ଭୁବନେଶ୍ବର : ନିରପେକ୍ଷତା ଓ ଶାନ୍ତିର ଅର୍ଥ ନୁହେଁ, ବହୁସଂଖ୍ୟକ ସମାଜ ଉପରେ ଅତ୍ୟାଚାର କରିବା। ନାଲି ଆଖି ଦେଖାଇବା ଓ ମାମଲାର ଧମକ ଦେବା। ଶାନ୍ତିର ମାନେ ନିରପେକ୍ଷତା ଅବଲମ୍ବନ କରିବା। ନିରପେକ୍ଷ କେବଳ କହିଲେ ହେବ ନାହିଁ ବରଂ କାମରେ ଦେଖାଇବାକୁ ପଡ଼ିବ। ରାଜ୍ୟ ସରକାର ରାଜଧର୍ମ ପାଳନ କରନ୍ତୁ ଓ ନିରପେକ୍ଷ ରୁହନ୍ତୁ ବୋଲି ସମ୍ବଲପୁର ହିଂସା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁରରେ ସ୍ଥାନୀୟ ପ୍ରଶାସନର ଅପାରଗତା ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ବହୁ ଲୋକ ଆହତ ହେବା ସହ ଧନ ସମ୍ପତ୍ତି ନଷ୍ଟ ହେଲା। ହନୁମାନ ଜୟନ୍ତୀରେ ଜଣେ ଜନଜାତି ପିଲାକୁ ହତ୍ୟା କରାଗଲା। ସ୍ଥାନୀୟ ପୁଲିସ ଏଫଆଇଆରରେ ନିଜେ ଏହି କଥା ଲେଖିଛନ୍ତି। ମାତ୍ର ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନ ଯେଉଁ ଦାୟିତ୍ୱ ନେବା କଥା ତାହା ପରିଲକ୍ଷିତ ହେଉନାହିଁ। ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ବଢ଼ୁଛି। ସମାଜର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପୁଲିସ ନିର୍ଦ୍ଦିଷ୍ଟ ଭାବେ ଦୋଷୀ ସାବ୍ୟସ୍ତ କରିବାର ଅପଚେଷ୍ଟା କରୁଛି। ଏକତରଫା ଭାବେ ପୁଲିସ ଡିଜି, ସ୍ଥାନୀୟ ଡିଆଇଜି, ସ୍ଥାନୀୟ ଏସପି କାମ କରୁଥିବା ନେଇ ବିଜେପି ପ୍ରଥମ ଦିନରୁ ଅଭିଯୋଗ କରି ଆସୁଛି। ଜାତୀୟ ଏସ୍‌ଟି କମିସନର ସଦସ୍ୟମାନେ ଏହି ଘଟଣାର ତଥ୍ୟ ସଂଗ୍ରହ କରିବାକୁ ଆସିଥିଲେ। ହେଲେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଅସହଯୋଗ କରିଥିଲା। ସମ୍ବଲପୁରର ଅଭାବନୀୟ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂସଦୀୟ ପ୍ରତିନିଧି ଦଳକୁ ନେଇ ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରିଛନ୍ତି। ଏଥିପାଇଁ ଶ୍ରୀ ପ୍ରଧାନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।