ଶୁଣିଲେନି ସରକାର: ଆଇସିଟି ବିଦ୍ୟାଳୟ ସଂଯୋଜକଙ୍କ ସମୂହ ଇସ୍ତଫା ଆଜି

ଭୁବନେଶ୍ୱର :୫ ଦଫା ଦାବି ନେଇ ଲୋୟର ପିଏମ୍‌ଜିରେ ୧୧ ଦିନ ଧାରଣାରେ ବସିବା ପରେ ମଧ୍ୟ ସରକାର ଆଇସିଟି ବିଦ୍ୟାଳୟ ସଂଯୋଜକଙ୍କ ଦାବିପ୍ରତି କର୍ଣ୍ଣପାତ କରିନାହାନ୍ତି। ଏଣୁ ପୂର୍ବ ନିଷ୍ପତ୍ତି ମୁତାବକ ଆସନ୍ତାକାଲି ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତିପ୍ରାପ୍ତ ୪ ହଜାର ଆଇସିଟି ବିଦ୍ୟାଳୟ ସଂଯୋଜକ ସମୂହ ଇସ୍ତଫା ପ୍ରଦାନ କରିବାକୁ ଯାଉଛନ୍ତି। ଆସନ୍ତାକାଲି ଏହି ସଂଯୋଜକମାନେ ପୂର୍ବାହ୍ନ ୧୧ଟା ବେଳେ ମାଷ୍ଟର କ୍ୟାଣ୍ଟିନ୍‌ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଧାନସଭା ପ୍ରବେଶ କରିବାକୁ ଉଦ୍ୟମ କରିବେ। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ସମୂହ ଇସ୍ତଫା ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା ପରେ ମଧ୍ୟ ସରକାର ବିଳମ୍ବିତ ରାତ୍ରି ସୁଦ୍ଧା ସେମାନଙ୍କର ଦାବି ପୂରଣ ନେଇ କୌଣସି ପ୍ରକାରର ସଙ୍କେତ ପ୍ରଦାନ କରିନାହାନ୍ତିି। ସଭାପତି ପ୍ରଶାନ୍ତ ସ୍ୱାଇଁ, ଚିନ୍ମୟ ଦାସ, କାର୍ଯ୍ୟକାରୀ ସଭାପତି ସୌମ୍ୟରଞ୍ଜନ ମଳ୍ଲିକ, ସମ୍ପାଦକ ଦିଲ୍ଲୀପ ନାୟକଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବିଧାନସଭା ପ୍ରବେଶ କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ତେବେ କେବଳ ଇସ୍ତଫା ପ୍ରଦାନ ପରେ ଆନ୍ଦୋଳନ ବନ୍ଦ ହୋଇଯିବ ତାହା ନୁହେଁ, ଏଥିରେ ଯଦି ସରକାର ନ ଚେତନ୍ତି ତେବେ ଆନ୍ଦୋଳନ ନୂଆ ରୂପ ନେବ ବୋଲି ସେମାନେ କହିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରୁ ରାଜ୍ୟର ୪ ହଜାର ବିଦ୍ୟାଳୟରେ ଏଭଳି ବିଦ୍ୟାଳୟ ସଂଯୋଜକ ନିଯୁକ୍ତି ପାଇଛନ୍ତି। ସରକାର ତାଙ୍କ ଦାବି ପୂରଣ କରୁନଥିବାରୁ ୧ ତାରିଖରୁ ଏମାନେ କାଯ୍ୟ ବନ୍ଦ କରି ଧାରଣା ଦେଇଛନ୍ତି।

ସମ୍ବନ୍ଧିତ ଖବର