କେନ୍ଦୁଝର/ଘଟଗାଁ: ଦିନକୁ ଦିନ ପରିବେଶ ଦୂଷିତ ହେଉଛି। ବିଶୁଦ୍ଧ ପାଣି, ଭଲ ପବନ ଟିକେ ମିଳୁନି। ଏଭଳି ପରିବେଶ ପାଇଁ ଆମେ ନିଜେ ଦାୟୀ। ଏହି ଅସୁସ୍ଥ ପରିବେଶକୁ ସୁସ୍ଥ କରିବା ଦାୟିତ୍ବ ଆମର ବୋଲି ଆଜି କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଘଟଗାଁ ମା’ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର କହିଛନ୍ତି।
ଶ୍ରୀ ପାତ୍ର କହିଥିଲେ, ମଣିଷ ତା’ର ଜୀବନକାଳ ଭିତରେ ଯେତିକି ଅମ୍ଳଜାନ ଆବଶ୍ୟକ କରିଥାଏ, ସେଥିପାଇଁ ସର୍ବନିମ୍ନ ୫୪୦ଟି ଗଛ ଲଗାଇବା ଆବଶ୍ୟକ। କିନ୍ତୁ ଆମେ ଜୀବନକାଳ ମଧ୍ୟରେ ଗୋଟିଏ ବି ଗଛ ଲଗାଉ ନାହୁଁ। ପ୍ରତି ମୁହୂର୍ତ୍ତରେ ଗଛ କାଟି ଚାଲିଛୁ। ଏଥିପାଇଁ ସୁସ୍ଥ ପୃଥିବୀ ଦିନକୁ ଦିନ ଅସୁସ୍ଥ ହୋଇ ଚାଲିଛି। ଥଣ୍ଡା ଜଳବାୟୁ ଥିବା କେନ୍ଦୁଝର ଏବେ ଉତ୍ତପ୍ତ ହେଲାଣି। ଏବେଠୁ ଆମେ ସଚେତନ ନ ହେଲେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହେବ ବୋଲି ଶ୍ରୀ ପାତ୍ର ସତର୍କ କରାଇଥିଲେ।
ସମ୍ମାନିତ ବକ୍ତା ଡିଏଫ୍ଓ ଏଚ୍ଡି ଧନରାଜ କହିଥିଲେ, ଗୋଟିଏ ଗଛ ପାଇଁ ଆମକୁ ମା’ବାପାର ଦାୟିତ୍ବ ତୁଲାଇବାକୁ ପଡ଼ିବ। ମା’ ଅର୍ଥ ମାଟି, ଖତ, ବାଡ଼ ଏବଂ ପା ଅର୍ଥ ପାଣି। କେବଳ ଗଛଟିଏ ଲଗାଇଲେ ହେବ ନାହିଁ, ତାକୁ ବଡ଼ କରିବା ପାଇଁ ଗଛ ମୂଳରେ ଖତ ଦେବା ସହିତ ବାଡ଼ ବୁଜିବା ଓ ପାଣି ଦେବା ଦାୟିତ୍ବ ଆମ ସମସ୍ତଙ୍କର ନୈତିକ ଦାୟିତ୍ବ ହେବା ଉଚିତ। ସମ୍ମାନିତ ଅତିଥି ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଗୋବିନ୍ଦ ଚନ୍ଦ୍ର ମହାନ୍ତ କହିଥିଲେ, ପ୍ରକୃତିକୁ ସୁରକ୍ଷିତ ରଖିବାର ମୂଳ ଆଧାର ହେଉଛି ବ୍ୟାପକ ବୃକ୍ଷରୋପଣ। ବୃକ୍ଷରୋପଣ ସମସ୍ତଙ୍କର ନୈତିକ ଦାୟିତ୍ବ ହେଉ। ‘ସମ୍ବାଦ’ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ‘ସମ୍ବାଦ’ ଘଟଗାଁ ପ୍ରତିନିଧି ଆନନ୍ଦଚନ୍ଦ୍ର ସିଂହ, କେନ୍ଦୁଝର ସହର ପ୍ରତିନିଧି ସୁଧାଂଶୁ ଶେଖର ସାହୁ, ରେଞ୍ଜର ସରୋଜ କୁମାର ମିଶ୍ର, ଫରେଷ୍ଟର ଯତୀନ୍ଦ୍ର ସାହୁ, ନଗେନ୍ଦ୍ର ଜେନା, ପୂଜାରାଣୀ ବଳ, ରଞ୍ଜିତ ପଲେଇ, ଅଧ୍ୟାପକ ଡକ୍ଟର ଉପେନ୍ଦ୍ର କୁମାର ସାହୁ, ଅଧ୍ୟାପକ ବସନ୍ତ କୁମାର ନାୟକ, ଅଧ୍ୟାପକ ବଳଭଦ୍ର ସାହୁ, ଅଧ୍ୟାପକ ଆଲୋକ କୁମାର ପଲେଇ, ସୌମ୍ୟରଞ୍ଜନ ବାରିକ, ସମାଜସେବୀ ରାଜୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।