ପୁରୀ : ସକାଳେ ସେରେ କ୍ଷୀର, ଦ୍ବିପ୍ରହରରେ ମୁଗଜାଇ ଖେଚେଡ଼ି ସାଙ୍ଗକୁ ପୋଖରୀରୁ ଧରା ହୋଇଥିବା ସଜ ମାଛର ଝୋଳ। ସକାଳୁ ବିଲରେ ନିର୍ଧୁମ ଖଟଣୀ, ଉପରବେଳା ଗାଁ’ରୁ ସହର ଯାଏ ଖାଲିପାଦରେ ବୁଲାବୁଲି। ଅତୀତର ଏପରି କିଛି କଥାକୁ ନେଇ ସେ ଭାବବିହ୍ବଳ ହୁଅନ୍ତି ସତ କିନ୍ତୁ ଭବିଷ୍ୟତକୁ ନେଇଚିନ୍ତିତ ହୁଅନ୍ତି ନାହିଁ। ବଞ୍ଚିବାର ଏହି ସୂକ୍ଷ୍ମ କଳା ଯୋଗୁ ୧୦୦ଟି ବସନ୍ତକୁ ପାର୍ ହୋଇ ୧୦୬ ବର୍ଷ ବୟସରେ ପଦାର୍ପଣ କରିଥିବା ଶତାୟୁ ଜଣକ ହେଉଛନ୍ତି ଜଗନ୍ନାଥ ବିଦ୍ୟାଧରପୁର ଗୁଣ୍ଠ ପିଳିପିଳାର ବାସିନ୍ଦା ଭଗବାନ ବରାଳ। ଜ୍ବର, ଝାଡ଼ା ଓ ଥଣ୍ଡାକୁ ଛାଡ଼ିଦେଲେ ଆଜି ଯାଏ କୌଣସି ରୋଗ ପାଇଁ ନା ସେ ଡାକ୍ତରଖାନା ଯାଇଛନ୍ତି, ନା କାହା ଉପରେ ବୋଝ ହୋଇଛନ୍ତି।
ଶତାୟୁ ଭଗବାନଙ୍କର ବୟସ ଭୋଟର ପରିଚୟପତ୍ର ଅନୁଯାୟୀ ୧୦୬ ବର୍ଷ ହୋଇଥିଲେ ହେଁ ବାସ୍ତବରେ ତାଙ୍କ ବୟସ ୧୧୬ ବୋଲି ସେ ଦାବି କରନ୍ତି। ସାରା ଜୀବନ ସେ ସକାରାତ୍ମକ ଭାବନା ଓ ଚିନ୍ତାମୁକ୍ତ ଜୀବନ ଜିଇଁ ଆସିଛନ୍ତି। ଦାନ୍ତ ସିନା ଝଡ଼ି ଯାଇଛି, କିନ୍ତୁ ସ୍ମୃତି ଶକ୍ତି ଏବେ ବି ପ୍ରଖର ଅଛି। ଶୁଣିବାରେ ସମସ୍ୟା ନାହିଁ। ଆଖିକୁ ସ୍ପଷ୍ଟ ଦେଖାଯାଉଛି। ଭଗବାନଙ୍କ କହିବା ମୁତାବକ, ଘରଠୁ ସାଢ଼େ ୭କିଲୋମିଟର ଚାଲିଚାଲି ଶ୍ରୀମନ୍ଦିର ଓ ପ୍ରତି ସୋମବାର ଲୋକନାଥ ମନ୍ଦିରକୁ ଯା’ଆସ କରନ୍ତି। ଏଇ କିଛି ବର୍ଷ ହେଲା ସେ ମନ୍ଦିର ସିନା ଯାଇପାରୁନାହାନ୍ତି କିନ୍ତୁ ମନରୁ ବଳ ଅପସରି ଯାଇନାହିଁ।
ତାଙ୍କ କହିବା ମୁତାବକ, ଯୁଆନ ଥିବାବେଳେ ପ୍ରାୟ ୬ ଏକର ଜମିରୁ ଅଧିକାଂଶରେ ସେ ନିଜେ ହଳ କରନ୍ତି। ବିନା ରାସାୟନିକ ସାରରେ ବାସୁମତି, ପଦ୍ମକେଶରୀ ଓ ଆତ୍ମା ଶୀତଳ ଚାଉଳ ଅମଳ କରନ୍ତି। କ୍ଷୀର, ଦହି, ଘିଅ ଓ ଲହୁଣି ତାଙ୍କ ଘରେ ସବୁବେଳେ ମହଜୁଦ ଥାଏ। ଏସବୁ ତାଙ୍କର ନିତିଦିନିଆ ଖାଦ୍ୟ। ମାଇନର ଯାଏ ପାଠ ପଢ଼ିଛନ୍ତି, କିନ୍ତୁ ପୁରାଣ ଶାସ୍ତ୍ରରେ ଢେର ଜ୍ଞାନ ବାଣ୍ଟିବାରେ ସାମର୍ଥ୍ୟ ରଖିଛନ୍ତି। ଅତୀତରେ ବାଡ଼ି ହଇଜାରେ ସେ ନିଜ ଗାଁ’ରେ ୧୬ ଜଣ ବ୍ୟକ୍ତିଙ୍କୁ ଦୁନିଆ ଛାଡ଼ିବା ଦେଖିଛନ୍ତି, କିନ୍ତୁ ସେଥିରୁ ବି ସେ ବର୍ତ୍ତିଯାଇଛନ୍ତି। କେବେ କୌଣସି ନିଶାର କବଳରେ ପଡ଼ିନାହାଁନ୍ତି।
ଭଗବାନଙ୍କ ପୁଅ ୮୬ ବର୍ଷୀୟ ହରିବନ୍ଧୁ ବରାଳଙ୍କ କହିବା ମୁତାବକ, କେବେ ସେ ବାପାଙ୍କୁ ଚିନ୍ତାଗ୍ରସ୍ତ ହେବା ଦେଖିନାହାନ୍ତି। ସବୁବେଳେ ନିଜକୁ କର୍ମ ତତ୍ପର ରଖିଛନ୍ତି। ସକରାତ୍ମକ କଥା କହି ଉତ୍ସାହିତ କରିଆସିଛନ୍ତି। କୌଣସି ଖାଦ୍ୟ ଦେଲେ କେବେ ବାରନ୍ତି ନାହିଁ। କେବେ କିଛି ଦାବି କରନ୍ତି ନାହିଁ କି ରାଗନ୍ତି ନାହିଁ। ନିଜ କାମ ନିଜେ କରନ୍ତି। କୌଣସି ଆଶା ଓ ଅଭିଳାଷ ଆଗରୁ ନଥିଲା କି ଏବେ ବି ନାହିଁ। ବୋଧହୁଏ ତାଙ୍କ ଜୀବନଶୈଳୀ ତାଙ୍କୁ ଏଯାଏ ଶାରୀରିକ ଓ ମାନସିକ ସ୍ତରରେ ଏଯାଏ ମଜଭୁତ ରଖିଛି ବୋଲି ସେ କହିଛନ୍ତି।
-ସତ୍ୟନାରାୟଣ ରାଉତରାୟ