ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ରାଜ୍ୟର ସର୍ବାଧିକ ବର୍ଷା ଭଦ୍ରକଠାରେ ୪୩.୨ ମିମି ରେକର୍ଡ ହୋଇଛି। ଏଥିସହ ବାରିପଦାରେ ୨୮.୪ ମିମି, ଝାରସୁଗୁଡ଼ାରେ ୨୭.୯ ମିମି ଓ ତାଳଚେରରେ ୧୪.୭ ମିମି ଲେଖାଏଁ ବର୍ଷା ହୋଇଛି। ସମଗ୍ର ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ମଧ୍ୟମରୁ ହାଲୁକା ବର୍ଷା ହୋଇଯାଇଛି। ଆସନ୍ତାକାଲି ପଶ୍ଚିମ ଓଡ଼ିଶା, ଉପକୂଳ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। 

Advertisment

ଏହିଭଳି ଭାବେ ରାଜ୍ୟରେ ୮ ତାରିଖ ଯାଏଁ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ପୂର୍ବ ମଧ୍ୟପ୍ରଦେଶ ଉପରେ ରହିଥିବା ଲଘୁଚାପ କ୍ଷେତ୍ର ଆଜି ସେହି ଅଞ୍ଚଳରେ ହିଁ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତାରେ ରହିବା ସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ପୂର୍ବ ମଧ୍ୟପ୍ରଦେଶ ଅତିକ୍ରମ କରିବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ହାଲୁକା ବର୍ଷା ବି ହୋଇପାରେ।