ବାଲେଶ୍ବର: ବାଲେଶ୍ବର ରେଳ ଷ୍ଟେସନ୍ରେ ଜଣେ ଯାତ୍ରୀ ତଥା ଆଇନଜୀବୀ ପାର୍ଥସାରଥୀ ଦତ୍ତଙ୍କୁ ରେଳ ଟିକେଟ୍ ନୀରିକ୍ଷକ କ୍ରିଷ୍ଣା ଚନ୍ଦ୍ର ସାହୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିବା ଅଭିଯୋଗରେ ଆଜି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ଷ୍ଟେସନ୍ ମ୍ୟାନେଜର ରବିନାରାୟଣ ମହାନ୍ତି ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଆଇନଜୀବୀ ଶ୍ରୀ ଦତ୍ତ ଭୁବନେଶ୍ବରରେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ସଂପର୍କୀୟ ଚିକିତ୍ସାଧୀନ ଥିବାବେଳେ ତାଙ୍କୁ ଦେଖିବା ପାଇଁ ରେଳ ଷ୍ଟେସନ୍ରୁ ସୁପରଫାଷ୍ଟ ଟ୍ରେନ୍ ଟିକେଟ୍ ୯୫ ଟଙ୍କାରେ ଗତକାଲି କାଟିଥିଲେ। ବାଙ୍ଗରିପୋଷି ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ୍ ସେହିଦିନ ୨ ନଂ ପ୍ଲାଟଫର୍ମରେ ଛିଡ଼ାହେବା ପରେ ଶ୍ରୀ ଦତ୍ତ ଟ୍ରେନ୍ ବଗି ଭିତରକୁ ଯିବା ସକାଶେ ପ୍ଲାଟଫର୍ମରେ ଯାଉଥିବା ବେଳେ ଟିକେଟ୍ ନୀରିକ୍ଷକ ଶ୍ରୀ ସାହୁ ଶ୍ରୀ ଦତ୍ତଙ୍କର ଟିକେଟ୍ ଯାଞ୍ଚ୍ କରିବା ସହିତ ଏକ କୋଠରୀ ଭିତରକୁ ତାଙ୍କୁ ନେଇଯାଇଥିଲେ।
ପରେ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ଼ ମାରିଥିଲେ। ଶ୍ରୀ ଦତ୍ତ ଯିବାକୁ ଚାହିଁଥିବା ବେଳେ ତାଙ୍କୁ ଯିବାକୁ ଦେଇନଥିଲେ। ଫଳରେ ଟ୍ରେନ୍ଟି ଏହି ସମୟରେ ପଳାଇଯାଇଥିଲା। ଏହାକୁ ନେଇ ଶ୍ରୀ ଦତ୍ତ ମୋତେ କାହିଁକି ଏଭଳି ଦୁର୍ବ୍ୟବହାର କରୁଛନ୍ତି ପ୍ରଶ୍ନ କରିବାରୁ ଶ୍ରୀ ସାହୁ ଓଲଟା ତାଙ୍କୁ ଗାଳିଗୁଲଜ କରିଥିଲେ। ଏମିତିକି ଶ୍ରୀ ଦତ୍ତଙ୍କ ବୃତ୍ତିଗତ ଜୀବନକୁ ନେଇ ମଧ୍ୟ କଟାକ୍ଷ କରିଥିଲେ। ହେଲେ ଡାକ୍ତରଖାନାରେ ସଂପର୍କୀୟ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଶ୍ରୀ ଦତ୍ତ କିଛି ନ କହି ଭୁବନେଶ୍ବର ପଳାଇଯାଇଥିଲେ। ଭୁବନେଶ୍ବରରୁ ଫେରିଲା ପରେ ଏହି ଖବର ପ୍ରଚାରିତ ହେବାରୁ ଆଇନଜୀବୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଥିଲା।
ଆଜି ଅପରାହ୍ନରେ ଆଇନଜୀବୀ ସଂଘର ସଭାପତି ମନୋଜ ନାୟକ, ବିଜୟ ପରିଡ଼ା, ଅଭିଜିତ୍ ପଣ୍ଡା, ପ୍ରତାପ ଦାସ, ଗୋପାଳ ଶତପଥୀ, ଦେବେନ୍ଦ୍ର ସାହୁ, ବିମଳ ସେନ୍, ସତ୍ୟପ୍ରକାଶ ଦାସମହାପାତ୍ର, ନିରଞ୍ଜନ ପ୍ରଧାନ, ଭରତ ଲେଙ୍କା, ଦୀପ୍ତିକାନ୍ତ ମିଶ୍ର ପ୍ରମୁଖ ଆଇନଜୀବୀ ରେଳଷ୍ଟେସନ୍ରେ ପହଞ୍ଚି ଜିଆରପି ଥାନା ଅଧିକାରୀ ଡି ସି ପ୍ରଧାନଙ୍କଠାରେ ଲିଖିତ ଅଭିଯୋଗ କରିବା ସହ ଶ୍ରୀ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏ ବାବଦରେ ମଧ୍ୟ ବାଲେଶ୍ବର ଷ୍ଟେସନ୍ ମ୍ୟାନେଜରଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିଲା। ଥାନା ଅଧିକାରୀ ଶ୍ରୀ ପ୍ରଧାନ ଶ୍ରୀ ଦତ୍ତଙ୍କୁ ପ୍ରଥମେ ଡାକ୍ତରୀ ପରୀକ୍ଷା କରାଇବା ସହ ରେଳ ଟିକେଟ୍କୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାର ତଦନ୍ତ କରି ଶ୍ରୀ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/୪୩-1.jpg)