ଖୁବ୍‌ଶୀଘ୍ର ଖୋଲିବ ଆଇଟିଆଇ ଓ ପଲିଟେକ୍‌ନିକ୍‌

ଭୁବନେଶ୍ବର : ଆଇଟିଆଇ ଓ ପଲିଟେକ୍‌ନିକ୍‌ ବୈଷୟିକ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଦେଶରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଆଇଟିଆଇ ପ୍ରତି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇଛି। ରାଜ୍ୟ ସରକାର ଦକ୍ଷତା ବିକାଶ ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ପ୍ରୟାସ କରିଛନ୍ତି। ଦକ୍ଷତାର ସହ ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀ ଦେଶ ବିଦେଶରେ ନିଯୁକ୍ତି ପାଉଛନ୍ତି ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି।

୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଆଇଟିଆଇ, ପଲିଟେକ୍‌ନିକ୍‌ରେ ନାମଲେଖା ପାଇଁ ପ୍ରଚାର ଅଭିଯାନ ଆରମ୍ଭ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଲେ; ଦେଶର ସର୍ବଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ରାଜ୍ୟର ୬ଟି ଆଇଟିଆଇ ସ୍ଥାନ ପାଇଛି। ୨୦୨୦ ସର୍ବଭାରତୀୟ ଆଇଟିଆଇ ପରୀକ୍ଷାରେ ରାଜ୍ୟର ୪ ଜଣ ଛାତ୍ରଛାତ୍ରୀ ଦେଶର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ୧୮ ହଜାର ୨୫୮ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିଛନ୍ତି। ଅଧିକରୁ ଅଧିକ ଛାତ୍ରଛାତ୍ରୀ କିଭଳି ଆଇଟି ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିପାରିବେ ସେଥିପାଇଁ ସମସ୍ତ ଅଭିଭାବକ, ହାଇସ୍କୁଲ ଶିକ୍ଷକଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀମାନେ ମାର୍ଗଦର୍ଶନ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ଆହ୍ବାନ ଦେଇଛନ୍ତି।

ଆଇଟିଆଇ ଓ ପଲିଟେକ୍‌ନିକ୍‌ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ପିଲାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବ। ପ୍ରଥମ ପର୍ଯ୍ୟାୟରେ ଉଭୟ ପାଠ୍ୟକ୍ରମର ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ହେମନ୍ତ ଶର୍ମା କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟର ବିଭିନ୍ନ ଆଇଟିଆଇ ଅଧ୍ୟକ୍ଷ, ଓଡ଼ିଶା ଘରୋଇ ଇଂଜିନିୟରିଂ ସ୍କୁଲ ସଙ୍ଗଠନର ପ୍ରତିନିଧିମାନେ ପ୍ରଚାର ଅଭିଯାନରେ ସାମିଲ ହୋଇ ଜନସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରେଘୁ ଜି. ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନେ ପ୍ରଚାର ଅଭିଯାନ, ଅଡିଓ ଭିଜୁଆଲ କ୍ଲିପ୍‌ ଓ ପୁସ୍ତକ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ସଚିବ ସୁଦର୍ଶନ ପଣ୍ଡା, ଯୁଗ୍ମ ସଚିବ ଅଜୟ ନାୟକ, ଗୌରହରି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର