ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିବ ଥଣ୍ଡା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ‌ର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୩ରୁ ୪ ଡିଗ୍ରି ଯାଏ ତଳକୁ ଖସିବ। ଗତ ୨ ଦିନ ହେଲା ରାଜ୍ୟର ପାରଦସ୍ତରରେ ବୃଦ୍ଧି ଦେଖାଯିବା ସହ ଅଧିକାଂଶ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଥିଲା। ଅନ୍ୟପଟେ ଆଜି ସକାଳେ ସକ୍ରିୟ ଅବପାତ ଧୀରେଧୀରେ ଦୁର୍ବଳ ହୋଇ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି।

Advertisment

ଏହାର ପ୍ରଭାବରେ ଆଜି ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତାକାଲିଠାରୁ ରାଜ୍ୟର ପାଗ ଶୁଖିଲା ରହିବ। ଫଳରେ କାଲି ରାତିରୁ ହିଁ ରାଜ୍ୟର ପାରଦ ଖସିବା ଆରମ୍ଭ ହୋଇଯିବ ଓ ଶୀତ ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ‌ କେନ୍ଦ୍ର ପକ୍ଷରୁ କୁହାଯାଇଛି।