ଓଏମ୍‌ସି ଖଣିଜ ପଦାର୍ଥ ବିକ୍ରିରେ ସ୍ବଚ୍ଛତା ପାଇଁ ଆଇଟି ବ୍ୟବସ୍ଥା: ଜିଆଇଓଏମ୍‌, ଭିମ୍‌ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ଏଣିକି ଓଡ଼ିଶା ଖଣିଜ ନିଗମ (ଓଏମ୍‌ସି)ରୁ ଭେଣ୍ଡରମାନେ ପ୍ରଯୁକ୍ତି ବିଦ୍ୟା ସହାୟତାରେ ସ୍ବୟଂକ୍ରିୟ ପଦ୍ଧତିରେ ଖଣିଜ କଞ୍ଚାମାଲ ପାଇପାରିବେ। ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଆଇଓଏମ୍‌ ଓ ଭିମ୍‌ସ୍‌ ପରି ଦୁଇଟି ଆଇଟି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହାସହିତ ଓଏମ୍‌ସିର କନିଷ୍ଠ ବର୍ଗରେ ୧୦୦ ଜଣ କାର୍ଯ୍ୟନିର୍ବାହୀ ସହାୟକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ନୂଆ ନିଯୁକ୍ତି ପାଇଥିବା କାର୍ଯ୍ୟନିର୍ବାହୀ ସହାୟକମାନେ ଯେପରି ଦକ୍ଷତାର ସହ ମିଳିତ ଭାବେ ରାଜ୍ୟ ପାଇଁ କାମ କରିବେ ସେ ନେଇ ମୁଖ୍ୟମନ୍ତ୍ରୀ ଗୁରୁ ମନ୍ତ୍ର ଦେଇଛନ୍ତି। ଖାଲି ସେତିକି ନୁହେଁ ଚାକିରିକାଳ ଭିତରେ ନିଜର କର୍ତ୍ତବ୍ୟ ସମ୍ପାଦନ ବେଳେ ପ୍ରଶାସନିକ ସଂସ୍କାର କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇଥିବା ୫’ଟି’ ସ୍ବଚ୍ଛତାକୁ ମୂଳ ମନ୍ତ୍ର ଭାବେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟର ଆର୍ଥିକ ବିକାଶରେ ଓଡ଼ିଶା ଖଣି ନିଗମର ଅବଦାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଏହାସହିତ ନିଗମର ସାମାଜିକ ଦାୟିତ୍ବବୋଧ ଯୋଗୁ ଅନେକ ସାମାଜିକ କାର୍ଯ୍ୟ ସମ୍ଭବ ହୋଇପାରିଥିବା ନେଇ ସେ ମତବ୍ୟକ୍ତ କରିଥିଲେ। ବିଶେଷକରି ଖଣି ପରିଚାଳନାରେ ଓଏମ୍‌ସିର ଦକ୍ଷତା ବୃଦ୍ଧି ପାଇଁ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି କିପରି ଅଧିକରୁ ଅଧିକ ସ୍ବଚ୍ଛତା ଆସିପାରିବ ତାକୁ ସରକାର ଗୁରୁତ୍ବ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଗନ୍ଧମାର୍ଦ୍ଦନ ଲୁହା ପଥର ଖଣିରୁ ଖଣି ଚାଲାଣ ବ୍ୟବସ୍ଥାକୁ ସ୍ବୟଂକ୍ରିୟ (ଜିଆଇଓଏମ୍‌) କରାଯାଇଛି। ଫଳରେ ନିର୍ଦ୍ଧାରିତ ସମୟରେ ଲୁହାପଥର ଚାଲାଣ, ବିକ୍ରି କ୍ଷେତ୍ରରେ ଗୁଣାତ୍ମକ ମାନ ଆସିବା ସହିତ ସ୍ବଚ୍ଛତା ବଜାୟ ରହିବ। ସେହିପରି ଓଏମ୍‌ସି ଠାରୁ ଲୁହାପଥର ଓ ଅନ୍ୟ ଖଣିଜ ପଦାର୍ଥ କିଣିବାକୁ ଇଚ୍ଛୁକ ଗ୍ରାହକମାନେ ଭେଣ୍ଡର ଇନଭଏସ୍‌ ମ୍ୟାନେଜମେଣ୍ଟ୍‌ ସିଷ୍ଟମ୍‌ (ଭିମ୍‌ସ) ଜରିଆରେ ଅନ୍‌ଲାଇନରେ ବୁକ୍‌ କରିବା ସହିତ ନିର୍ଦ୍ଧାରିତ ସମୟରେ ଅର୍ଥ ପଇଠ କରିପାରିବେ। ଏହି ଦୁଇଟି ଆଇଟି ବ୍ୟବସ୍ଥା ଓଏମ୍‌ସିର ଖଣି ପରିଚାଳନାରେ ଆହୁରି ଦକ୍ଷତା ଓ ସ୍ବଚ୍ଛତା ଆଣିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ୧୯୫୬ ମସିହାରୁ ଓଏମ୍‌ସି ରାଜ୍ୟର ବିକାଶ କ୍ଷେତ୍ରରେ ମହତ୍ବପୂର୍ଣ୍ଣ ଅବଦାନ ଦେଇଆସିଛି। ଏହି ଅବସରରେ ନବ ନିଯୁକ୍ତ କନିଷ୍ଠ ବର୍ଗ କାର୍ଯ୍ୟନିର୍ବାହୀ ସହାୟକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୫’ଟି’ ସଚିବ ଭି.କେ ପାଣ୍ଡିଆନ୍‌ ସରକାରଙ୍କ ପ୍ରଶାସନିକ ସଂସ୍କାର ସମ୍ପର୍କରେ ଅବଗତ କରିବା ସହିତ ରାଜ୍ୟର ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଓଏମ୍‌ସିର ଲୁହା ପଥର ଉତ୍ତୋଳନ ଓ କାରବାର ଯୋଗୁ ରାଜ୍ୟର ରାଜସ୍ବ ସଂଗ୍ରହରେ ଯଥେଷ୍ଟ ସହାୟକ ହୋଇପାରିଛି। ଆଗାମୀ ଦୁଇରୁ ତିନି ବର୍ଷ ଭିତରେ ଖଣିଜ ଉତ୍ତୋଳନ ଦୁଇଗୁଣ କରିବା ସହିତ ଆସନ୍ତାବର୍ଷ ୨ ବିଲିୟନ୍‌ ଡଲାର ଉତ୍ପାଦନ ପାଇଁ ଓଏମ୍‌ସି ଲକ୍ଷ୍ୟ ରଖିଛି। ଅତୀତରେ ଖଣି ପରିଚାଳନାକୁ ସ୍ବଚ୍ଛ କରିବା ପାଇଁ ନିଗମ ପକ୍ଷରୁ ଅନେକ ବୈଷୟିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯେପରିକି ସାପ୍‌ହାନା, ଇ-ଅଫିସ୍‌, ସିଆଇଏମ୍‌ଏସ୍‌, ଏସ୍‌ଏମ୍‌ଏସ୍‌, କମ୍ପ୍ଲିଆନ୍‌ସ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌, ଲିଟିଗେସନ୍‌ ମ୍ୟାନେଜେମେଣ୍ଟ୍‌ ସିଷ୍ଟମ୍‌, ପ୍ରୋଜେକ୍ଟ ମନିଟରିଂ ଟୁଲ୍‌, ଆସେଟ୍‌ ଟ୍ରାକିଂ ସିଷ୍ଟମ୍‌ ଓ ସେଫ୍‌ଟି ମ୍ୟାନେଜ୍‌ମେଣ୍ଟ ସିଷ୍ଟମ ପରି ଆଇଟି ବ୍ୟବସ୍ଥା ସାମିଲ କରାଯାଇଛି।

ଏହି କାର୍ଯ୍ୟକ୍ରମକୁ ଖଣି ଓ ଇସ୍ପାତ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଏମ୍‌ସି ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପରିଚାଳନା କରିଥିଲେ। ଏହାସହିତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବରିଷ୍ଠ ଅଧିକାରୀଙ୍କ ସମେତ ଓଏମ୍‌ଏସି ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର