ଆଇଟିଆଇ ଗ୍ରେଡିଂ: ଶ୍ରେଷ୍ଠ ଶହେରେ ଓଡ଼ିଶାରୁ ୬

ବ୍ରହ୍ମପୁର ଆଇଟିଆଇ ରାଜ୍ୟରେ ପ୍ରଥମ, ୧୨,୩୫୨ ମଧ୍ୟରେ ଓଡ଼ିଶାରୁ ୫୦

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟର ସାଧାରଣ ତାଲିମ ନିର୍ଦେଶାଳୟ(ଡିଜିଟି) ଦ୍ବାରା ଦେଶରେ ଥିବା ଆଇଟିଆଇଗୁଡ଼ିକର ଗ୍ରେଡିଂ-୨ ତାଲିକା ଆଜି ପ୍ରକାଶ କରାଯାଇଛି। ଢାଞ୍ଚା ଓ ପଦ୍ଧତି ଆଧାରରେ ପ୍ରକାଶ କରାଯାଇଥିବା ଏହି ତାଲିକାର ଶ୍ରେଷ୍ଠ ଶହେ ମଧ୍ୟରେ ଓଡ଼ିଶାର ୬ଟି ଆଇଟିଆଇ ସ୍ଥାନ ପାଇଛନ୍ତି। ଦେଶର ୧୨ହଜାର ୩୫୨ଟି ଆଇଟିଆଇ ଏହି ତାଲିକାରେ ଥିବା ବେଳେ ଓଡ଼ିଶାରୁ ୫୦ଟି ଆଇଟିଆଇ ସ୍ଥାନ ପାଇଛନ୍ତି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସରକାରୀ ଆଇଟିଆଇ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିବା ସହ ଦେଶର ଶ୍ରେଷ୍ଠ ଶହେ ମଧ୍ୟରେ ୧୨ତମ ସ୍ଥାନରେ ରହିଛି। ରାଜ୍ୟର ଏକମାତ୍ର ଆଇଟିଆଇ ଭାବେ ୪.୦୫ ଗ୍ରେଡ୍‌ ହାସଲ କରିଛି। ଅନ୍ୟ କୌଣସି ବି ଆଇଟିଆଇ ୪‌ଗ୍ରେଡ୍‌ ଉପରକୁ ଯାଇ ପାରିନାହାନ୍ତି।

ଏହାବ୍ୟତୀତ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଆଇଟିଆଇ ଦେଶର ୨୧ତମ ସ୍ଥାନରେ ଥିବା ବେଳେ ଯାଜପୁର ଆଇଟିଆଇ ୩୧, କଟକ ଆଇଟିଆଇ ୩୫, ଝାରସୁଗୁଡ଼ା ଆଇଟିଆଇ ୪୭ ଓ ପୁରୀ ଆଇଟିଆଇ ୯୬ ସ୍ଥାନରେ ରହିଛି। ଡିଜିଟି ୱେବସାଇଟ୍‌ରେ ଅପଲୋଡ୍‌ ହୋଇଥିବା ଢାଞ୍ଚା ଓ ପଦ୍ଧତିର ତଥ୍ୟ ଆଧାରରେ ଆଇଟିଆଇଗୁଡ଼ିକର ଆବେଦନକୁ ଗ୍ରହଣ କରିବା ପରେ ୧୨ ହଜାର ୩୫୨ଟିକୁ ଦ୍ବିତୀୟ ପର୍ଯ୍ୟାୟ ଗ୍ରେଡ୍‌ରେ ଚୂଡ଼ାନ୍ତ କରାଯାଇଛି। ୨୦ଟି ମାନଦଣ୍ଡକୁ ନେଇ ଗ୍ରେଡିଂ ‌ହୋଇଛି। ଆଇଟିଆଇରେ କେତେ ପିଲା ପଢ଼ୁଛନ୍ତି, ଛାତ୍ରୀଙ୍କ ସଂଖ୍ୟା, ପାସ୍‌ହାର, ନିଯୁକ୍ତି, ମାର୍କ ପ୍ରତିଶତ, ଛାତ୍ରଛାତ୍ରୀ:ଶିକ୍ଷକ ଅନୁପାତ, ପରିବେଶ ପାଇଁ କ’ଣ କରିଛନ୍ତି, ଜଳ ସଂରକ୍ଷଣ ବ୍ୟବସ୍ଥା, ପୁରାତନ ଛାତ୍ରଛାତ୍ରୀଙ୍କ ସହ ସମ୍ପର୍କ ଆଦି ବିଷୟକୁ ବିଚାରକୁ ନିଆଯାଇଥିଲା। ବ୍ରହ୍ମପୁର ଆଇଟିଆଇ ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ ସଫଳତା ନେଇ ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଟିମ୍‌ୱାର୍କ ପାଇଁ ଆଜି ଏହି ସଫଳତା ମିଳିପାରିଛି। ରାଜ୍ୟ ସରକାର ଆମମାନଙ୍କୁ ସିଙ୍ଗାପୁରକୁ ପଠାଇବା ପରେ ସେଠାରୁ ଯାହା ଶିକ୍ଷା ଲାଭ କରିଥିଲୁ, ତାହାକୁ ଏଠାରେ ପ୍ରୟୋଗ କରିଥିଲୁ। ଯେଉଁଥିପାଇଁ ଭଲ ରୢାଙ୍କ ପାଇଛୁ। ହାତ ଖୋଲି, ହୃଦୟ ଖୋଲି ଓ ମନ ଖୋଲି କାମ କରୁଥିବାରୁ ଭଲ ଫଳ ମିଳୁଛି।

ସମ୍ବନ୍ଧିତ ଖବର