‘ଫନି’ ମରାମତି କାମରୁ ଫେରିବା ବେଳେ ଛାତ୍ର ମୃତ୍ୟୁ, କ୍ଷତିପୂରଣ ଦାବିରେ ସରକାରୀ ଆଇଟିଆଇ ଛାତ୍ରଙ୍କ ବିକ୍ଷୋଭ

ରାଉରକେଲା : ବାତ୍ୟା ‘ଫନି’ ପରେ ବିଦ୍ୟୁତ ସଂଯୋଗ ଯାଞ୍ଚ ସାରି ଭୁବନେଶ୍ବରରୁ ରାଉରକେଲା ଫେରୁଥିବାବେଳେ ଇଣ୍ଟରସିଟି ଟ୍ରେନ୍‌ରୁ ପଡି ରାଉରକେଲା ସରକାରୀ ଆଇଟିଆଇ ଛାତ୍ର ଭାସ୍କର ସାହୁ ମୃତ୍ୟୁବରଣ କରିଥିଲେ। ଆଜି ମୃତ ଭାସ୍କରଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ସରକାରୀ ଚାକିରୀ ଦାବି କରି ଶତାଧିକ ଆଇଟିଆଇ ଛାତ୍ର ଆଇଟିଆଇ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସକାଳ ୭ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ କୌଣସି କର୍ମଚାରୀଙ୍କୁ ଭିତରକୁ ପଶିବାକୁ ଦେଇ ନଥିଲେ। ଆଇଟିଆଇର କାର୍ଯ୍ୟବାହୀ ଅଧ୍ୟକ୍ଷ ଆର୍‌.କେ. ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଛାତ୍ରଙ୍କୁ ବୁଝାସୁଝା କରି ଆନ୍ଦୋଳନରୁ ହଟିଯିବାକୁ ଅନୁରୋଧ କରିଥିଲେ। ହେଲେ ଭାସ୍କରଙ୍କ ପରିବାରକୁ ଦାବି ମୁତାବକ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଛାତ୍ରମାନେ ଜିଦ୍‌ ଧରିଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀ ମଲ୍ଲିକ ମୃତ ଭାସ୍କରଙ୍କ ପରିବାରକୁ ଆଇଟିଆଇ ପକ୍ଷରୁ ୫ ଲକ୍ଷ ଟଙ୍କା ‌ଚେକ୍‌ ପ୍ରଦାନ କରାଯାଇଛି। ଆଉ ୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ନିଯୁକ୍ତି ପାଇଁ ସରକାରଙ୍କୁ ନିବେଦନ କରାଯାଇଛି ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ବାତ୍ୟା ‘ଫନି’ ପରେ ଭୁବନେଶ୍ବର ଘରେ ଘରେ ବୁଲି ବିଦ୍ୟୁତ ମରାମତି କାମ କରିବାକୁ ସରକାରୀ ଆଇଟିଆଇର ଛାତ୍ର ଦଳ ଯାଇଥିଲେ। ସେମାନଙ୍କ ମଧ୍ୟ‌େର ଥିଲେ ଭାସ୍କର ସାହୁ। ମରାମତି କାମ କରିବା ପରେ ଗତ ବୁଧବାର ଇଣ୍ଟରସିଟି ଏକ୍ସପ୍ରେସ୍‌ ସାଙ୍ଗମାନଙ୍କ ସହ ରାଉରକେଲା ଫେରୁଥିଲେ। ରାଜଗାଙ୍ଗପୁର କାଂଶବାହାଲ ଷ୍ଟେସନ ମଧ୍ୟରେ ଭାସ୍କର ଟ୍ରେନରୁ ଗଳି ପଡିଥିଲେ। ଗୁରୁତର ଅବସ୍ଥାରେ ସହପାଠୀମାନେ ତାଙ୍କୁ ଉଦ୍ଧାର କରି ଆରଜିଏଚ୍‌ରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର