାସ୍ତା ପାର୍ଶ୍ବରେ ବ୍ୟବସାୟ କରୁଥିବା ୫ ହଜାରରୁ ଅଧିକ କ୍ଷୁଦ୍ର ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଛି। ସେମାନଙ୍କୁ ଥଇଥାନ କରିବା ପାଇଁ ପୌର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ୪ ବର୍ଷରେ ୧୨ଟି ଭେଣ୍ଡିଂ ‌ଜୋନ୍‌ ନିର୍ମାଣ କରାଯାଇଛି। ୮ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଭେଣ୍ଡିଂ ଜୋନ୍‌ର ବହୁ ଦୋକାନଘର କିନ୍ତୁ ଆବଣ୍ଟନ ନହୋଇ ପଡ଼ିରହିଛି। ଦୀର୍ଘବର୍ଷ ଧରି ବ୍ୟବହାର ନହୋଇ ପଡ଼ିରହିଥିବା ଘରଗୁଡ଼ିକୁ ନଷ୍ଟ ହେବାକୁ ବସିଲାଣି। ପୌର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭେଣ୍ଡିଂ ଜୋନ୍‌ ବଣ୍ଟନ ଦିଗରେ ଉଦ୍ୟମ କରାଯାଉ ନଥିବା ବେଳେ ବହୁ ଉଠାଦୋକନୀ ଏଥିରୁ ବଞ୍ଚିତ ହେଉଥିବାର ଅଭିଯୋଗ ହୋଇଛି।

Advertisment

ପୌର ନିଗମ ଅଞ୍ଚଳରେ ଭେଣ୍ଡିଂ ଜୋନ୍‌ ନିର୍ମାଣ କରି ସହର ମଧ୍ୟରୁ ଉଚ୍ଛେଦ ହେଉଥିବା ଉଠାଦୋକାନୀଙ୍କୁ ଥଇଥାନ କରିବାକୁ ୨୦୧୯ରେ ନି‌ଷ୍ପତ୍ତି ହୋଇଥିଲା। ଏଥିପାଇଁ ନିଗମ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ’ (ମୁକ୍ତା) ଯୋଜନାରେ ୨୦୨୧ରେ ୧୨ଟି ସ୍ଥାନରେ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଗଲା। ଭେଣ୍ଡିଂ ଜୋନ୍‌ ନିର୍ମାଣ ହୋଇଥିବା ଅଞ୍ଚଳରେ ପୂର୍ବରୁ ରାସ୍ତା ପାର୍ଶ୍ବରେ ବ୍ୟବସାୟ କରୁଥିବା ବେପାରୀଙ୍କୁ ଏଠାରେ ସ୍ଥାନ ଦେବାକୁ ସର୍ଭେ କରାଯାଇ ତାଲିକା ପ୍ରସ୍ତୁତ ହୋଇଥିଲା। ଯୋଗ୍ୟ ଉଠାଦୋକାନୀ ୫ ହଜାର ଟଙ୍କା ଦେଇ ଭେଣ୍ଡିଂ ଜୋନ୍‌ରେ ଦୋକାନଘର ନେବା ସହ ମାସକୁ ୫ଶହ ଟଙ୍କା ନିଗମକୁ ଭଡ଼ା ସୂତ୍ରରେ ଦେବାକୁ କୁହାଯାଇଥିଲା। ସହର ମଧ୍ୟରେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ୍‌ ମଧ୍ୟରୁ ବିଡ଼ାନାସୀ ବନ୍ଧ ଛକରେ ୧୩ ଓ ସିଡ଼ିଏ ସେକ୍ଟର-୬ସ୍ଥିତ ପେଟାନାଳ ନିକଟରେ ୨୨ଟି ଦୋକାନଘର ନିର୍ମାଣ କରାଯାଇଛି। ନିଗମର ଅନ୍ୟ ୧୦ଟି ଭେଣ୍ଡିଂ ଜୋନ୍‌ରେ ଥିବା କିଛି ଦୋକାନକୁ ଉଠାଦୋକାନୀଙ୍କୁ ପ୍ରଦାନ କରାଯାଇଛି। ମାତ୍ର ବିଡ଼ାନାସୀ ବନ୍ଧ ଛକ ଓ ପେଟାନାଳ ନିକଟରେ ହୋଇଥିବା ଭେଣ୍ଡିଂ ଜୋନ୍‌ର ୩୫ଟି ଦୋକାନ ଘରକୁ ଏବେ ସୁଦ୍ଧା ବ୍ୟବସାୟୀଙ୍କୁ ପ୍ରଦାନ କରାଗଲା ନାହିଁ। ୩ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ଭେଣ୍ଡିଂ ଜୋନ୍‌ ବ୍ୟବହାର ନହୋଇ ପଡ଼ି ରହିବାରୁ ସେଗୁଡ଼ିକ ନଷ୍ଟ ହେବାକୁ ବସିଲାଣି। ଦେଢ଼କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହୋଇଥିବା ୨ଟି ଭେଣ୍ଡିଂ ଜୋନ୍‌ ବ୍ୟବହାର ନହୋଇ ନଷ୍ଟ ହେବା ଘଟଣାକୁ ନେଇ ଉଠାଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।