ଓଡ଼ିଶାରେ ଅଧିକ ବର୍ଷିବ, ରହିବନି ସମାନତା: ରଜରେ ଓଡ଼ିଶାକୁ ଆସିବ ମୌସୁମୀ

କେଉଁଠି ମେଞ୍ଚେ କେଉଁଠି କେଞ୍ଚେ ବର୍ଷିବ, ସିଝୁଛି ଓଡ଼ିଶା, ୧୮ ସହର ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ବର: ଚଳିତ ବର୍ଷ ମୌସୁମୀ ଋତୁରେ ଅର୍ଥାତ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ବର୍ଷାର ପରିମାଣ ସ୍ବାଭାବିକ ରହିବ। ଓଡ଼ିଶାରେ ସ୍ବାଭାବିକଠାରୁ ବର୍ଷାର ପରିମାଣ ଅଧିକ ରହିବ ବୋଲି ଆକଳନ କରାଯାଇଛି। ତେବେ ଏଥିରେ ଖୁସି ହେବାର କୌଣସି କାରଣ ନାହିଁ। କାରଣ ଓଡ଼ିଶାରେ ବର୍ଷାରେ ପ୍ରବଳ ଅସଙ୍ଗତି ଦେଖିବାକୁ ମିଳିବ। କେଉଁଠାରେ ମେଞ୍ଚେ ତ’ କେଉଁଠାରେ କେଞ୍ଚେ ବର୍ଷିବ। ଯାଜପୁର, ଭଦ୍ରକ ଓ ଜଗତସିଂହପୁର ଭଳି କିଛି ଅଞ୍ଚଳରେ ବର୍ଷା ସ୍ବାଭାବିକଠାରୁ ଅଧିକ ରହିବ। କିଛି ସ୍ଥାନରେ ସ୍ବାଭାବିକ ତଥା ଅନ୍ୟ କେତେକ ସ୍ଥାନରେ ବର୍ଷା ନିଅଣ୍ଟିଆ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)। ତେବେ ଓଡ଼ିଶାର କେଉଁଠାରେ କେତେ ବର୍ଷା ହେବ ଓ ବର୍ଷାର ଏ ଅସଙ୍ଗତି ଓଡ଼ିଶାର ଚାଷ ଉପରେ କ’ଣ ପ୍ରଭାବ ପକାଇବ ତାହା ସ୍ପଷ୍ଟ କରାଯାଇନାହିଁ। ଆଇଏମ୍‌ଡି ଆଜି ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସାରା ଭାରତରେ ହେବାକୁ ଥିବା ମୌସୁମୀ ବର୍ଷାର ଆକଳନ କରି ଏହି ସୂଚନା ଜାରି କରିଛି। ଅନ୍ୟପଟେ ଜୁନ୍‌ ୧୧ରୁ ୧୫ ମଧ୍ୟରେ ଅର୍ଥାତ ରଜ ସମୟରେ ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଛୁଇଁବ ବୋଲି ଆକଳନ କରାଯାଉଛି।

ଆଇଏମ୍‌ଡି କହିଛି ଯେ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସାରା ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଭଲ ବା ସ୍ବାଭାବିକ ବର୍ଷା ହେବ। ସମୁଦାୟ ବର୍ଷାର ପରିମାଣ ୯୬%ରୁ ୧୦୪% ମଧ୍ୟରେ ରହିବ। କେନ୍ଦ୍ରୀୟ ଭାରତରେ ବର୍ଷାର ପରିମାଣ ସ୍ବାଭାବିକଠାରୁ ଅଧିକ ଅର୍ଥାତ ୧୦୬% ହୋଇପାରେ। କେନ୍ଦ୍ରୀୟ ଭାରତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ଓଡ଼ିଶାରେ ମଧ୍ୟ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ତେବେ ପାଗ ଅନୁକୂଳ ନ ହେଲେ ଏବେର ପୂର୍ବାନୁମାନ ଜାରି ରହିବ ଓ ଓଡ଼ିଶାରେ ବର୍ଷାରେ ପ୍ରବଳ ଅସଙ୍ଗତି ଦେଖିବାକୁ ମିଳିବ। ଅନ୍ୟପଟେ ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମ ଭାରତରେ ବର୍ଷା ସ୍ବାଭାବିକ ରହିବ। କିନ୍ତୁ ପୂର୍ବକେନ୍ଦ୍ରୀୟ ଭାରତ ସମେତ ପୂର୍ବ ଓ ଉତ୍ତରପୂର୍ବ ଭାରତ ଓ ଦକ୍ଷିଣ-ପଶ୍ଚିମ ଭାରତର ଉପାନ୍ତ ଅଞ୍ଚଳଗୁଡ଼ିକରେ ବର୍ଷାର ପରିମାଣ ସ୍ବାଭାବିକଠାରୁ କମ୍‌ ରହିପାରେ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ରାଜ୍ୟକୁ ପୁଣି ଫେରିଛି ପ୍ରଚଣ୍ଡ ତାତି। ୪୪.୫ ଡିଗ୍ରି ତାପମାତ୍ରା ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା‌ ବେଳେ ରାଜ୍ୟର ୪ ସହର ତାପମାତ୍ରା ୪୩ ଡିଗ୍ରି ଅତିକ୍ରମ କରିଛି। ୧୮ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ସାରା ରାଜ୍ୟ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛି। ଆଜି ବଲାଙ୍ଗୀରର ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ ହୋଇଛି। ପଛକୁ ରହିଛି ଟିଟିଲାଗଡ଼ ୪୩.୨ ଡିଗ୍ରି ଓ ସମ୍ବଲପୁର ୪୩ ଡିଗ୍ରି। ଏଥିସହ ଉପକୂଳର ତାପମାତ୍ରା ମଧ୍ୟ ଆଜିଠାରୁ ବଢ଼ିବା ଆରମ୍ଭ ହୋଇଛି। ଆଜି କଟକର ଦିନ ତାପମାତ୍ରା ୩୯.୪ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରରେ ରହିଛି ୩୮ ଡିଗ୍ରି। ସେହିପରି ଚଳିତ ଗ୍ରୀଷ୍ମ ଋତୁ ବା ପ୍ରାକ୍‌ ମୌସୁମୀ ଋତୁ (ମାର୍ଚ୍ଚରୁ ମେ’)ରେ କାଳବୈଶାଖୀଜନିତ ବର୍ଷାର ପରିମାଣ କମ୍‌ ହେବା ଫଳରେ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ମାତ୍ର ୯୦.୭ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ବର୍ଷାଠାରୁ ୨୯% କମ୍‌। କୋରାପୁଟ ଓ ବୌଦ୍ଧରେ ଏହି ସମୟ କାଳରେ ସ୍ବାଭାବିକଠାରୁ ୨୦%ରୁ ୫୯% ଯାଏ ଅଧିକ ବର୍ଷା ହୋଇଛି। ବାଲେଶ୍ବର, ଜଗତସିଂହପୁର, ସୋନପୁର ଓ ବଲାଙ୍ଗୀରରେ ଅତି ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଏଠାରେ ୬୦%ରୁ କମ୍‌ ବର୍ଷା ରେକର୍ଡ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ପ୍ରାକ୍‌ ମୌସୁମୀ ଋତୁରେ ରାଜ୍ୟର ୧୭ ଜିଲ୍ଲାରେ ୨୦%ରୁ ୫୯% ଯାଏ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ‌ବେଳେ ୭ ଜିଲ୍ଲାରେ ୧୯% କମ୍‌ ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର