କଟକ : ବାରବାଟୀ ଷ୍ଟାଡିୟମ୍ରେ ଭାରତ-ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ ସମୟରେ ଏକ ନିର୍ଦ୍ଦିଷ୍ଟ ଦଳୀୟ କର୍ମୀଙ୍କୁ ଓସିଏ ତରଫରୁ ସ୍ବୀକୃତିପ୍ରାପ୍ତ ପାସ୍ (ଆକ୍ରିଡିଟେସନ୍) ଦିଆଯାଇଥିବା ନେଇ ଅଭିଯୋଗ ବଢୁଛି। ହେଲେ, ଓସିଏ ତରଫରୁ କୌଣସି ଦଳୀୟ ପାସ୍ ଦିଆଯାଇ ନଥିବା ସ୍ପଷ୍ଟ କରାଯାଇଛି। ସ୍ବୀକୃତିପ୍ରାପ୍ତ ପାସ୍କୁ ଯଦି କେହି ବାହାରେ ପ୍ରିଣ୍ଟ କରି ସୋସିଆଲ ମିଡ଼ିଆରେ ଛାଡୁଥାଏ, ତା’ହେଲେ ଏହାଉପରେ ଓସିଏର ନିୟନ୍ତ୍ରଣ ନଥିବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ସୂଚନା ଦେଇଛନ୍ତି।
ଶ୍ରୀବେହେରାଙ୍କ ସୂଚନା ଅନୁଯାୟୀ, ବାରବାଟୀରେ ମ୍ୟାଚ୍ କରାଇ ନଦେବାକୁ କିଛି କୁଚକ୍ରୀ ଗୋଷ୍ଠୀ ଆରମ୍ଭରୁ ଲାଗିଥିଲେ। ସରକାରଙ୍କ ସହଯୋଗ ଓ ଦର୍ଶକଙ୍କ ଶୃଙ୍ଖଳିତ ବ୍ୟବହାର ଯୋଗୁ ଆନ୍ତର୍ଜାତିକ ମ୍ୟାଚ ସୁରୁଖୁରୁରେ ଶେଷ ହୋଇପାରିଛି। କୁଚକ୍ରୀ ଗୋଷ୍ଠୀଙ୍କ ସବୁ ଯୋଜନା ଫସର ଫାଟିଥିବାରୁ ସେମାନେ ନୂଆନୂଆ ଖିଅ କାଢିବାରେ ଲାଗିଛନ୍ତି। ହେଲେ, ଯାହା ଓସିଏ ପରିଧି ବାହାରେ ହୋଇଥିବ ସେଥିରେ ଓସିଏର କିଛି କରିବାର ନାହିଁ। ସ˚ପୃକ୍ତ ସ୍ବୀକୃତିପ୍ରାପ୍ତ ପାସ୍ ଓସିଏରେ ଛପାଯାଇନାହିଁ। ଯଦି ଓସିଏରେ ଏହା ଛପାଯାଇଥା’ନ୍ତା, ତା’ହେଲେ ଏହା ବିରୋଧରେ ଆଭ୍ୟନ୍ତରୀଣ ତଦନ୍ତ କରାଯାଇଥା’ନ୍ତା ବୋଲି ସେ କହିଛନ୍ତି। ସେହିପରି ନକଲି ଟିକଟ ଓ ପାସ୍ ନେଇ ମ୍ୟାଚ୍ ଦେଖିବାକୁ ଯିବା ଘଟଣାକୁ ସେ ଅସ୍ବୀକାର କରିବା ସହ ଏପରି ହେବା ଅସମ୍ଭବ ବୋଲି ମତ ଦେଇଛନ୍ତି। ପ୍ରତି ଗେଟ୍ରେ ଆନ୍ତର୍ଜାତିକ ଏଜେନ୍ସି ଡିଏନ୍ଏ ପକ୍ଷରୁ ଟିକେଟ ଭାଲିଡେଟର୍ ଥିଲେ। ପ୍ରତି ଦର୍ଶକଙ୍କ ଟିକେଟକୁ ସ୍କାନ୍ କରିବା ପରେ ସେମାନଙ୍କୁ ଭିତରକୁ ଯିବାପାଇଁ ଅନୁମତି ମିଳେ। ଯଦି ଯାହାର ସ˚ପୃକ୍ତ ଗ୍ୟାଲେରିକୁ ପ୍ରବେଶ କରିବା ଟିକେଟ ନଥିବ, ତାଙ୍କୁ ଗେଟ୍ ପାଖରୁ ଅଟକାଯାଇହେବ। ତେଣୁ ଏସବୁ ଅଭିଯୋଗ ଭିତ୍ତିହୀନ ବୋଲି ଶ୍ରୀ ବେହେରା କହିଛନ୍ତି।
କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ଟିକେଟ ବଣ୍ତଲ୍ ଭିଡିଓ ଓ ପୁଳାପୁଳା ଟିକଟ ରଖାଯାଇଥିବା ଫଟୋ ବିଷୟରେ ଶ୍ରୀବେହେରା କହିଛନ୍ତି ଯେ, କୌଣସି ଟିକେଟ ଓସିଏ ପାଖକୁ ସିଧାସଳଖ ଆସିନାହିଁ। ଟିକେଟ ଛପା ହେବାପରଠୁ ଏହା ପୁଲିସ୍ ଓ ବ୍ୟାଙ୍କ ଅଧୀନରେ ରହୁଥିଲା। ଓସିଏକୁ କେବଳ ପାସ୍ ହସ୍ତାନ୍ତର କରାଯାଇଥିଲା। ସେଥିରେ ଡିସିପିଙ୍କ ଦସ୍ତଖତ ଓ ବାର୍କୋଡ ରହିଥିଲା। ଯଦି ଟିକେଟ କିମ୍ବା ପାସ୍ ନକଲ କରି କେହି ଆସିଥା’ନ୍ତା, ତା’ହେଲେ ସ୍କାନ୍ କରିବାବେଳେ ସେଗୁଡ଼ିକ ଧରାପଡ଼ିଥାନ୍ତା। ଏହାବାଦ୍ ଟିକେଟ ଓ ପାସ୍ ବ୍ଲାକ୍ ହେବା ଓସିଏ ନିୟନ୍ତ୍ରଣରେ ନାହିଁ। ଓସିଏ କେବଳ ଅତିଥି, ଭିଆଇପି ଓ ସଦସ୍ୟମାନଙ୍କୁ କୋଟା ଅନୁସାରେ ପାସ୍ ଦେଇଛି। କିନ୍ତୁ, ସେହି ପାସ୍କୁ ବାହାରେ ଯଦି କେହି କଳାବଜାରି କରେ ସେଥିରେ ଓସିଏର କିଛି ଭୂମିକା ନଥିବା କୁହାଯାଇଛି। ଯେଉଁ କୁଚକ୍ରୀ ଗୋଷ୍ଠୀମାନେ ଏପରି କରି ଓସିଏକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଅଟକାଇ ହେବନି। ଯଦି ମ୍ୟାଚ୍ ଦିନ କିଛି ଏଭଳି ଘଟିଥା’ନ୍ତା, ତା’ହେଲେ ପ୍ରତିବାଦ କରାଯାଇଥାନ୍ତା। କିନ୍ତୁ ଯେଉଁଥିରେ ଓସିଏର ସ˚ପୃକ୍ତି ନାହିଁ, ତାହା ଉପରେ କିଛି ପ୍ରତିକ୍ରିୟା ଦେଇହେବନି ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।