ସମ୍ବଲପୁର: ଡାକ ବିଭାଗର ଅ‌ବହେଳା ଓ ଦାୟିତ୍ବହୀନତା କାରଣରୁ ଜଣେ ମେଧାବୀ ଛାତ୍ର ମିଳିବାକୁ ଥିବା ଆର୍ଥିକ ପ୍ରୋତ୍ସାହନରୁ ବଞ୍ଚିତ ହେଲେ। ଏଥି ପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା। ଏହାକୁ ବିଚାରକୁ ନେଇ ସମ୍ବଲପୁର ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ଡାକବିଭାଗକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସମ୍ବଲପୁର ବିଶ୍ବବିଦ୍ୟାଳୟ ଗଣିତ ବିଭାଗର ଦେବାଶିଷ ମହାପାତ୍ର ନାମକ ଜଣେ ମେଧାବୀ ଛାତ୍ର ଗଣିତ ଓ ପ୍ରୟୋଗ ସଂସ୍ଥାନ (ଆଇଏମ୍‌ଏ) ତରଫରୁ ୨୦୧୫-୧୬ ଶିକ୍ଷା ବର୍ଷରେ ୪୪ ‌ହଜାର ଟଙ୍କାର ଆର୍ଥିକ ପୁରସ୍କାର (ଛାତ୍ର ବୃତ୍ତି) ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଏଥି ପାଇଁ ସେ ଆଇଏମ୍‌ଏର ନିୟମ ମୁତାବକ ଆବଶ୍ୟକ କାଗତପତ୍ର ଜ୍ୟୋତିବିହାର, ବୁର୍ଲା ଡାକଘରରୁ ସ୍ପିଡ୍‌ପୋଷ୍ଟ ଜରିଆରେ ପଠାଇଥିଲେ। ହେଲେ ଆଇଏମ୍‌ଏ ତରଫରୁ ତାଙ୍କୁ ବୃତ୍ତି ମିଳି ନଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କାଗଜପତ୍ର ମିଳି ନଥିବାରୁ ବୃତ୍ତି ଦିଆଗଲା ନାହିଁ ବୋଲି ଆଇଏମ୍‌ଏ ପକ୍ଷରୁ କହାଗଲା।

Advertisment

ଏହାପରେ ଦେବାଶିଷ ସମ୍ବଲପୁର ଡାକ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର ଉତ୍ତରରେ ସମ୍ବଲପୁର ଡାକ ଅଧୀକ୍ଷକ ପତ୍ର ସଂଖ୍ୟା ସିଆର୍/୧୦୦୭୧-୯୮୧୩୩/୧୬-୧୭ ଜରିଆରେ ଭୁବନେଶ୍ବରର ମହାଲକ୍ଷ୍ମୀବିହାର ଡାକଘର ଉକ୍ତ ସ୍ପିଡ୍‌ ପୋଷ୍ଟ ସାମଗ୍ରୀଟିକୁ ହଜାଇ ଦେଇଥିବା ଜଣାଇଥିଲେ। ଏହାପରେ ଅଭିଯୋଗକାରୀ ମୁଖ୍ୟ ମହାଡାକପାଳଙ୍କୁ ଏଡି ସହ ରେଜିଷ୍ଟ୍ରି ଡାକରେ ଆଇନ୍‌ଗତ ନୋଟିସ୍‌ ପଠାଇଥିଲେ। କିନ୍ତୁ କୌଣସି ଉତ୍ତର ମିଳି ନଥିଲା। ଏହାପରେ ସେ ଖାଉଟି ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ।

ଏହି ମାମଲାର ବିଚାର କରି ସମ୍ବଲପୁର ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗର ସଭାପତି ଡ. ରମାକାନ୍ତ ଶତପଥୀ ଏବଂ ସଦସ୍ୟ ସଦାନନ୍ଦ ତ୍ରିପାଠୀ ଦର୍ଶାଇଛନ୍ତି ଯେ ଡାକ ବିଭାଗର ଅବହେଳା ଓ ସେବା ପ୍ରଦାନରେ ତ୍ରୁଟି କାରଣରୁ ଅଭିଯୋଗକାରୀ ଛାତ୍ରବୃତ୍ତିରୁ ବଞ୍ଚିତ ହୋଇଛନ୍ତି। ଏହାଦ୍ବାରା ସେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବା ସହ ମାନସିକ କଷ୍ଟ ଭୋଗିଛନ୍ତି। ତେଣୁ ଅଭିଯୋଗକାରୀଙ୍କୁ ଡାକ ବିଭାଗ ଅର୍ଥାତ୍‌ ମାମଲାର ତିନି ପ୍ରତିପକ୍ଷ ଜ୍ୟୋତିବିହାର ପୋଷ୍ଟମାଷ୍ଟର, ସମ୍ବଲପୁର ଡାକ ଅଧୀକ୍ଷକ ଏବଂ ମୁଖ୍ୟମହାଡାକପାଳ ଭୁବନେଶ୍ବର ଛାତ୍ର ବୃତ୍ତି ବାବଦ ୪୪ ହଜାର ଟଙ୍କା, ତ୍ରୁଟିଯୁକ୍ତ ସେବା ଯୋଗୁଁ ମାନସିକ କଷ୍ଟ ପହଞ୍ଚାଇଥିବାରୁ ୫୦ ହଜାର ଟଙ୍କା କ୍ଷତିପୂରଣ ଓ ମକଦ୍ଦମା ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ପାଇବାର ୩୦ ଦିନ ମଧ୍ୟରେ କ୍ଷତିପୂରଣ ବାବଦ ଅର୍ଥ ନଦେଲେ ୯% ହାରରେ ସୁଧ ଦେବାକୁ ପଡ଼ିବ ବୋଲି ରାୟରେ କହାଯାଇଛି।