୩ ଦିନ ସାରା ରାଜ୍ୟରେ ବର୍ଷା

ଭୁବନେଶ୍ବର: ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଏହା ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ଏପରିକି କିଛି କିଛି ସ୍ଥାନରେ ପ୍ରବଳର ଅତିପ୍ରବଳ ବର୍ଷା ହୋଇପାରେ। ତେଣୁ କିଛି ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଏବେ ମୌସୁମୀ ଟ୍ରଫ୍ ସ୍ବାଭାବିକ ସ୍ଥାନରେ ରହିଛି। ଏହାସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ‌ହୋଇଛି। ଏହା ପ୍ରଭା‌ବ‌ରେ ରାଜ୍ୟରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିବ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତାକାଲି ବରଗଡ଼, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏଥିସହ ନୂଆପଡ଼ା, ନବରଙ୍ଗପୁର, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମାଲ୍‌କାନଗିରିରେ ପ୍ରବଳ ବର୍ଷା ହେବ। ସେହିପରି ୧୬ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ‌କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ରାୟଗଡ଼ା ଓ କଳାହାଣ୍ଡିରେ ପ୍ରବଳ ବର୍ଷା ଓ ୧୭ତାରିଖ ଦିନ କନ୍ଧମାଳ, ଗଜପତି, ବୌଦ୍ଧ ଓ କେନ୍ଦୁଝରର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

୧ ଜୁନ୍‌ରୁ ୧୪ ଜୁଲାଇ ଯାଏଁ ରାଜ୍ୟରେ ସମୁଦାୟ ୩୭୫.୮ମିମି ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ସାଧାରଣ ଭାବେ ୩୫୭.୫ ମିମି ବର୍ଷା ହେବା କଥା। ଅର୍ଥାତ୍‌ ଏ ପର୍ଯ୍ୟନ୍ତ ରାଜ୍ୟରେ ୫% ଅଧିକ ବର୍ଷା ହୋଇଛି। ଏପର୍ଯ୍ୟନ୍ତ ରାଜ୍ୟର ୨୪ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଏଥିମଧ୍ୟରୁ ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡ଼ା, ମାଲକାନଗିରି, ଅନୁଗୁଳ, ଦେବଗଡ଼, ନୂଆପଡ଼ା ଓ ବୌଦ୍ଧ ଆଦି ଜିଲ୍ଲାରେ ଅତିରିକ୍ତ ବର୍ଷା ହୋଇଛି। ଖୋର୍ଧା, ଯାଜପୁର, ପୁରୀ, କେନ୍ଦ୍ରାପଡ଼ା, କଟକ ଓ ବାଲେଶ୍ବର ଆଦି ଜିଲ୍ଲାରେ ୨୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି। କିନ୍ତୁ ଜୁଲାଇ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି। ଜୁଲାଇ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ‌ରେ ସମୁଦାୟ ୧୨୪.୭ ମିମି ବର୍ଷା ହୋଇଛି। ସାଧାରଣତଃ ଏହି ସମୟ ମଧ୍ୟରେ ୧୩୯.୮ ମିମି ବର୍ଷା ହେବା କଥା। ତେଣୁ ଚଳିତ ମାସରେ ରାଜ୍ୟରେ ପ୍ରାୟ ୧୧% ନିଅଣ୍ଟିଆ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ବୌଦ୍ଧରେ ୧୨୫.୦ ମିମି ବର୍ଷା ହୋଇଛି। କେନ୍ଦୁଝରର ଝୁମ୍ପୁରାରେ ୧୨୦.୪ମିମି, ଅନୁଗୁଳରେ ଆଠମଲ୍ଲିକରେ ୧୧୨ ମିମି, କୁଚିଣ୍ଡାରେ ୧୧୩.୬ମିମି ବର୍ଷା ହୋଇଛି। ଗତକାଲି ରାଜ୍ୟର ୧୩ରୁ ୧୪ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଯାଇଛି।

ସମ୍ବନ୍ଧିତ ଖବର