ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ୍ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପ୍ରଦର୍ଶନ ସୂଚକାଙ୍କ ତଥା ପର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ)-୨.୦ରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ବୋଲି ପ୍ରକାଶ ପାଇବା ପରେ ଏହାକୁ ଶାସକ ବିଜେଡି ସହଜରେ ଗ୍ରହଣ କରିପାରିନାହିଁ। ଆଜି ଛାତ୍ର ବିଜେଡି ସଭାପତି ଦେବୀରଞ୍ଜନ ତ୍ରିପାଠୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାର ଶିକ୍ଷା ଓ ଶିକ୍ଷାବ୍ୟବସ୍ଥା ଉନ୍ନତିର ଶିଖରରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାର ପ୍ରାୟ ୮ହଜାର ହାଇସ୍କୁଲ ରୂପାନ୍ତରିତ ହୋଇଛି। ଏହାସହ ଉଚ୍ଚ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ରୂପାନ୍ତରଣ ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଦେଖାଦେଇଛି। ଗଣଶିକ୍ଷା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ସମଗ୍ର ପୂର୍ବ ଭାରତରେ ଓଡ଼ିଶା ଉତ୍କର୍ଷର କେନ୍ଦ୍ରବିନ୍ଦୁ ସାଜିଛି। ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବା ହସ ଶିକ୍ଷା ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରାଯାଇଛି। ରାଜ୍ୟ ସରକାରଙ୍କ ମୋ’ ସ୍କୁଲ ଅଭିଯାନକୁ ସର୍ବତ୍ର ପ୍ରଶଂସା କରାଯାଉଛି। କିନ୍ତୁ ଏପରି ଉପଲବ୍ଧି ହାସଲ ପରେ ମଧ୍ୟ ଓଡ଼ିଶା ଶିକ୍ଷା ବ୍ୟବସ୍ଥାକୁ ନୀଚ୍ଚ ଦର୍ଶାଇବାରେ କେନ୍ଦ୍ର ସରକାରଙ୍କ ମନୋବୃତ୍ତିକୁ ବିଜୁ ଛାତ୍ର ଜନତା ଦଳ ଦୃଢ଼ ନିନ୍ଦା କରୁଛି। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଆକର୍ଷଣ ନକଲେ, କେନ୍ଦ୍ର ସରକାରଙ୍କ ବିରୋଧରେ ଦୃଢ଼ ପ୍ରତିବାଦ କରାଯିବ ବୋଲି ସେ କହିଛନ୍ତି।