ଭୁବନେଶ୍ବର : ସରକାରଙ୍କଠାରୁ ଲିଜ୍‌ ସୂତ୍ରରେ ଜମି ପାଇଥିବା ଲିଜ୍‌ଧାରୀଙ୍କ ପାଇଁ ଖୁସି ଖବର। ‘ଲିଜ୍-ହୋଲ୍ଡ୍’ ଜମିକୁ ‘ଫ୍ରି-ହୋଲ୍ଡ୍’ରେ ପରିବର୍ତ୍ତନ କରିବା ଏଥର ସହଜ ହେବ। ଏହାକୁ ସହଜ ଓ ସୁଗମ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଜମିର ମାଲିକାନା ହସ୍ତାନ୍ତର ସମ୍ବନ୍ଧୀୟ ବିଭିନ୍ନ ଦିଗ ଓ ପ୍ରଚଳିତ ନିୟମାବଳୀକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହା ଉପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଲିଜ୍‌ ହୋଲ୍ଡକୁ କିଭଳି ସହଜରେ ଫ୍ରି-ହୋଲ୍ଡ କରିହେବ, ସେନେଇ ବ୍ୟବସ୍ଥା କରିବାକୁ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଓ ରାଜ୍ୟ ହାଉସିଂବୋର୍ଡଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିପାଇଁ ନିର୍ଦ୍ଦିଷ୍ଟ କ୍ଷମତା ବିକେନ୍ଦ୍ରୀକରଣ ଓ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସପ୍ତାହେ ମଧ୍ୟରେ ଏହି ପ୍ରସ୍ତାବ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଇବାକୁ ଉଭୟ ବିଭାଗକୁ କୁହାଯାଇଛି। ଏହା ହେଲେ ଅଣ-ବ୍ୟାବସାୟିକ ଘରୋଇ ବାସଗୃହ ନିମନ୍ତେ ଜମି ଲିଜ୍‌ଧାରୀମାନେ ସହଜ ଓ ସୁବିଧାରେ ଫ୍ରି-ହୋଲ୍ଡକୁ ପରିବର୍ତ୍ତନ କରିପାରିବେ।

Advertisment

ଏହି ବୈଠକରେ ଚନ୍ଦ୍ରମା ହାଉସିଂ କମ୍ପ୍ଲେକ୍ସରେ ଘର ପାଇଥିବା ଲୋକଙ୍କ ସହ ଆଲୋଚନା ହୋଇଥିଲା। ସେମାନେ ଚୁକ୍ତିପତ୍ର ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସେମାନଙ୍କ ଅଭିଯୋଗର ବିଚାର କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏକ ମାସ ମଧ୍ୟରେ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଡିଏକୁ ୩୭ଟି ହାଉସିଂ ସ୍କିମ୍ ଏବଂ ଓଡ଼ିଶା ରାଜ୍ୟ ହାଉସିଂବୋର୍ଡଙ୍କୁ ୪୪ଟି ହାଉସିଂ ସ୍କିମ୍ ପାଇଁ ବିଭିନ୍ନ ସ୍ଥାନରେ ପ୍ରାୟ ୧୧୦୫ଏକର ଜମି ଲିଜ୍ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମାଧ୍ୟମରେ ସିଡିଏ(କଟକ ଉନ୍ନୟନ କର୍ତ୍ତୃପକ୍ଷ)କୁ ହାଉସିଂ ସ୍କିମ୍ ନିମନ୍ତେ ସରକାରୀ ଜମି ଲିଜ୍ ସୂତ୍ରରେ ଦିଆଯାଇଛି। ଉନ୍ନୟନ କର୍ତ୍ତୃପକ୍ଷମାନଙ୍କୁ ଲିଜ୍‌ ହୋଲ୍ଡରୁ ଫ୍ରି ହୋଲ୍ଡ ପରିବର୍ତ୍ତନ କ୍ଷମତା ପ୍ରଦାନ କରାଗଲେ ପ୍ରାୟ ୫୦ ହଜାର ପରିବାର ଉପକୃତ ହେବେ।

ଏହାଛଡ଼ା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରୁ ସିଧାସଳଖ ଅଣବ୍ୟାବସାୟିକ ଘରୋଇ ବାସଗୃହ ପାଇଁ ଲିଜ୍‌ ଜମି ଫ୍ରି ହୋଲ୍ଡ ବ୍ୟବସ୍ଥା ଜାରି ରହିଛି। ଏହି ପ୍ରକ୍ରିୟାକୁ ଆହୁରି ଅଧିକ ସରଳ ଓ ସହଜଲବ୍ଧ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।