ବ୍ରହ୍ମପୁର/ରାୟଗଡ଼ା : ଡିପ୍ଲୋମା ସରିବା ପରେ ୨୦୦୮ରେ ଚୁକ୍ତିଭିତ୍ତିରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରିଥିଲେ। ମାତ୍ର ୪ବର୍ଷ ହେଲା ଚାକିରି ସ୍ଥାୟୀ ହୋଇଛି। ସ୍ଥାୟୀ ନିଯୁକ୍ତି ମିଳିବାର କିଛିବର୍ଷ ମଧ୍ୟରେ ରାୟଗଡ଼ା ଜିଲ୍ଲା ଗୁଣପୁର ଆଇଟିଡିଏ କନିଷ୍ଠ ଯନ୍ତ୍ରୀ (ଜେଇ) ଗଗନବିହାରୀ ପତି କୋଟିପତି ପାଲଟି ଯାଇଥିଲେ। ତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଆଜି ଶ୍ରୀ ପତିଙ୍କ ବ୍ରହ୍ମପୁର ସିଦ୍ଧାର୍ଥ ନଗର ସ୍ଥିତ ନିଜ ଘର, ଗୁଣପୁର ଆଇଟିଡିଏ କାର୍ଯ୍ୟାଳୟ, ମୁନିଗୁଡ଼ା ସ୍ଥିତ ସରକାରୀ ବାସଭବନ, ସମବାୟ କଲୋନି ସ୍ଥିତ ବାପାଙ୍କ ଘର, ବ୍ରହ୍ମପୁର ରାଉତପେଟା ସ୍ଥିତ ଶ୍ୱଶୁରଙ୍କ ଘରେ ବ୍ରହ୍ମପୁର ଡିଭିଜନ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି।
ଭିଜିଲାନ୍ସ ବିଭାଗର ଏକ ଟିମ୍ ସିଦ୍ଧାର୍ଥନଗର ସ୍ଥିତ ଘରେ ପହଞ୍ଚିଥିଲା। ହେଲେ ପରିବାର ବର୍ଗ କବାଟ ଖୋଲି ନଥିଲେ। ପ୍ରାୟ ୧ଘଣ୍ଟା ପରେ ଭିଜିଲାନ୍ସ ବିଭାଗ ଘରେ ପଶିଥିଲା। ଭିଜିଲାନ୍ସ ଟିମ୍ ଘରେ ଯାଞ୍ଚ କରିଥିଲା। କିନ୍ତୁ ଓ୍ଵାସିଂ ମେସିନ୍ ଯାଞ୍ଚ କରିବା ବେଳେ ସେଥିରୁ ୩୦ ଲକ୍ଷ ୨୦ହଜାର ଟଙ୍କାର ୫ଶହ ଟଙ୍କିଆ ବଣ୍ଡଲ୍ ବାହାରିଥିଲା। ଭିଜିଲାନ୍ସ ଚଢ଼ାଉ ଖବର ପାଇ ପରିବାର ବର୍ଗ ଏକ ବେଡ୍ସିଡ୍ରେ ଏହି ଟଙ୍କାକୁ ବାନ୍ଧି ଓ୍ଵାସିଂ ମେସିନ୍ରେ ଲୁଚାଇ ଦେଇଥିବା ଅନୁମାନ କରାଯାଉଛି।
ଅନ୍ୟ ପଟେ ଚଢ଼ାଉ ବେଳେ ମୁନିଗୁଡ଼ାସ୍ଥିତ କନିଷ୍ଠ ଯନ୍ତ୍ରୀଙ୍କ ଘର ବାହାରେ ନଗଦ ୨ଲକ୍ଷ ୩୦ହଜାର ଟଙ୍କା ପଡ଼ିଥିଲା। ଏନେଇ ଜାଣିବା ପରେ ଭିଜିଲାନ୍ସ ଟିମ୍ ଉକ୍ତ ଟଙ୍କାକୁ ଜବତ କରିଥିଲା। ସଂଧ୍ୟାରେ କନିଷ୍ଠ ଯନ୍ତ୍ରୀଙ୍କୁ ବ୍ରହ୍ମପୁର ନିଆଯାଇଛି। ଭିଜିଲାନ୍ସ ମୋଟ ୧କୋଟି ୬୧ଲକ୍ଷ ୨୩ହଜାର ୮୩୮ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି। ମୋଟ ସଂପତ୍ତିର ଆକଳନ ହୋଇପାରି ନଥିବା ବେଳେ ଆସନ୍ତାକାଲି ଲକର ଖୋଲିବା ପରେ ସଂପତ୍ତିର ପରିମାଣ କେତେ ଜଣାପଡ଼ିବ ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ ଗଣମାଧ୍ୟମକୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/seized-1.jpg)