ସହଜ ହେବ ଆଜୀବନ କଏଦୀଙ୍କ ମୁକୁଳିବା ବାଟ, ଆଉ ଲମ୍ବା ସମୟ ଅପେକ୍ଷା କରିବାକୁ ପଡିବନି

ଭୁବନେଶ୍ବର: ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା କଏଦୀଙ୍କୁ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବନି। ମୁକୁଳିବା ପାଇଁ ଏବେ ସହଜ ହେବ ସରକାରଙ୍କ ନୂଆ ନିୟମ। ଏଥିପାଇଁ ଜେଲ୍ ବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ୧୪ ବର୍ଷ ସଜା କାଟିଥିବା ଓ ବ୍ୟବହାରରେ ପରିବର୍ତ୍ତନ ଆସିଥିବା କଏଦୀଙ୍କର ତାଲିକା ମଗାଯିବା ପରେ ସମୀକ୍ଷା ହେବ ବୋଲି ଜଣାପଡ଼ିଛି। ଦୁଇରୁ ତିନି ମାସ ଭିତରେ ଏହି ପ୍ରକ୍ରିୟା ଶେଷ ହେବ କରାଯିବ ବୋଲି ନିର୍ଦ୍ଦେଶ ମଧ୍ୟ ରହିଛି।

ମିଳିଥିବା ସୂଚନା ଅନୁସାରେ, ନିକଟରେ ଛତିଶଗଡ଼ର ଜଣେ କଏଦୀ ହତ୍ୟା ମାମଲାରେ ୧୪ ବର୍ଷ ସଜା କାଟି ସାରିବା ପରେ ଜେଲରୁ ମୁକୁଳିବା ପାଇଁ ଆବେଦନ କରିଥିଲେ। ୨୦୧୭ ମାର୍ଚ୍ଚରେ ସେ ୧୪ ବର୍ଷ ପୂରଣ କରୁଥିବା ବେଳେ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଫାଇଲ ପଡ଼ି ରହିବା ପରେ ଆଗକୁ ବଢ଼ିଥିଲା। ୨୦୨୦ ସେପ୍ଟେମ୍ବରରେ ଏହି ଫାଇଲ ଅନୁମୋଦନ ଲାଭ କରିଥିଲା। ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ଅହେତୁକ ବିଳମ୍ବ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ସର୍ବନିମ୍ନ ସଜା(୧୪ ବର୍ଷ) କାଟି ସାରିଥିବା ଆଜୀବନ କଏଦୀଙ୍କୁ ମୁକୁଳାଇବା ବାଟ ବାହାର କରିବା ପାଇଁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

ପରିସ୍ଥିତିରେ ପଡ଼ି ହତ୍ୟା ମାମଲାରେ ଆଜୀବନ ସଜା ପାଇଥିବା କଏଦୀ ଯଦି ସର୍ବନିମ୍ନ ୧୪ ବର୍ଷ ଜେଲଦଣ୍ଡ ଭୋଗି ସାରିଥିବେ ଏବଂ ତାଙ୍କ ବ୍ୟବହାର ଉତ୍ତମ ହୋଇଥିବ, ତାହେଲେ ସେହି ମାମଲାଗୁଡିକୁ ବିଚାରକୁ ନିଆଯିବ। ପୂର୍ବରୁ ଏଭଳି କଏଦୀ ନିଜ ଆଡୁ ଆବେଦନ କରୁଥିବାବେଳେ ଏବେ ଜେଲ ପକ୍ଷରୁ ସେମାନଙ୍କୁ ଆବେଦନ କରିବା ଲାଗି କୁହାଯାଇଛି। ଏ ସମ୍ପର୍କରେ ଜେଲ୍ ସୁପରିଣ୍ଟେଣ୍ଡଣ୍ଟ ମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ମାସେ ଭିତରେ ସେମାନେ ତାଲିକା ପ୍ରସ୍ତୁତ କରିବେ। କଏଦୀମାନେ ଆବେଦନ କରିବା ପରେ ଏହି ଫାଇଲ ଜେଲ ବିଭାଗକୁ ଯିବ। ଜେଲ ବିଭାଗ ଏହି ଫାଇଲକୁ ଗୃହ ବିଭାଗକୁ ପଠାଇବ। ଗୃହ ବିଭାଗ ଏହାକୁ ରାଜ୍ୟ ଦଣ୍ଡବିଧାନ ରିଭ୍ୟୁ କମିଟିକୁ ପଠାଇବେ। ସେଠାରେ ଏହି ଆବେଦନଗୁଡ଼ିକର ସମୀକ୍ଷା କରାଯିବ। ଯେଉଁମାନେ ମୁକୁଳିବା ପାଇଁ ଯୋଗ୍ୟ ବିବେଚିତ ହେବେ ସେମାନଙ୍କର ଫାଇଲ ମୁଖ୍ୟମନ୍ତ୍ରୀଙ୍କୁ ଅନୁମୋଦନ ପାଇଁ ପଠାଯିବ। ଏହା ପରେ ରାଜ୍ୟପାଳଙ୍କଠାରୁ ଚୂଡ଼ାନ୍ତ ଅନୁମୋଦନ ଲାଭ କରିବ। ଗୃହ ବିଭାଗରୁ ଦଣ୍ଡ ବିଧାନ ରିଭ୍ୟୁ କମିଟି ପାଖରେ ଅତି ବେଶୀରେ ଦୁଇରୁ ତିନି ମାସ ଭିତରେ ଫାଇଲ ପହଞ୍ଚିବ ଓ ସମୀକ୍ଷା ଶେଷ ହେବ ବୋଲି ବୋଲି ସମୟ ଧାର୍ଯ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ଦୁଇ ବର୍ଷ ଭିତରେ ରାଜ୍ୟର ବିଭିନ୍ନ ଜେଲରୁ ଏହିପରି ଭାବେ ୩୦ ଜଣ ଆଜୀବନ କଏଦୀ ମୁକୁଳିଥିବା ବେଳେ ଦଣ୍ଡବିଧାନ ରିଭ୍ୟୁ କମିଟି ପାଖରେ ୪୮ଟି ଫାଇଲ ପଡ଼ି ସମୀକ୍ଷା ପାଇଁ ଅପେକ୍ଷା କରିଛି।

ସମ୍ବନ୍ଧିତ ଖବର