ଆସନ୍ତା ୩ ଦିନ ଉତ୍ତର ଓଡ଼ିଶାରେ ବର୍ଷା

ଭୁବନେଶ୍ବର: ମୌସୁମୀ ଟ୍ରଫ୍‌-ଲାଇନ୍‌ ଏବେ ପୂର୍ବରେ ଉତ୍ତରମୁହାଁ ହୋଇଛି। ଏହା ଏବେ ବିହାର, ଉତ୍ତରବଙ୍ଗ, ବାଂଲାଦେଶ ମଧ୍ୟ ଦେଇ ଗତି କରୁଛି। ଏଣୁ ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି ଜାରି ରହିଛି। ଏବେ ଉତ୍ତର ବଙ୍ଗୋପସାଗର ଓ ଏହା ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୪ରୁ ୬ତାରିଖ ମଧ୍ୟରେ ବିଶେଷକରି ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷେ ୩ ଦିନ ଧରି ମୌସୁମୀ ଦୁର୍ବଳ ରହିଛି। ଫଳରେ ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ୧ ଜୁନ୍‌ରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍‌ ଉପରେ ୪୬୫.୯ ମିମି ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୫୯୯.୭ ମିମି ବର୍ଷା ହୋଇଥାଏ। ରାଜ୍ୟର ୧୫ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସ୍ବ‌ାଭାବିକ ବର୍ଷା ହୋଇଥିବା ବେଳେ ଅବଶିଷ୍ଟ ୧୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ସ୍ଥିତି ଉପୁଜିଛି। ଏଥିସହ ଭଦ୍ରକ, ଯାଜପୁର ଓ ଗତପତିରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହେଲାଣି। ଭଦ୍ରକ ଜିଲ୍ଲାରେ ୨୭୦.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ୩୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର