ଆଇଟିଡିଏ ବଡ଼ବାବୁଙ୍କ ଛୋଟ କାମ! ୬ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବାଲିଗୁଡ଼ା : ଠିକାଦାରଙ୍କ ଅମାନତ ଜମା ରାଶି ଫେରସ୍ତ ପାଇଁ ଫାଇଲ୍‌ କାମ କରିବାକୁ ଲାଞ୍ଚ ନେଇ ଭିଜିଲାନ୍ସ୍ ଜାଲ‌ରେ ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ମୁଖ୍ୟକିରାଣି ବସନ୍ତ କୁମାର ପାଣି। ଅଭିଯୋଗକାରୀ ତଥା ବାଲିଗୁଡ଼ା ପାଟଖଣ୍ଡାସାହିର ପଦ୍ମଚରଣ ପାଣିଗ୍ରାହୀଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ୍ ଅଧିକାରୀ ମାନେ ତାଙ୍କୁ କାବୁ କରି ନେଇଛନ୍ତି। ବସନ୍ତଙ୍କୁ ଗିରଫ କରା ଯାଇଥିବାବେଳେ ତାଙ୍କ ଅଫିସ୍‌ ଓ ବାଲିଗୁଡ଼ାସ୍ଥିତ ବାସଭବନରେ ଭିଜିଲାନ୍ସ୍ ଟିମ୍ ଛାନଭିନ୍ ଜାରି ରଖିଛନ୍ତି। ଏ ପର୍ଯ୍ୟନ୍ତ ନଗଦ ପ୍ରାୟ ୮ ଲକ୍ଷ ଟଙ୍କା ମିଳିଲାଣି, ଆହୁରି ଗଣାଚାଲିଛି। ଏ ନେଇ ଭିଜିଲାନସ୍‌ ବ୍ରହ୍ମପୁର ଡିଭିଜନ୍‌ ପକ୍ଷରୁ କେସ୍ ନମ୍ବର ୧୬ ଅନୁସାରେ ଏକ ମାମଲା ରୁଜୁ ହୋଇଛି।

ଠିକାଦାର ପଦ୍ମଚରଣ ଆଇଟିଡିଏରେ କିଛି ଠିକା କାମ କରିଥିଲେ। କାମ ଶେଷ ପରେ ଅମାନତ ଜମାରାଶି ଉଠାଇବା ଲାଗି ବିଲ୍ କରିବା ଓ ଫାଇଲ୍ ଘୁଞ୍ଚାଇବାକୁ ବସନ୍ତଙ୍କୁ ଅବଗତ କରିଥିଲେ। କିନ୍ତୁ ବସନ୍ତ ଏଥିପାଇଁ ୬ହଜାର ଟଙ୍କା ଲାଞ୍ଚ ମାଗିବାରୁ ସେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଫୁଲବାଣୀ ଭିଜିଲାନସ୍‌ ଡିଏସପି ଅରୁଣ କୁମାର ନାୟକଙ୍କ ନେତୃତ୍ବରେ ଏକ ପାଞ୍ଚଜଣିଆ ଟିମ୍ ଆଜି ଅପରାହ୍‌ଣ ସାଢ଼େ ୪ଟାରେ ଆଇଟିଡିଏ ଅଫିସ୍‌ରେ ଚଢ଼ଉ କରି ଲାଞ୍ଚ ନେଉଥିବା ବେଳେ ବସନ୍ତଙ୍କୁ କାବୁ କରି ନେଇଥିଲେ।

ଅନ୍ୟପକ୍ଷରେ ବସନ୍ତଙ୍କ ବାଲିଗୁଡ଼ାସ୍ଥିତ ବାସଭବନରେ ଛାନ୍‌ଭିନ୍ ଜାରି ରହିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ସେଠାରୁ ୮ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି ବୋଲି ଡିଏସ୍‌ପି ସୂଚନା ଦେଇଛନ୍ତି। ଇନସପେକ୍ଟର କୁମୁଦିନୀ ସାହୁ, ଏସଆଇ ରବି କିରଣ, କନଷ୍ଟେବଳ ଦିଲ୍ଲୀପ କୁମାର ପ୍ରଧାନ ଓ ଲୋକନାଥ ସାହୁ ପ୍ରମୁଖ ଚଢ଼ଉରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ବିଲ୍ ପାଇଁ ଠିକାଦାର ପଦ୍ମଚରଣ ପୂର୍ବରୁ ୨୦୦୦ ଟଙ୍କା ଲାଞ୍ଚ ଦେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର