ଭୁବନେଶ୍ବର : ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ଦୁଇ ଦିନ ଅପେକ୍ଷା ରାତ୍ରି ତାପମାତ୍ରା ସାମାନ୍ୟ ବୃଦ୍ଧି ହୋଇଥିବା ବେଳେ ରାଜ୍ୟର ୧୧ଟି ସ୍ଥାନର ତାପମାତ୍ରା ୧୦ଡିଗ୍ରି ତଳେ ରହିଛି। ସର୍ବନିମ୍ନ ରାତ୍ରି ତାପମାତ୍ରା ଫୁଲବାଣୀଠାରେ ୬.୫ ଡିଗ୍ରି ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ତାପମାତ୍ରା ୦.୧ ରୁ ୨.୪ ଡିଗ୍ରି ଯାଏ ବୃଦ୍ଧି ଘଟିଛି। ଉପକୂଳ ଓଡ଼ିଶାରେ ରାତ୍ରି ତାପମାତ୍ରାରେ ୦.୨ ଡିଗ୍ରିରୁ ୨.୨ ଡିଗ୍ରି ଯାଏ ବୃଦ୍ଧି ଘଟିଛି। ଆସନ୍ତା ୨ ଦିନରେ ରାଜ୍ୟର ରାତ୍ରି ତାପମାତ୍ରା ଆହୁରି ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଘଟିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବିଭାଗର ସୂଚନା ଅନୁଯାୟୀ, ଏବେ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି। ଏହା ପ୍ରଭାବରେ ରାଜ୍ୟରେ ଶୀତ ସାମାନ୍ୟ କମିବ। ପାରଦ ଊର୍ଧ୍ବଗାମୀ ହେବ। ଏଥିସହ ୨୭ ଓ ୨୮ତାରିଖରେ ରାଜ୍ୟରେ ବର୍ଷାର ବି ସମ୍ଭାବନା ରହିଛି।