ଅନ୍‌ଲାଇନ୍‌ରେ ଆଇଟିଆଇ ନାମଲେଖା

ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ଆଇଟିଆଇଗୁଡ଼ିକରେ ନାମଲେଖା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସାମ୍‌ସ(ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ) ଜରିଆରେ କେନ୍ଦ୍ରୀୟ ଅନ୍‌ଲାଇନ୍‌ ପଦ୍ଧତିରେ ନାମ ଲେଖାଯିବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ନିୟମ ଅନୁଯାୟୀ ଅଗଷ୍ଟ ପହିଲା ସୁଦ୍ଧା ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୪ ବର୍ଷ ହୋଇଥିବା ଆବଶ୍ୟକ। ‌କିନ୍ତୁ ସର୍ବାଧିକ ବୟସ ସୀମା କିଛି ନାହିଁ। ବିଭିନ୍ନ ଇଞ୍ଜିନିୟରିଂ ଓ ଅଣ ‌ଇଞ୍ଜିନିୟରିଂ ‌ଟ୍ରେଡ୍‌ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା(୧୦ମ ଶ୍ରେଣୀ ପାସ୍‌/୮ମ ଶ୍ରେଣୀ ପାସ୍‌) ସମ୍ପର୍କରେ ସାମସ୍‌ ପୋର୍ଟାଲ ‘www.samsodisha.gov.in’ କିମ୍ବା ‘www.dtetodisha.gov.in’ ରେ ଉପଲବ୍ଧ ହୋଇଛି। ଆଗ୍ରହୀ ଛାତ୍ରଛାତ୍ରୀ ଉକ୍ତ ଦୁଇ ୱେବସାଇଟ୍‌ରେ ଲଗ୍‌ ଇନ୍‌ କରି ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନକାରୀ ଛାତ୍ରଛାତ୍ରୀ ସାମ୍‌ସ ଅନ୍‌ଲାଇନ୍‌ ନାମଲେଖା ପ୍ରଣାଳୀରେ ମାଟ୍ରିକ୍‌ ମାର୍କ ଓ ଜାତିଗତ ପ୍ରମାଣପତ୍ରର ଅଟୋ ଭାଲିଡେସନ୍‌ର ସୁବିଧା ନେଇପାରିବେ। ଅଟୋ ଭାଲିଡେସନ କରିପାରୁ ନଥିବା ଆବେଦନକାରୀ ନିକଟସ୍ଥ ଯେକୌଣସି ନୋଡାଲ ସେଣ୍ଟର(ସରକାରୀ ଆଇଟିଆଇ)ରେ ନିଜର ପ୍ରମାଣପତ୍ର ଯାଞ୍ଚ କରିପାରିବେ। ଅଧିକ ବିବରଣୀ ପାଇଁ ପ୍ରାର୍ଥୀଙ୍କ ଲାଗି ସହାୟତା ଟେଲ୍‌ ଫ୍ରି ନମ୍ବର ସଂଯୋଗ ହେଲ୍‌ପଲାଇନ୍‌-୧୫୫୩୩୫ କିମ୍ବା ୧୮୦୦-୩୪୫-୬୭୭୦ ନମ୍ବରରେ ଯୋଗାଯୋଗ କରିପାରିବେ। ଏଥିସହ ନିକଟସ୍ଥ ସରକାରୀ ଆଇଟିଆଇରେ ଯୋଗାଯୋଗ କରି କୁଶଳୀ କାରିଗର ହେବା ପାଇଁ ସୁଯୋଗ ନେବାକୁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର