ଭୁବନେଶ୍ବର: ‘ସମ୍ବାଦ ସାହିତ୍ୟଘର’ ଓଡ଼ିଆ ଭାଷାସାହିତ୍ୟର ସମୃଦ୍ଧି ସାଙ୍ଗକୁ ବୃକ୍ଷରୋପଣକୁ ବ୍ରତ ଭାବେ ଗ୍ରହଣ କରିଛି। ୨୦୨୩ ମସିହାରେ ରାଜ୍ୟର ୩୦ଟି ଜିଲ୍ଲା ସହିତ ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଥିବା ମୋଟ ୩୬୯ଟି ‘ସାହିତ୍ୟଘରର ୩୦ ହଜାରରୁ ଅଧିକ ସଦସ୍ୟଙ୍କ ସାମୂହିକ ଉଦ୍ୟମରେ ୧ ଲକ୍ଷ ୫୭ ହଜାର ୨୫୦ ଚାରାରୋପଣ କରାଯାଇଛି। ‘ସମ୍ବାଦ’ ବାଲେଶ୍ବର ସଂସ୍କରଣ ଅଧୀନରେ ଥିବା ୬୮ଟି ସାହିତ୍ୟଘର ପକ୍ଷରୁ ସର୍ବାଧିକ ୩୪,୨୭୮ଟି ଚାରା ରୋପଣ କରାଯାଇଥିବା ବେଳେ କଟକ ସଂସ୍କରଣ ଅଧୀନ ୩୯ଟି ସାହିତ୍ୟଘର ପକ୍ଷରୁ ୧୪,୮୫୬; ସମ୍ବଲପୁରର ୮୭ଟି ସାହିତ୍ୟଘର ପକ୍ଷରୁ ୩୧,୭୭୫; ଯାଜପୁର ସଂସ୍କରଣର ୩୧ଟି ସାହିତ୍ୟଘର ପକ୍ଷରୁ ୧୭,୫୦୭; ରାଉରକେଲା ସଂସ୍କରଣର ୨୦ଟି ସାହିତ୍ୟଘର ପକ୍ଷରୁ ୧୦,୯୬୦; ଅନୁଗୁଳ ସଂସ୍କରଣର ୧୭ଟି ସାହିତ୍ୟଘର ପକ୍ଷରୁ ୧୦,୬୪୫; ବ୍ରହ୍ମପୁର ସଂସ୍କରଣର ୪୬ଟି ସାହିତ୍ୟଘର ପକ୍ଷରୁ ୧୨,୮୩୬; ଭୁବନେଶ୍ବର ସଂସ୍କରଣର ୩୧ଟି ସାହିତ୍ୟଘର ପକ୍ଷରୁ ୧୧,୭୪୪ ଓ ଜୟପୁର ସଂସ୍କରଣର ୩୬ଟି ସାହିତ୍ୟଘର ପକ୍ଷରୁ ୧୨,୬୪୯ ବୃକ୍ଷରୋପଣ କରାଯାଇଛି। ଅନ୍ୟପଟେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ‘ଶାସନ ସାହିତ୍ୟଘର’ର ସଦସ୍ୟମାନେ ମଧ୍ୟ ଉତ୍ସାହର ସହ ବୃକ୍ଷରୋପଣ କରିଛନ୍ତି।
ବର୍ତ୍ତମାନ ତାପମାତ୍ରାରେ ଅହେତୁକ ବୃଦ୍ଧି ସହ ପାଣିପାଗରେ ଅନିୟମିତତା ବିଶେଷ କରି ବନ୍ୟା, ବାତ୍ୟା, ମରୁଡ଼ି ଆଦି ପ୍ରାକୃତିକ ବିପର୍ଯ୍ୟୟ ଉଭୟ ମାନବ ଓ ପ୍ରାଣୀଜଗତ ପାଇଁ ବିପଦ ସୃଷ୍ଟି କରିଛି। ତେଣୁ ପରିବେଶ ସୁରକ୍ଷାର ସଂକଳ୍ପ ନେଇ ‘ସମ୍ବାଦର ପ୍ରତିଷ୍ଠାତା ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ୨୦୧୯ ମସିହାରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ଚାରାରୋପଣ ଅଭିଯାନ ‘ସମ୍ବାଦ ସାହିତ୍ୟଘର’ ଜାରି ରଖିଛି। ପ୍ରତିବର୍ଷ ବନ ମହୋତ୍ସବ ଓ ପରିବେଶ ଦିବସ ଅବସରରେ ଓଡ଼ିଶାର ୩୧୪ଟି ବ୍ଳକ୍ରେ ବୃକ୍ଷରୋପଣ ଅଭିଯାନରେ ସାହିତ୍ୟଘର ସଦସ୍ୟଙ୍କ ସହ ବିଭିନ୍ନ ଅନୁଷ୍ଠାନ, ସହସ୍ରାଧିକ ବୃକ୍ଷପ୍ରେମୀ ସାମିଲ ହେଉଛନ୍ତି। ଗତ ୫ ବର୍ଷ ମଧ୍ୟରେ ସାରା ରାଜ୍ୟରେ ମୋଟ ୩,୯୦,୩୯୬ଟି ଚାରାରୋପଣ ହୋଇଥିବା ବେଳେ ୨୦୧୯ରେ ୨୭,୪୫୩; ୨୦୨୦ ଓ ୨୦୨୧ରେ କାରୋନା ସତ୍ତ୍ବେ ଯଥାକ୍ରମେ ୧୭,୭୬୭ ଓ ୬୮,୪୫୯; ୨୦୨୨ରେ ୧,୧୯,୪୬୯ ଓ ୨୦୨୩ ମସିହାରେ ସର୍ବାଧିକ ୧,୫୭,୨୫୦ ଚାରାରୋପଣ କରାଯାଇଛି। ସମ୍ବାଦ’ ପରିବାରର ‘ଆମ ଓଡ଼ିଶା’ ରକ୍ତଦାନ ଅଭିଯାନ ଓ ‘ସମ୍ବାଦ ସାହିତ୍ୟଘର’ ଚାରାରୋପଣ ଅଭିଯାନ ସମଗ୍ର ରାଜ୍ୟରେ ବଡ଼ ଧରଣର ସଚେତନତା ଅଭିଯାନ ସୃଷ୍ଟି କରିଆସିଛି। ଏଥିପାଇଁ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ସାହିତ୍ୟଘରର ସମସ୍ତ କର୍ମକର୍ତ୍ତା, ସମସ୍ତ ଶୁଭେଚ୍ଛୁ, ସ୍ବେଚ୍ଛାସେବୀ ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।