ଭୁବନେଶ୍ବର : ୧୯୯୯ ବ୍ୟାଚ୍ର ଆଇଆର୍ଟିଏସ୍ ଅଧିକାରୀ ମନୋଜ ମିଶ୍ର ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ଆଜି ଏନେଇ ସେ ନିଜ ଟୁଇଟର୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ତାଙ୍କର ଇସ୍ତଫାକୁ ରାଷ୍ଟ୍ରପତି ସ୍ବୀକାର କରିଥିବାବେଳେ ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ହୋଇଛି। ଶ୍ରୀ ମିଶ୍ର ୨୦୧୭ର ମସିହାରୁ ଡେପୁଟେସନ୍ରେ ଓଡ଼ିଶାକୁ ଆସିଥିବାବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି, ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ, ଓଡ଼ିଶା ସରକାରଙ୍କ ରେଳ କୋର୍ଡିନେସନ୍ କମିସନର, ଓକାକ୍ର ଅଧ୍ୟକ୍ଷ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସଚିବ ଭାବେ କାର୍ଯ୍ୟରତ ଥିଲେ। ଏବେ ଶ୍ରୀ ମିଶ୍ର ଇସ୍ତଫା ଦେବା ପରେ ତାଙ୍କ ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ମିଶ୍ରଙ୍କୁ ଏବେ ରାଜ୍ୟ ସରକାର ସେ ଦାୟିତ୍ବରେ ଥିବା କିଛି ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ଦେଇପାରନ୍ତି। ପରବର୍ତ୍ତୀ ସମୟରେ ଶ୍ରୀ ମିଶ୍ର ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ଶ୍ରୀ ମିଶ୍ର ଓଡ଼ିଶାକୁ ଡେପୁଟେସନ୍ରେ ଆସିବାର କିଛି ମାସ ପରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ତାଙ୍କ ଡେପୁଟେସନ୍କୁ ପୂର୍ବତଟ ରେଳପଥରୁ ବାତିଲ୍ କରି ଉତ୍ତର ରେଲୱେକୁ କରିଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଶ୍ରୀ ମିଶ୍ରଙ୍କ ବଦଳି ଅଟକି ଯାଇଥିଲା। ହେଲେ ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁଯାୟୀ କୌଣସି ପରିସ୍ଥିତିରେ ବି ଅଧିକାରୀଙ୍କ ଡେପୁଟେସନ୍ ଅବଧି ୫ବର୍ଷରୁ ଅଧିକ ହେବନି। ଶ୍ରୀ ମିଶ୍ରଙ୍କ ଅବଧି ନିକଟରେ ସରିଥିବାବେଳେ ସେ ଓଡ଼ିଶା ଛାଡ଼ି ଯିବାକୁ ଚାହୁଁନଥିବାରୁ ଏବଂ ରାଜ୍ୟ ସରକାରଙ୍କ ଠାରୁ ନିର୍ଭର ପ୍ରତିଶ୍ରୁତି ପାଇଥିବାରୁ ଚାକିରିରୁ ଇସ୍ତଫା ଦେଇଥିବା କୁହାଯାଉଛି।