ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳକୁ ଲାଗି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଗତ ୨୪ ଘଣ୍ଟା ଧରି ଗୋଟିଏ ଜାଗାରେ ସ୍ଥିର ରହିଛି। ସମୁଦ୍ର ପତ୍ତନର ୭.୬କିମି ଉଚ୍ଚାରେ ରହିଥିବା ଏହି କ୍ଷେତ୍ର ଦକ୍ଷିଣପଶ୍ଚିମ ଆଡକୁ ଢଳି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବା ସମ୍ଭାବନା ରହିଛି। ଅନ୍ୟପଟେ ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ମଧ୍ୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି। କୋରାପୁଟ ସମେତ ୬ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏଣୁ ୧୩ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।
ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ନନ୍ଦପୁରରେ ୧୪୦ ମିମି ବର୍ଷିଥିବା ବେଳେ ଜୟପୁରରେ ୧୩୦, ଲମତାପୁଟରେ ୧୧୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ମୟୂରଭଞ୍ଜର ମୋରଡ଼ାରେ ୧୧୦ ମିମି, ବାଲେଶ୍ବର ଭୋଗରାଇରେ ୧୧୦ ମିମି, କଳାହାଣ୍ଡିରେ ୧୧୦ମିମି ବର୍ଷା ହୋଇଛି। ଆଜି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ଭବାନୀପାଟଣାରେ ସର୍ବାଧିକ ୬୦.୮ମିମି ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ ୨୮.୪ ମିମି, କୋରାପୁଟରେ ୨୨ମିମି, ରାଉରକେଲାରେ ୧୯ ମିମି, ନୟାଗଡ଼ରେ ୧୫ମିମି, ଟିଟିଲାଗଡ଼ରେ ୧୪.୨, କଟକରେ ୧୨.୮ ମିମି ଓ ଭୁବନେଶ୍ବରରେ ୩.୬ ମିମି ବର୍ଷା ରେକର୍ଡ କରାଯାଇଛି।
ରବିବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୦ରୁ ୧୧୦ ମିମି ବର୍ଷା ସମ୍ଭାବନା ରହିଛି। ସୋମବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ମଧ୍ୟ ୭୦ରୁ ୧୧୦ ମିମି ବର୍ଷା ଆଶଙ୍କା ରହିଛି। ଦୁଇ ଦିନ ପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମଙ୍ଗଳବାର ମଧ୍ୟ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ୧୨୦ରୁ ୨୦୦ ମିମି ବର୍ଷା ସମ୍ଭାବନା ରହିଛି। ବାଲେଶ୍ୱର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ ଓ ଅନୁଗୁଳୁ ଜିଲ୍ଲାରେ ୭୦ରୁ ୧୧୦ ମିମି ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ବର୍ଷା ଜାରି ରହିବ। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସମୁଦ୍ର ପ୍ରବେଶ ବାରଣ କରାଯାଇଛି।