ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀର ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ୍ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସାରା ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଅଗଷ୍ଟ ମାସରେ ସାରା ଦେଶରେ ସ୍ବାଭାବିକ ବର୍ଷା(୯୪ରୁ ୧୦୬%) ହୋଇପାରେ। ଏହି ମାସରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଆକଳନ କରାଯାଇଛି। ସେପଟେ ଝାଡ଼ଖଣ୍ଡ, ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗାଙ୍ଗେୟ ପଶ୍ଚିମବଙ୍ଗର ସ୍ଥଳଭାଗ ଉପରେ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ଏଥିସହ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଶୁକ୍ରବାର ପୂର୍ବାହ୍ନ ସୁଦ୍ଧା ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ।
ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୧୫୬.୬ ମିମି ବର୍ଷା ହୋଇଥିବା ବେଳେ ଜାମଦାରେ ୧୩୧, ଚନ୍ଦୁଆରେ ୧୨୬, ବେତନଟିରେ ୧୨୫, ସାରସକଣାରେ ୧୧୮, କୁସୁମିରେ ୧୦୪ ମିମି ବର୍ଷା ହୋଇଛି। ମୌସୁମୀ ଋତୁ ଅର୍ଥାତ୍ ଜୁନ ୧ରୁ ଆଜି ସୁଦ୍ଧା ରାଜ୍ୟରେ ୫୦୭ ମିମି ବର୍ଷା ହୋଇଛି, ଯେତେବେଳେ କି ୫୬୦.୬ ମିମି ବର୍ଷା ହେବା କଥା। ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ବହୁ ଅଧିକ ବର୍ଷା ହୋଇଛି। ୩ଟି ଜିଲ୍ଲାରେ ଅଧିକ ବର୍ଷା ଏବଂ ୧୫ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ବାକି ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି।