ଦେବଗଡ଼: ଶିଳ୍ପବିହୀନ ଦେବଗଡ଼ ଜିଲ୍ଲାରେ ଭରପୂର ସବୁଜିମା ପ୍ରକୃତିର ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଆଗଭଳି ସେହି ପ୍ରାକୃତିକ ପରିବେଶ ବର୍ତ୍ତମାନ ନାହିଁ। ବିକାଶ ଆଳରେ ଜଙ୍ଗଲ ଧ୍ବଂସ କରାଯାଉଥିବା ବେଳେ ଜଙ୍ଗଲ ପୋଡ଼ି ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି। ଧୀରେ ଧୀରେ ବୃଷ୍ଟିପାତ କମିବାରେ ଲାଗିଛି। ସନ୍ତୁଳିତ ପରିବେଶ ପାଇଁ ଅଧିକ ପରିମାଣର ବୃକ୍ଷରୋପଣ କରିବା ଆବଶ୍ୟକ। ପରିବେଶ ପ୍ରତି ଏବେଠାରୁ ଆମେ ଯତ୍ନବାନ ନ ହେଲେ ଆଗକୁ ବଡ଼ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ବୃକ୍ଷରୋପଣ କରିବା ପରେ ଏହାର ଯତ୍ନ ନେବା ନିତାନ୍ତ ଜରୁରି ବୋଲି ରବିବାର ଦେବଗଡ଼ ନାଗରିକ ଫୋରମ୍‌ କାର୍ଯ୍ୟାଳୟରେ ଆୟୋଜିତ ‌ପରିବେଶ ପଞ୍ଚାୟତ ବୈଠକରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ କହିଛନ୍ତି। ଏହା ସହିତ ଜିଲ୍ଲାର ପରିବେଶ ସୁରକ୍ଷା ସଂପର୍କିତ ବିଭିନ୍ନ ସମସ୍ୟା ଉପରେ ବୁଦ୍ଧିଜୀବୀମାନଙ୍କ ମତାମତ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇବା ସହ ଏହାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ। 

Advertisment

ଭାରପ୍ରାପ୍ତ ପୌରାଧ୍ୟକ୍ଷ ପ୍ରଜିତ ଭୋଜ, ବରିଷ୍ଠ ସାହିତ୍ୟିକ ପ୍ରଫୁଲ୍ଲ ମହାପାତ୍ର, ପରିବେଶବିତ୍‌ ଲୋକନାଥ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷା ନିମନ୍ତେ ‘ସମ୍ବାଦ’ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଅତ୍ୟନ୍ତ ସ୍ବାଗତଯୋଗ୍ୟ ବୋଲି କହିଥିଲେ। ଲୋକଙ୍କୁ ସଚେତନ କରି ଅଧିକରୁ ଅଧିକ ବୃକ୍ଷରୋପଣ କରାଗଲେ ଜଙ୍ଗଲ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଚାଷ କାର୍ଯ୍ୟରେ ରାସାୟନିକ ସାର ବ୍ୟବହାର ପରିବର୍ତ୍ତେ ଜୈବିକ ସାର ପ୍ରୟୋଗ କରିବାକୁ ଆହ୍ବାନ ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‌ ଡ. ରାମଚନ୍ଦ୍ର ମହାପାତ୍ର, ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ସମାଜସେବୀ ଭ୍ରାତୃକୁମାର ପ୍ରଫୁଲ୍ଲ, ସୁଧୀର କପରଦାର, ଆଇନଜୀବୀ ବିଭୂତି ଗଙ୍ଗଦେବ ପ୍ରମୁଖ ପରିବେଶ ସୁରକ୍ଷା ସଂପର୍କରେ ବକ୍ତବ୍ୟ ରଖିଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଶକ୍ତିସୌରଭ ନନ୍ଦ ସ୍ବାଗତ ଭାଷଣ ଦେବା ସହ ବୈଠକର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରାଣବନ୍ଧୁ ଘଡ଼େଇ ପରିଚାଳନା କରିଥିବାବେଳେ ‘କନକ ନ୍ୟୁଜ୍‌’ ପ୍ରତିନିଧି ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଦେଇଥିଲେ।