ଦେବାର ଥିଲା ବାର୍ଷିକ ୨୦ ଲକ୍ଷ, ପାଲଟା ନେଇଗଲେ ୬୨ ଲକ୍ଷ

ପୁରାତନ ଛାତ୍ରଙ୍କ ଆନ୍ଦୋଳନ, ଲ’ କଲେଜରେ ଅଚଳାବସ୍ଥା

ସମ୍ବଲପୁର,: ଲଜପତ ରାୟ ଲ’ କଲେଜର ନିଜସ୍ବ ପାଣ୍ଠିରେ ଥିବା ୬୨ଲକ୍ଷ ୬୭ ହଜାର ଟଙ୍କା ସମ୍ବଲପୁର ବିଶ୍ବବିଦ୍ୟାଳୟ ନେଇଯିବା ଘଟଣାକୁ ନେଇ ଛାତ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି। ଛାତ୍ର ଓ ପୁରାତନ ଛାତ୍ରମାନଙ୍କ ଦୃଢ଼ ପ୍ରତିବାଦ ଯୋଗ ଆଜି କଲେଜର କୌଣସି କାର୍ଯ୍ୟ ହୋଇପାରି ନାହିଁ।

ପୁରାତନ ଛାତ୍ର ସଂଘର ସଂପାଦକ ଦୁର୍ଗା ପାଢ଼ୀ ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଲଜପତ ରାୟ ଲ’ କଲେଜରେ ବହୁ ଦିନରୁ ସମସ୍ୟା ଲାଗି ରହିଛି। ଛାତ୍ରଛାତ୍ରୀମାନେ ଏଠାକାର ସମସ୍ୟା ସମାଧାନ ପାଇଁ ବହୁ ପୂର୍ବରୁ ଦାବି କରିଆସୁଛନ୍ତି। ଗତ ୨୦୧୪ ମସିହାରେ ବିଶ୍ବବିଦ୍ୟାଳୟ ପ୍ରଶାସନ ଛାତ୍ରଛାତ୍ରୀମାନଙ୍କ ଦାବିପୂରଣ ପାଇଁ ପ‌ଦକ୍ଷେପ ନେଇଥିଲା। ପ୍ରତ୍ୟେକ ବର୍ଷ ଏହି କଲେଜକୁ ବିଶ୍ବବିଦ୍ୟାଳୟ ନିଜସ୍ବ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ ସ୍ଥିର ହୋଇଥିଲା। ବିଶ୍ବବିଦ୍ୟାଳୟର ତତ୍କାଳୀନ କୁଳସଚିବ ସୁଦର୍ଶନ ଦାସ ଗତ ୩୧ ଜାନୁଆରି ୨୦୧୪ରେ ଏ ସଂକ୍ରାନ୍ତରେ କଲେଜ ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଅବଗତ କରିଥିଲେ।

ଏହି ଅର୍ଥରେ ‌କଲେଜ କୋଠାର ମରାମତି, ନବୀକରଣ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଆଦି ବାବଦକୁ ଖର୍ଚ୍ଚ କରାଯିବ ସେ ଉଲ୍ଲେଖ କରିଥିଲେ। ଏଥିପାଇଁ ବିଶ୍ବବିଦ୍ୟାଳୟର ବଜେଟରେ ଅତିରିକ୍ତ ୨୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯିବାର ଏହି ପତ୍ରରେ ସେ ଦର୍ଶାଇ ଥିଲେ। ଇତିମଧ୍ୟରେ ବିଶ୍ବବିଦ୍ୟାଳୟ ଅନ୍ୟୁନ ୧ କୋଟି ୨୦ ଲକ୍ଷ ଟଙ୍କା ଲ’ କଲେଜକୁ ପ୍ରଦାନ କରିବା କଥା। କିନ୍ତୁ, ଟଙ୍କା ଦେଇନାହିଁ। ପାଲଟା ଏଠାକାର ନିଜସ୍ବ ଟଙ୍କାକୁ ବିଶ୍ବବିଦ୍ୟାଳୟ ନେଇଯାଇଛି। ବିଶ୍ବବିଦ୍ୟାଳୟ କୁଳପତି ମନମୁଖି କାମ କରୁଛନ୍ତି ବୋଲି ପୁରାତନ ଛାତ୍ରସଂଘର ସଂପାଦକ ତଥା ବିଶ୍ବବିଦ୍ୟାଳୟର ପୂର୍ବତନ ସିଣ୍ଡିକେଟ ସଦସ୍ୟ ଦୁର୍ଗା ପାଢ଼ୀ ଆଜି ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର